ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଛି । କେନ୍ଦ୍ର ଦ୍ବାରା ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି କୃଷକ ସଂଗଠନ । ଆଜିର ବୈଠକରେ କୃଷକମାନଙ୍କୁ ଏକ ନୂଆ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର । ଉକ୍ତ ଆଇନକୁ ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇବା ସହ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର । ତେବେ ସରକାରଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରିବାରେ ଆଗ୍ରହ ଦେଖାଇନାହାନ୍ତି କୃଷକ ସଂଗଠନ । କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରକୁ ସ୍ପଷ୍ଟ କରି ଦିଆଯାଇଛି ଯେ ସେମାନେ ଏହି ଆଇନରେ ସାମୟିକ ପ୍ରତିବନ୍ଧକ ଚାହୁଁ ନାହାନ୍ତି । କେବଳ ଏହି ଆଇନକୁ ପ୍ରତ୍ୟାହାର କରିବା ସେମାନଙ୍କ ଦାବି ବୋଲି କୃଷକ ସଂଗଠନ ମାନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ପ୍ରତ୍ୟାହାର କରିବା ଦିଗରେ ସରକାର ଓ କୃଷକ ନେତାଙ୍କ ମଧ୍ୟରେ 9 ପର୍ଯ୍ୟାୟ ଶେଷ ହୋଇଥିବା ବେଳେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ତେବେ ଆଜିର ବୈଠକ ଫଳପ୍ରଦ ହେବା ନେଇ ଆଶା କରାଯାଉଥିବା ବେଳେ ଏଥର ମଧ୍ୟ କୌଣସି ସମାଧାନର ଦିଗ ବାହାରି ପାରିନାହିଁ । କୃଷକ ମାନଙ୍କ ତରଫରୁ କ୍ରମାଗତ 55 ଦିନ ଧରି ନିରନ୍ତର ଆନ୍ଦୋଳନ ଚାଲୁ ରହିଛି ।