ନୂଆଦିଲ୍ଲୀ: ଦିଲ୍ଲୀର ଆନ୍ଧ୍ରଭବନ ଆଗରେ ଦିନିକିଆ ଉପବାସରେ ବସି ଧର୍ମ ପୋରତ ଦୀକ୍ଷା ପାଳନ କରୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସ୍ପେଶାଲ ଷ୍ଟାଟସ ମାନ୍ୟତା ଦାବିରେ କେନ୍ଦ୍ରର ଆଭିମୁଖ୍ୟକୁ ବିରୋଧ କରି ଦିନିକିଆ ଉପବାସରେ ବସି ପ୍ରତିବାଦ କରୁଛନ୍ତି ।
ଏହି ଧାରଣାରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ତାଙ୍କର ସହଯୋଗୀ ମନ୍ତ୍ରୀ, ସାଂସଦ, ବିଧାୟକ, ଟିଡିପିର ଛାତ୍ର ସଂଗଠନ ଇତ୍ୟାଦି ଯୋଗ ଦେଇଛନ୍ତି । ଏହି ଧାରଣାରେ ଯୋଗ ଦେବାପାଇଁ ଆନ୍ଧ୍ରସରକାରଙ୍କ ପକ୍ଷରୁ 2ଟି ସ୍ବତନ୍ତ୍ର ଟ୍ରେନ ବୁକ୍ କରାଯାଇଥିଲା ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନାଇଡୁ । ବ୍ୟକ୍ତିଗତ ଆକ୍ଷେପରୁ ଦୁରେଇ ରହିବା ପାଇଁ ମୋଦିଙ୍କୁ ଚେତାବନୀ ଦେଇଛନ୍ତି । ନହେଲେ ଆଗାମୀ ଦିନରେ ସେ ମଧ୍ୟ ଜୋରଦାର ଆକ୍ଷେପ କରିବେ ବୋଲି କହିଛନ୍ତି ।
ଆନ୍ଧ୍ରପ୍ରଦେଶ କିଭଳି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପାଇବ ତାହା ଆନ୍ଧ୍ରବାସୀଙ୍କୁ ଜଣା । ଆମ ସ୍ବାଭିମାନ ଉପରେ ଆକ୍ଷେପ ହେଲେ ଆମେ କେବେ ପଛଘୁଞ୍ଚା ଦେବୁନି ବୋଲି ଚେତାବନୀ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।
ସୂଚନା ରହିଛି କି ଗତକାଲି(ଫେବୃଆରୀ 10)ରେ ଆନ୍ଧ୍ରପ୍ରଦେଶର ଏକ ରାଲିରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆକ୍ଷେପ କରିଥିଲେ । ଯେଉଁଥିରେ ସେ କହିଥିଲେ ତାଙ୍କ ପୁଅ ପାଇଁ ନାଇଡୁ ରାଜନୀତି କରୁଛନ୍ତି ଆନ୍ଧ୍ରବାସୀଙ୍କ ପାଇଁ ନୁହେଁ । ଏହାପରେ ନାଇଡୁ ମୋଦିଙ୍କ ସ୍ତ୍ରୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।
ଏହି ଧାରଣାରେ ବିଜେପି ବିରୋଧୀ ଦଳମାନେ ଯୋଗଦେବେ ବୋଲି ସୂଚନା ରହିଛି । ଆସନ୍ତାକାଲି ଏହି ପ୍ରସଙ୍ଗରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେବେ ଚନ୍ଦ୍ରବାବୁ ନାଇଡୁ ।