ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ କ୍ରମାଗତ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସର କଡା ଜବାବ ଦେଇଚାଲିଛି ଭାରତୀୟ ସେନା । ନିକଟରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ସୁଡଙ୍ଗର ସନ୍ଧାନ ପାଇଥିଲା ସେନା । ଏପରିସ୍ଥିତିରେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ କହିଛନ୍ତି, ବରଫ ସ୍ତରର ବୃଦ୍ଧି ପୂର୍ବରୁ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ଅନୁପ୍ରବେଶ କରିବାରକୁ ଚେଷ୍ଟା ଚଳାଇଛନ୍ତି ।
ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଆନୁଯାୟୀ ସ୍ଥଳସେନା ମୁଖ୍ୟ କହିଛନ୍ତି, ଆତଙ୍କବାଦୀଙ୍କ ଏହି କାର୍ଯ୍ୟକଳାପ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ପହଞ୍ଚାଇବାକୁ କରାଯାଉଛି । ସେ କହିଛନ୍ତି, ଆମର ପଶ୍ଚିମ ସୀମାରେ ଚାଲିଥିବା ପରିସ୍ଥିତିରେ ଆତଙ୍କବାଦ ଏକ ଗୁରୁତର ବିପଦ ହୋଇ ରହିଛି ଏବଂ ସମସ୍ତ ଚେଷ୍ଟା ସତ୍ତ୍ବେ ଏହାର ଅନ୍ତ ଘଟୁନାହିଁ । ସାଧାରଣ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।