ଅଯୋଧ୍ୟା: ଶ୍ରୀ ରାମଙ୍କ ନଗରୀ ଅଯୋଧ୍ୟା ପୌରାଣିକ ସ୍ଥଳ ହୋଇଥିବା ସହ ଅନେକ ମନ୍ଦିର ଓ ମଠର ସହର ମଧ୍ୟ । ଏହି ନଗରରେ ଅନେକ ମନ୍ଦିର ଥିବା ବେଳେ ସବୁ ମନ୍ଦିରର ରହିଛି ନିଜସ୍ବ ସ୍ବତନ୍ତ୍ରତା । ତେବେ ଏଠାରେ ଏମିତି ବି ମନ୍ଦିର ଅଛି ଯାହାର ଗର୍ଭ ଗୃହ ସନ୍ଧ୍ୟା ହେବା ମାତ୍ରେ ହୋଇଯାଏ ଅନ୍ଧକାରମୟ । ନିଜର ସ୍ବତନ୍ତ୍ର ମାନ୍ୟତା କାରଣରୁ ଆଜି ପର୍ଯ୍ୟନ୍ତ ଏଠାରେ ସନ୍ଧ୍ୟା ହେବା ପରେ କେବେ ଲାଇଟ ଲାଗି ନାହିଁ ।
ଉତ୍ତର ପ୍ରଦେଶର ଅଯୋଧ୍ୟା ନଗରୀ ଅତି ପ୍ରାଚୀନ ଧାର୍ମିକ ନଗର ଅଟେ । ପୌରାଣିକ ମାନ୍ୟତା ଅନୁସାରେ ସରଯୁ ନଦୀ କୂଳରେ ଥିବା ଏହି ନଗରୀରେ ସୂର୍ଯ୍ୟବଂଶୀ ଓ ରଘୁବଂଶୀ ରାଜାଙ୍କ ରାଜତ୍ବ ଥିବା ନେଇ ବିଶ୍ବାସ କରାଯାଏ । ଏହି ନଗର ସପ୍ତପୁରୀ ମଧ୍ୟରୁ ଗୋଟିଏ । ସେପଟେ ରାମ ଜନ୍ମଭୂମି ହୋଇଥିବା କାରଣରୁ ଏହାର ରହିଛି ସ୍ବତନ୍ତ୍ର ମାନ୍ୟତା । ସମ୍ପୂର୍ଣ୍ଣ ଅଯୋଧ୍ୟାରେ ରହିଛି ପ୍ରାୟ 5000 ରୁ ଅଧିକ ମନ୍ଦିର । ଏଠାରେ ପୁରୁଣା ଘର ସବୁ ମଧ୍ୟ ମନ୍ଦିର ପରି ଦେଖାଯାଏ । ନଗରବାସୀଙ୍କ ସକାଳ ରାମଙ୍କ ଭଜନରୁ ଆରମ୍ଭ ହୁଏ । ଅଯୋଧ୍ୟାରେ ରାଘବ ମନ୍ଦିର ଓ ଅମ୍ମାଜୀ ମନ୍ଦିର ହେଉଛି ଏମିତି ଦୁଇଟି ମନ୍ଦିର ଯାହାର ଗର୍ଭଗୃହରେ ସନ୍ଧ୍ୟା ହେବା ମାତ୍ରେ ଅନ୍ଧକାର ହୋଇଯାଏ । ଏହି ଦୁଇ ମନ୍ଦିରରେ ରାତିରେ ଆଲୁଅ ଜାଳିବା ବ୍ୟବସ୍ଥା କରାଯାଇ ନାହିଁ । ରାମଲଲାଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଅନେକ ଲୋକ ଏଠାକୁ ଆସନ୍ତି କିନ୍ତୁ ଏହି ମନ୍ଦିର ବିଷୟରେ ଖୁବ କମ ଲୋକ ଜାଣନ୍ତି । ଏଠାରେ ଦକ୍ଷିଣ ଭାରତୀୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । କିନ୍ତୁ ଏଠାକାର ପରମ୍ପରା ଅନୁଯାୟୀ ସନ୍ଧ୍ୟା ହେଲେ ଏହାର ଗର୍ଭଗୃହରେ ଆଲୋକ ଜାଳିବା ମନା ।
ଅମ୍ମାଜୀ ମନ୍ଦିରର ପୂଜାରୀ କହନ୍ତି ଯେ, ଏହି ମନ୍ଦିର 100 ବର୍ଷ ପୂର୍ବେ ଅଯୋଧ୍ୟାରେ ସ୍ଥାପିତ ହୋଇଥିଲା । ମନ୍ଦିରର ଗର୍ଭଗୃହରେ ସ୍ଥାପିତ ଭଗବାନଙ୍କୁ ଗର୍ଭସ୍ଥ ଶିଶୁ ବୋଲି ମନେ କରାଯାଏ । ଯେପରି ଗର୍ଭସ୍ଥ ଶିଶୁ ଉପରେ ବାହାରର ଆଲୁଅ ପଡ଼ିଲେ ତାହା କ୍ଷତିକାରକ ହୋଇଥାଏ ଠିକ ସେହିପରି ଏଠାରେ ମଧ୍ୟ ଭଗବାନଙ୍କ ଉପରେ ଆଲୋକ ପଡ଼ିବା ମନା । ଭେଙ୍କଟାଚାର୍ଯ୍ୟ ସ୍ବାମୀ ଆହୁରି ମଧ୍ୟ କହିଛନ୍ତି ଯେ ଦକ୍ଷିଣ ଭାରତରେ ମଧ୍ୟ ଏମିତି ମନ୍ଦିର ମାନଙ୍କରେ ଏଭଳି ପରମ୍ପରା ରହିଛି ।
ଅଯୋଧ୍ୟାରେ ଏମିତି ମନ୍ଦିର, ଯାହାର ଗର୍ଭ ଗୃହରେ ଘନ ଅନ୍ଧାର - ରାଘବ ମନ୍ଦିର
ଅଯୋଧ୍ୟାରେ ଏମିତି ଦୁଇଟି ମନ୍ଦିର ଅଛି ଯାହାର ଗର୍ଭଗୃହରେ କେବେ ବି ବିଦ୍ୟୁତ ଆଲୁଅ ଲଗାଯାଏ ନାହିଁ । ତେବେ କାହିଁକି ଏପରି ହୁଏ, କଣ ରହିଛି ଏହା ପଛରେ କାରଣ, ଜାଣନ୍ତୁ ଏହି ମନ୍ଦିର ବିଷୟରେ କିଛି ଅଜଣା କଥା ।
![ଅଯୋଧ୍ୟାରେ ଏମିତି ମନ୍ଦିର, ଯାହାର ଗର୍ଭ ଗୃହରେ ଘନ ଅନ୍ଧାର ଅଯୋଧ୍ୟାରେ ଏମିତି ମନ୍ଦିର, ଯାହାର ଗର୍ଭ ଗୃହରେ ଘନ ଅନ୍ଧାର](https://etvbharatimages.akamaized.net/etvbharat/prod-images/768-512-8242134-thumbnail-3x2-ayodya.jpg)
ଅଯୋଧ୍ୟାରେ ଏମିତି ମନ୍ଦିର, ଯାହାର ଗର୍ଭ ଗୃହରେ ଘନ ଅନ୍ଧାର
ଅଯୋଧ୍ୟାରେ ଏମିତି ମନ୍ଦିର, ଯାହାର ଗର୍ଭ ଗୃହରେ ଘନ ଅନ୍ଧାର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Aug 2, 2020, 1:44 PM IST