ହାଇଦ୍ରାବାଦ: ବର୍ତ୍ତମାନ ଯଦି ବିଶ୍ବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିପାରିଛି ତେବେ ଏହା ପଛରେ ଏକ ପ୍ରମୁଖ ଭୂମିକା ବହନ କରିଛି ଦୂରସଞ୍ଚାର ଓ ସୂଚନା ପ୍ରଯୁକ୍ତିବିଦ୍ୟା । ପ୍ରତିବର୍ଷ ମେ ମାସ 17 ତାରିଖକୁ ବିଶ୍ବ ଦୂରସଞ୍ଚାର ଓ ସୂଚନା ସମାଜ ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ଏହାର ବିଷୟବସ୍ତୁ ରହିଛି ‘କନେକ୍ଟ 2030: ଆଇସିଟି ଫର ସସ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ସ (ଏସଡିଜିଏସ)’ । ତେବେ ଚାଲନ୍ତୁ ଜାଣିବା କୋଭିଡ-19 ସମୟରେ ଟେଲିକମ ଇଣ୍ଡଷ୍ଟ୍ରିର କ’ଣ ରହିଛି ଭୂମିକା -
ଲକଡାଉନ ସମୟରେ ଲୋକଙ୍କର ବଢିଛି ଇଣ୍ଟରନେଟ ବ୍ୟବହାରର ପରିମାଣ । ସେ ଭିଡିଓ କଲ ହେଉ ବା ୱାର୍କ ଫ୍ରମ ହୋମ କିମ୍ବା ଯେକୌଣସି ଡିଜିଟାଲ ପ୍ଲାଟଫର୍ମରେ ପ୍ରୋଗ୍ରାମ ଦେଖିବା ହେଉ, ପ୍ରତିଟି ସମୟରେ ନିରବଚ୍ଛିନ୍ନ ସେବା ଯୋଗାଇଛି ଟେଲିକମ ପ୍ଲେୟାର୍ସ ବା ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର । ଯାହା ଅବିରତ ନିଜ କାର୍ଯ୍ୟ ସମ୍ପାଦନ କରି ବିଶ୍ବବାସୀଙ୍କ ବ୍ୟବହାର ପାଇଁ ଡାଟାର ମାତ୍ରା ବଢାଇବାରେ ସାହାଯ୍ୟ କରିଛି । ଏଥିପାଇଁ ବିଭିନ୍ନ ଷ୍ଟ୍ରିମିଂ ପ୍ଲାଟଫର୍ମ ନିଜର ରିଜୋଲ୍ୟୁସନ ହାର କମାଇବା ସହ ଲୋକେ ବ୍ରୋଡବ୍ୟାଣ୍ଡରେ ସ୍ଥାୟୀ ସ୍ପିଡ ପାଇପାରୁଛନ୍ତି ।
2020 ମସିହାରେ କୋଭିଡ-19 ସଂକ୍ରମଣ ଦ୍ବାରା କିପରି ପ୍ରଭାବିତ ହୋଇଛି କନେକ୍ଟିଭିଟି ଓ ଟେକ ଇଣ୍ଡଷ୍ଟ୍ରି :
- କୋରୋନା ସଂକ୍ରମଣର ସବୁଠାରୁ ବଡ ଓ ସ୍ପଷ୍ଟ ପ୍ରଭାବ ହେଉଛି ସପ୍ଲାଏ ବା ଯୋଗାଣ ଚେନରେ ପ୍ରତିବନ୍ଧକ ସୃଷ୍ଟି ।
- ଚଳିତବର୍ଷ ଏହି କୋରୋନା ସଂକ୍ରମଣ ଓ ଲକଡାଉନ ପାଇଁ ନିର୍ଦ୍ଧାରିତ ଅନେକ ଟେକ ଇଭେଣ୍ଟ ବାତିଲ ହୋଇଛି । ଯାହା ଅନେକ ସୁଯୋଗ ନଷ୍ଟ କରିଥିବା ବେଳେ କିଛିଟା ଇଭେଣ୍ଟ ଅନଲାଇନ ସମ୍ପାଦନ ହୋଇଥିଲା । ହେଲେ ତାହାର ସେତେଟା ପ୍ରଭାବ ପଡିପାରିଲା ନାହିଁ ।
- ବର୍ତ୍ତମାନ ସମୟରେ ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଗାଯୋଗ ଜରୁରୀ ହୋଇ ପଡିଥିବାରୁ 5ଜି ଟେକ୍ନୋଲୋଜିର ଆବଶ୍ୟକତା ସମସ୍ତେ ହୃଦବୋଧ କରିପାରିଛନ୍ତି ।
- କୋରୋନା ଭୂତାଣୁ ଉଦ୍ୟୋଗଗୁଡିକରେ ଅନେକ ସମ୍ଭାବ୍ୟ ବାସ୍ତବତାକୁ ଆଲୋକପାତ କରିଛି । ଯାହା ସେମାନଙ୍କ ପ୍ରଯୁକ୍ତିବିଦ୍ୟାକୁ ଅଧିକ ଶାଣିତ କରିବା ପାଇଁ ଏକ ଆଭାସ ସୃଷ୍ଟି କରିଛି ।
- ବିପତ୍ତି ନିୟନ୍ତ୍ରଣରେ ଟେକ୍ନୋଲୋଜି ସବୁବେଳେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ତେଣୁ ଅଧିକରୁ ଅଧିକ ସ୍ମାର୍ଟ ସିଟି ସ୍ଥାପନର ଲକ୍ଷ୍ୟ ସୃଷ୍ଟି କରିଛି କୋରୋନା ଭୂତାଣୁ ।
ଲକଡାଉନ କଟକଣାର ପ୍ରଭାବ:
କୋରୋନା ଜନିକ ଲକଡାଉନ ଅନେକ କ୍ଷେତ୍ରକୁ ଦେଇଛି ଶିକ୍ଷଣୀୟ ଅନୁଭୂତି । ସମାନ ଭାବେ ଟେଲିକମ କ୍ଷେତ୍ରରେ ଲୋକଙ୍କ ଆବଶ୍ୟକତାକୁ ଖରାପରୁ ଖରାପ ପରିସ୍ଥିତିରେ ବି ପୂରା କରିବାର ଲକ୍ଷ୍ୟ ସେଟ କରିଛି ଏହି ଲକଡାଉନ । ଜରୁରୀ ସେବା ପାଇଁ ବ୍ରୋଡବ୍ୟାଣ୍ଡ ଯୋଗାଇବାକୁ ଯାଇ ଅନେକ ଷ୍ଟ୍ରିମିଂ ପ୍ଲାଟଫର୍ମ ଭିଡିଓ କ୍ବାଲିଟି ହ୍ରାସ କରିଛନ୍ତି । ସେପଟେ ଅପରେଟରମାନେ ୟୁଜର୍ସଙ୍କ ପାଇଁ ଡାଟା ବ୍ୟବହାରର ସୀମା ବଢାଇବା ସହ ବ୍ରୋଡବ୍ୟାଣ୍ଡର ସ୍ପିଡ ମଧ୍ୟ ବଢାଇଛନ୍ତି । ଏଥିସହ ନିଜ ନେଟୱାର୍କକୁ ସଶକ୍ତ କରିବା ପାଇଁ ମଧ୍ୟ ଅପରେଟରମାନେ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।
ବର୍ତ୍ତମାନ ସମୟରେ କାଲିକୁ ନେଇ ପ୍ରଶ୍ନବାଚୀ ଉଠିଥିବା ବେଳେ ଟେଲିକମ୍ୟୁନିକେସନ ବା ଦୂରସଞ୍ଚାର ଏକ ଲାଇଫଲାଇନ ପରି ଉଭା ହୋଇଛି । ସାରା ବିଶ୍ବ ଏହା ଉପରେ ନିଜ ବ୍ୟାଙ୍କ କାମ, ଇକମର୍ସ ଓ ଅନ୍ୟ ପବ୍ଲିକ ସର୍ଭିସ ପାଇଁ ନିର୍ଭରଶୀଳ ।
ହାର୍ଡୱେୟାର ଉତ୍ପାଦନ ଓ ଅନ୍ୟ ସିଷ୍ଟମ ଉପରେ ପ୍ରଭାବ:
ଲକଡାଉନ ପାଇଁ ସାରା ବିଶ୍ବରେ ଯୋଗାଣ ବ୍ୟବସ୍ଥା ଥମି ଯାଇଥିବାରୁ ହ୍ୟାଣ୍ଡସେଟ ଓ ନେଟୱାର୍କ ଉପକରଣ ଉତ୍ପାଦନରେ ସହିବାକୁ ପଡିଛି ଅନେକ କ୍ଷତି । ଫଳ ସ୍ବରୂପ ଆଗକୁ ଲୋକେ ଏହି ସବୁ ଦ୍ରବ୍ୟର ଦରଦାମ ବୃଦ୍ଧି କିମ୍ବା ବଜାରରେ ଏହାର ଅଭାବ ଦେଖିବାକୁ ପାଇବେ । ଏନେଇ ମେ 1ତାରିଖରେ ଏମଏଚଏ ନିର୍ଦ୍ଦେଶ ମୁତାବକ ରେଡ ଜୋନରେ ମଧ୍ୟ ଉତ୍ପାଦନ ଆରମ୍ଭ ହୋଇଛି । କେବଳ କଣ୍ଟେନମେଣ୍ଟ ଜୋନକୁ ବାଦ ଦେଇ ଅନ୍ୟ ଅଞ୍ଚଳରେ ଉତ୍ପାଦନ କାର୍ଯ୍ୟ ସ୍ବାଭାବିକ ହେବା ଆରମ୍ଭ କରିଛି ।
ସେପଟେ ଇଣ୍ଡିଆନ ସେଲ୍ୟୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନର ସୂଚନା ମୁତାବକ ଉତ୍ପାଦନ ବନ୍ଦ ଯୋଗୁଁ କମ୍ପାନୀଗୁଡିକୁ 15,000କୋଟିର କ୍ଷତି ସହିବାକୁ ପଡିଛି । ଏହାକୁ ସୁଧାରିବା ପାଇଁ ଟ୍ୟାକ୍ସରେ ରିହାତି କରିବା ସହ ଅର୍ଥନୈତିକ ସହାୟତାର ଆବଶ୍ୟକତା ଥିବା ମାର୍କେଟ ଆନାଲିଷ୍ଟ ପ୍ରସ୍ତାବ ଦେଇଛନ୍ତି ।