ନୂଆଦିଲ୍ଲୀ: ଭ୍ରମଣ ପ୍ରିୟ ଲୋକଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଲଣ୍ଡନ ଯିବା ପାଇଁ ଆପଣଙ୍କୁ ଆଉ ବିମାନ ଟିକେଟ କରିବାର ଆବଶ୍ୟକ ପଡିବ ନାହିଁ । ବସରେ ଏବେ ଯାତ୍ରା କରିପାରିବେ ଲଣ୍ଡନ । କରୋନା ଭୂତାଣୁ ଭୟ ହେତୁ ବିଶ୍ୱର ବିଭିନ୍ନ ଦେଶରେ ଲକଡାଉନ୍ ଜାରି ରହିଛି। ବିଦେଶୀ ଯାତ୍ରୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ମଧ୍ୟ ସୀମିତ ରହିଛି । ଏହି ସମୟରେ ଏକ ଟ୍ରାଭେଲ ଏଜେନ୍ସି ଦିଲ୍ଲୀ ଏବଂ ଲଣ୍ଡନ ମଧ୍ୟରେ ଏକ ନିଆରା ଯାତ୍ରା ପ୍ରଦାନ କରିବାକୁ ଘୋଷଣା କରିଛି । ଯାତ୍ରା ଟିକିଏ ଅଧିକ ହେବ କିନ୍ତୁ ବିମାନ ଯାତ୍ରା ଅପେକ୍ଷା ଏହା ଅନେକ ଗୁଣ ଅଧିକ ମଜାଦାର ହେବ ।
ଗୁରୁଗାଓଁର ଏକ ଟ୍ରାଭେଲ କମ୍ପାନୀ ‘ବସ୍ ଟୁ ଲଣ୍ଡନ’ ନାମକ ଏକ ଯାତ୍ରା ଆୟୋଜନ କରିଛି । ଦିଲ୍ଲୀରୁ ଆରମ୍ଭ ହୋଇଥିବା 70 ଦିନିଆ ଯାତ୍ରା 18 ଟି ଦେଶ ଦେଇ ଯାତ୍ରା ଶେଷ କରିବ । ଏହି ୭୦ ଦିନ ମଧ୍ୟରେ, ଯାତ୍ରୀମାନେ ୨୦୦୦୦ କିଲୋମିଟର ଦୂରତା ଅତିକ୍ରମ କରିବେ । କେବଳ ଏତିକି ନୁହେଁ ବସ ବ୍ରିଟେନରେ ପହଞ୍ଚିବା ପୂର୍ବରୁ ଏହା ମିଆଁମାର, ଥାଇଲାଣ୍ଡ, ଲାଓସ୍, ଚୀନ୍, କିର୍ଗିଜସ୍ଥାନ, ଉଜବେକିସ୍ତାନ, କାଜାଖସ୍ତାନ, ଋଷିଆ , ଲାଟଭିଆ, ଲିଥୁଆନିଆ, ପୋଲାଣ୍ଡ, ଚେକ ରିପବ୍ଲିକ, ଜର୍ମାନୀ, ନେଦରଲ୍ୟାଣ୍ଡ, ବେଲଜିୟମ ଏବଂ ଫ୍ରାନ୍ସ ଭଳି ୧୮ ଟି ଦେଶ ଦେଇ ଯାତ୍ରା କରିବ। ଏହି ବସ୍ ରେ ୨୦ ଜଣ ଯାତ୍ରୀ ଏବଂ ଜଣେ ଡ୍ରାଇଭର, ସହକାରୀ ଡ୍ରାଇଭର, ଆୟୋଜକ କମ୍ପାନୀର ଏଜେଣ୍ଟ ଏବଂ ଜଣେ ଗାଇଡ୍ ରହିବେ ।