କୋଲକାତା: ସନ୍ଦିଗ୍ଧ ଆତଙ୍କବାଦୀ ତାନିଆ ପ୍ରବୀଣଙ୍କୁ କୋଲକାତାରେ ହେପାଜତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ତାନିଆଙ୍କୁ କୋଲକାତା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଟିମ(ଏସଟିଏଫ) ଗିରଫ କରିଥିଲା । ସେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ସହ ଜଡି଼ତ ଥିବା ଜଣାପଡିଛି । ତେବେ ସେ ପାକିସ୍ତାନର ହ୍ବାଟ୍ସଆପ ନମ୍ବର ବ୍ୟବହାର କରୁଥିଲେ ଏବଂ ପାକିସ୍ତାନର କେତେକ ହ୍ବାଟ୍ସଆପ ଗ୍ରୁପରେ ସାମିଲ ଥିଲେ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି ।
ସୂଚନା ମୁତାବକ, ତାନିଆଙ୍କୁ ଏସଟିଏଫ ପଶ୍ଚିମବଙ୍ଗର ଉତ୍ତର ପରାଗନା ଜିଲ୍ଲାର ବାଦୁରିଆ ଅଞ୍ଚଳରୁ ମାର୍ଚ୍ଚ 18 ତାରିଖରେ ଗିରଫ କରିଥିଲା । ତାନିଆଙ୍କ ନିକଟରୁ ଗୋଟିଏ ଲାପଟପ, ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଥିଲା । ସେ ଆତଙ୍କବାଦୀ ସଂଗଠନ ଲସ୍କର ପାଇଁ ଯୁବକଙ୍କୁ ସାମିଲ କରିବାଠାରୁ ଆରମ୍ଭ କରି ସେନା ସୁରକ୍ଷା ସହ ଜଡିତ ଯବାନଙ୍କୁ ନିଜ ଜାଲରେ ଫସାଇ ହନି ଟ୍ରାପ ଜରିଆରେ ଭାରତୀୟ ସେନାର ଖବର ଆତଙ୍କବାଦୀଙ୍କୁ ପଠାଉଥିବା ତଦନ୍ତରୁ ଜଣାପଡିଥିଲା ।