ଦୁଇ ବର୍ଷ ତଳେ ସୁପ୍ରିମ କୋର୍ଟ କହିଥିଲେ ଯେ, ରାଜନୀତିରେ ଅପରାଧୀକରଣ ହେଉଛି ଗଣତନ୍ତ୍ର ପାଇଁ ସବୁଠାରୁ ବିପଜ୍ଜନକ ବିଷୟ। 2014 ସୁଦ୍ଧା ଦେଶରେ ବିଭିନ୍ନ ଅପରାଧୀକ ମାମଲାରେ ଜଡ଼ିତ ଥିବା ବିଧାୟକଙ୍କ ସଂଖ୍ୟା ଥିଲା 1581। ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପ୍ରକାଶ କରିଥିବା ଏହି ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ସ୍ବତନ୍ତ୍ର କୋର୍ଟମାନ ଗଠନ କରିଥିଲେ ଏବଂ ଏନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ। ଯେଉଁ ସବୁ ଜନପ୍ରତିନିଧି ସେ ସମୟରେ ରହିଥିଲେ ବା ପୂର୍ବରୁ ରହି ଆସିଥିବା ଜନପ୍ରତିନିଧି ଯେଉଁମାନେ ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବେ ସେମାନଙ୍କୁ ଜୀବନକାଳ ପାଇଁ ନିର୍ବାଚନରୁ ବାସନ୍ଦ କରିବା ଏବଂ ନେତାମାନଙ୍କ ନାଁରେ ଥିବା ଅପରାଧୀକ ମାମଲାର ବିଚାର ତ୍ବରାନ୍ବିତ କରିବାକୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରି କୋର୍ଟଙ୍କ ନିରପେକ୍ଷ ଉପଦେଷ୍ଟା (ଆମିକସ କ୍ୟୁରି) ଯେଉଁସବୁ ତଥ୍ୟ କୋର୍ଟକୁ ପ୍ରଦାନ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଦେବା ଭଳି ଥିଲା। ପୂରା ଦେଶରେ ପୂର୍ବତନ ଓ ବର୍ତ୍ତମାନର ବିଧାୟକ ଓ ସାଂସଦଙ୍କୁ ମିଶାଇ ମୋଟ 4442 ଜଣ ନିର୍ବାଚିତ ପ୍ରତିନିଧିଙ୍କ ନାଁରେ ଅପରାଧୀକ ମାମଲା ବିଚାରାଧୀନ ରହିଥିଲା।
ଏମାନଙ୍କ ମଧ୍ୟରୁ 2556 ଜଣ ବର୍ତ୍ତମାନ ବିଭିନ୍ନ ରାଜ୍ୟ ବିଧାନସଭାରେ ବିଧାୟକ କିମ୍ବା ସାଂସଦ ଭାବେ ଲୋକପ୍ରତିନିଧି ରହିଛନ୍ତି। ଜଣେ ଜଣେ ଲୋକପ୍ରତିନିଧିଙ୍କ ବିରୁଦ୍ଧରେ ଏକାଧିକ ମାମଲା ରହିଛି, ଏବଂ ଏପରିକି ଗୋଟିଏ ଗୋଟିଏ ମାମଲାରେ ଏକାଧିକ ପ୍ରତିନିଧିଙ୍କ ସଂପୃକ୍ତି ରହିଛି, ଯେଉଁଥିରୁ ରାଜନୀତି କିପରି ଭାବେ ଅପରାଧର ବୁଢିଆଣୀ ଜାଲରେ ଛନ୍ଦି ହୋଇ ରହିଛି ତାହା ସ୍ପଷ୍ଟ ପ୍ରତୀୟମାନ ହେଉଛି! ଜଘଣ୍ୟ ଅପରାଧ ଘଟାଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଲୋକପ୍ରତିନିଧିଙ୍କ ସଂଖ୍ୟା ଦେଖିଲେ ଉତ୍ତର ପ୍ରଦେଶ ଏକ ନମ୍ବର ସ୍ଥାନରେ ରହିଛି। ଏହା ପଛକୁ ଦ୍ବିତୀୟ ସ୍ଥାନରେ ଥିବା ବିହାରରେ 30 ଜଣ ଏବେକାର ବିଧାୟକ ଏବଂ 43 ଜଣ ପୂର୍ବତନ ବିଧାୟକଙ୍କ ନାଁରେ ଅନୁରୂପ ମାମଲା ରହିଛି। ଆମିକସ କ୍ୟୁରିଙ୍କ ରିପୋର୍ଟ ମୁତାବକ 1983 ପରଠାରୁ ରାଜନୀତିରେ ଅପରାଧ ଘଟଣା ବଢିବା ସତ୍ତ୍ବେ ଅଧିକାଂଶ ଘଟଣାରେ ଅପରାଧୀକ ମାମଲା ରୁଜୁ କରାଯାଉ ନାହିଁ। ଟ୍ରାଏଲ କୋର୍ଟ ଦ୍ବାରା ଜାମିନ ରହିତ ୱାରେଣ୍ଟ ଜାରି ହେଉଥିଲେ ମଧ୍ୟ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ଜଣାପଡୁନାହିଁ। ଆଜୀବନ କାରାଦଣ୍ଡ ହୋଇଥିବା 413ଟି ମାମଲା ମଧ୍ୟରୁ ବର୍ତ୍ତମାନ ସାଂସଦ ଏବଂ ବିଧାୟକ ଥିବା ନେତାଙ୍କ ବିରୁଦ୍ଧରେ 147ଟି ପଂଜୀକୃତ ହୋଇଛି। ପଞ୍ଜାବରେ 1983ରେ ଘଟିଥିବା ଏକ ହତ୍ୟାକାଣ୍ଡର 36 ବର୍ଷ ପରେ ଏଥିରେ ସମ୍ପୃକ୍ତ ଥିବା ଜଣେ ନିର୍ବାଚିତ ଲୋକପ୍ରତିନିଧିଙ୍କ ନାମରେ ଗତବର୍ଷ ଅଭିଯୋଗ ଫର୍ଦ୍ଦ ରୁଜୁ ହେବା ଘଟଣା ହେଉଛି ରାଜନୀତିରେ ପଡୁଥିବା ଅପରାଧର ଖରାପ ପ୍ରଭାବ ଏକ ବଳିଷ୍ଠ ପ୍ରମାଣ !