ଚେନ୍ନାଇ: ଦିଲ୍ଲୀ ନିଜାମୁଦ୍ଦିନର ମର୍କାଜ ଦ୍ବାରା ସମସ୍ତ ରାଜ୍ୟ କେତେ ପ୍ରଭାବିତ ହୋଇଛନ୍ତି ତାହା ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ଜଣାପଡୁଛି । ପ୍ରାୟ ଅଧିକାଂଶ ରାଜ୍ୟରେ ଏହି ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ବିଶେଷ କରି ତବଲିଗୀ ଫେରନ୍ତା ସାମନାକୁ ଆସିବା ପରେ ସମସ୍ତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ଘଟିଛି ।
ଦିଲ୍ଲୀ, ମହାରାଷ୍ଟ୍ର ସହ ତାମିଲନାଡୁ ଏହି ତବଲିଗୀ ଫେରନ୍ତାଙ୍କ ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଦିଲ୍ଲୀ ନିଜାମୁଦ୍ଦିନର ଧାର୍ମିକ ସମାବେଶରେ ଯୋଗ ଦେଇଥିବା ଜଣାପଡିଛି । ମୋଟ 690 କୋରୋନା ପଜିଟିଭଙ୍କ ଭିତରୁ 636 ଏହି ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ସଚିବ ବୀଲା ରାଜେଶ କହିଛନ୍ତି । ମାତ୍ର 54 ଜଣ ଅନ୍ୟ ଉପାୟରେ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏହି ସଂଖ୍ୟା ପ୍ରଥମେ ସୀମିତ ଥିବାବେଳେ ପରବର୍ତ୍ତୀ ସମୟରେ ମର୍କାଜ ଫେରନ୍ତାଙ୍କ ଯୋଗୁଁ ବଢିଛି ବୋଲି ସେ ସୂଚନା ଦେଇଛନ୍ତି ।