ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଏବେ ତାମିଲନାଡୁରେ ଦ୍ରାବିଡ ମୁନେତ୍ର କାଜଗହମ (ଡିଏମକେ) ଅଧ୍ୟକ୍ଷ ଏମେକେ ଷ୍ଟାଲିନଙ୍କ ବିଜୟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ । ଆସନ୍ତା ବର୍ଷ 2021ରେ ତାମିଲନାଡୁ ବିଧାନସଭା ନିର୍ବାଚନ । ଏହାର ଅବ୍ୟବାହିତ ପୂର୍ବରୁ ପାଖାପାଖି 1ଦଶନ୍ଧି ଧରି ବିରୋଧୀ ଆସନରେ ବସିଥିବା ଡିଏମକେ ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆନ ପଲଟିକାଲ ଆକ୍ସନ କମିଟି(I-PAC)ସହ ଚୁକ୍ତିବଦ୍ଧ ରହିବା ଘୋଷଣା କରିଛନ୍ତି ।
ଡିଏମକେ ପ୍ରମୁଖ ଷ୍ଟାଲିନ ଟ୍ବିଟ କରି ବିଧିବଦ୍ଧ ଭାବେ ଏନେଇ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ଯେ, ଏଭଳି ଖବର ଘୋଷଣା କରିବା ଅତ୍ୟନ୍ତ ଖୁସି କଲା ଭଳି । ତାମିଲନାଡୁରେ ଅନେକ ପ୍ରତିଭାଶାଳୀ ଓ ବୈଚାରିକ ସମାନତା ପରିପୂର୍ଣ୍ଣ ଯୁବକ । I-PAC ବ୍ୟାନର ତଳେ 2021ବିଧାନସଭାରେ ନିର୍ବାଚନ ଡିଏମକେ ସହ ହାତ ମିଳାଇ କାମ କରିବେ । ତାମିଲନାଡୁର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ପ୍ରଶାନ୍ତଙ୍କ ରଣନୀତି ବିଶେଷ ସହାୟକ ହେବ ।
ଫଟୋ ସୌଜନ୍ୟ: ଟ୍ବିଟର@IndianPAC ଏହାର ଜବାବରେ I-PAC ଟ୍ବିଟ କରି ଷ୍ଟାଲିନଙ୍କୁ ଧନ୍ୟବାଦ ଦେଇଛି । ଆଇ-ପ୍ୟାକ ଟିମ ତାମିଲନାଡୁରେ ଡିଏମକେ ସହ କାମ କରିବା ପାଇଁ ଉତ୍ସାହିତ ରହିଛି । 2021ରେ ଡିଏମକେ ବିଜୟ ସୁନିଶ୍ଚିତ କରିବା ପାଇଁ ଆଇ-ପ୍ୟାକ କାମ କରିବ ବୋଲି ଟ୍ବିଟରେ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ପ୍ରଶାନ୍ତ କିଶୋରଙ୍କ ଆଇ-ପ୍ୟାକ 2014 ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କାମ କରିଥିଲା । ଏହା ପରେ ବିହାରରେ ଜେଡିୟୁ, ପଞ୍ଜାବ ଓ ୟୁପିରେ କଂଗ୍ରେସ, ଆନ୍ଧପ୍ରଦେଶରେ ୱାଇଏସଆର କଂଗ୍ରେସ ପାଇଁ କାମ କରିଛି । ଆଇ-ପ୍ୟାକ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ପାଇଁ କାମ କରୁଛି । ଏହାସହ ଆଗାମୀ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିଏମସି ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବ ।
ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ଜନତା ଦଳ ୟୁନାଇଟେଡ୍ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ଦଳ ବିରୋଧି କାର୍ଯ୍ୟ ପାଇଁ ପାର୍ଟି ଉପସଭାପତି ପ୍ରଶାନ୍ତ କିଶୋର ଓ ସାଧାରଣ ସମ୍ପାଦକ ପୱନ୍ କୁମାରଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।