ନୂଆଦିଲ୍ଲୀ: ନାଗ୍ରୋଟା ଏନକାଉଣ୍ଟରରେ ନିହତ ହୋଇଥିବା 4 ଆତଙ୍କୀଙ୍କୁ ଭାରତକୁ ପଠାଇବାରେ ଜୈସ୍-ଏ-ମହମ୍ମଦର ହାତ ଥିବା ସୂଚନା । ଜୈସ୍-ଏ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାରର ଭାଇ ଏମାନଙ୍କୁ ଭାରତକୁ ପଠାଇବାରେ ମୁଖ୍ୟ ଭୂମିକା ନିଭାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ପୁଲୱାମା ପରି ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା ରଖି ଏମାନେ ଭାରତ ଆସିଥିବା କୁହାଯାଉଛି । ଯେଉଁ ଯୋଜନାକୁ ନଭେମ୍ବର 18/19ରେ ସେନା ଏନକାଉଣ୍ଟର କରି ପଣ୍ଡ କରିଦେଇଛି।
ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଟାସ୍କ ଅନୁସାରେ ଏମାନେ ଏଭଳି କାଣ୍ଡ ଘଟାଇବାକୁ ଯୋଜନା କରିଥିବା ଜଣେ ସରକାରୀ ଅଫିସର ସୂଚନା ଦେଇଛନ୍ତି । ପୁଲୱାମା ଆକ୍ରମଣ ପରି କାଣ୍ଡ ଘଟାଇବାକୁ ଜୈସ-ଏ-ମହମ୍ମଦକୁ ଆଇଏସଆଇ ପକ୍ଷରୁ ଏହି ଦାୟିତ୍ବ ଦିଆଯାଇଥିବା ସେ କହିଛନ୍ତି । ଯାହାକୁ ସେନା ଭଣ୍ଡୁର କରିଦେଇଛି ।
ତେବେ ଆତଙ୍କୀ ସଙ୍ଗଠନ ଏହି ଅପରେସନ ପାଇଁ ଆଝାରର ଭାଇ ଅବଦୁଲ ରାଉଫ ଅସଗରକୁ ଦାୟିତ୍ବ ଦେଇଥିଲା । ଯେକି 4 ଜଣ ଜିହାଦୀଙ୍କୁ ବାଛିବା ସହ ସେମାନଙ୍କୁ ସମସ୍ତ ପ୍ରକାର ଟ୍ରେନିଂ ଦେଇଥିଲା । ଭାରତୀୟ ସୀମା ନିକଟ ସାକରଗଡ କ୍ୟାମ୍ପରେ ଏମାନଙ୍କୁ ଟ୍ରେନିଂ ଦିଆଯାଇଥିବା ସୂଚନା ମିଳିଛି ବୋଲି ସେ କହିଛନ୍ତି । ଅସଗର ସହିତ କ୍ବାଜି ତରାର, ଯେକି ହାଇ ର୍ୟାଙ୍କର ଆତଙ୍କବାଦୀ ତାକୁ ମଧ୍ୟ ଏହି ଦାୟିତ୍ବ ଦିଆଯାଇଥିଲା ।
ଏନେଇ ଜୈସ୍ ହେଡକ୍ବାଟରରେ ବୈଠକ ମଧ୍ୟ ବସିଥିଲା । ଯେଉଁଥିରେ ଜୈସ୍ ଆତଙ୍କୀଙ୍କ ସହିତ ଆଇଏସଆଇ ଅଫିସର ମଧ୍ୟ ସାମିଲ ଥିଲେ ବୋଲି ସୂଚନା ମିଳିଛି । ଆକ୍ରମଣର ଯୋଜନା ହେବା ପରେ ସକାରଘର କ୍ୟାମ୍ପରେ ଏହାର ଶେଷ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏଠାରେ ହିଁ ଆତଙ୍କୀ ଚୟନ ଓ ସେମାନଙ୍କ ଟ୍ରେନିଂ କରାଯାଇଥିଲା ।
ଏହା ଚାରି ଆତଙ୍କୀଙ୍କୁ ଆତ୍ମଘାତି ଆକ୍ରମଣର ଟ୍ରେନିଂ ସହିତ କିପରି ଅଧିକରୁ ଅଧିକ କ୍ଷତି ଘଟାଇବେ ସେନେଇ ଟ୍ରେନିଂ ଦିଆଯାଇଥିଲା । ଏହାସହ ଆକ୍ରମଣ କରିବାକୁ ରୁଟ୍ ମଧ୍ୟ ବଛାଯାଇ ସେମାନଙ୍କୁ ପଠାଯାଇଥିଲା । ହେଲେ ସେନା ଏସବୁକୁ ଭଣ୍ଡୁର କରିବାକୁ ସଫଳ ହୋଇଛି ।