ନୂଆଦିଲ୍ଲୀ: 1952 ମସିହା ଡିସେମ୍ବର 28 ତାରିଖରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଅରୁଣ ଜେଟଲୀ । ସେ ଏକାଧାରରେ ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ ଏବଂ ରାଜନୀତିଜ୍ଞ ଥିଲେ । ତାଙ୍କର ରାଜନୈତିକ କ୍ୟାରିୟର ନିର୍ବିବାଦୀୟ ଥିଲା । 2014 ମସିହାରେ ସେ ମୋଦି ସରକାରର କ୍ୟାବିନେଟରେ ସାମିଲ ହୋଇଥିଲେ ।
ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପାଠ ପଢିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ଥିଲେ । ପରେ ସେ ଆରଏସଏସରେ ମଧ୍ୟ ସାମିଲ ହେଲେ । 1974 ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳର ଛାତ୍ର ସଂସଦ ସଭାପତି ଭାବେ ଜେଟଲୀ ନିର୍ବାଚିତ ହୋଇଥିଲେ । ଏହା ପରଠାରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରା । 1975 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହା ବିରୋଧରେ ସେ ସ୍ବର ଉଠାଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ସେ 19 ମାସ ଜେଲରେ ବିତାଇଥିଲେ । ସେ 1980 ମସିହାରେ ବିଜେପିରେ ଯୋଗ ଦେଇଥିଲେ ।
2002 ମସିହାରେ ଅରୁଣ ଜେଟଲୀ ପେପସି କମ୍ପାନୀର ଆଇନଜୀବୀ ଭାବେ କୋକା କୋଲା କମ୍ପାନୀ ବିରୋଧରେ ସୁପ୍ରିମ କୋର୍ଟରେ ମାମଲା ଲଢିଥିଲେ । ପରେ 2009 ପରଠାରୁ ସେ ଆଉ ଓକିଲାତି କରିନଥିଲେ । ସେ କ୍ରିକେଟ ଜଗତରେ ମଧ୍ୟ ନିଜକୁ ସାମିଲ କରିଥିଲେ । ବିବିସିଆଇର ଉପାଧ୍ୟକ୍ଷ ଭାବେ ସେ ଯୋଗ ଦେଇଥିଲେ । କିନ୍ତୁ ପରେ ଆଇପିଏଲର ସ୍ପଷ୍ଟ-ଫିକ୍ସିଂ ଦୁର୍ନୀତି ହେବା ପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ସେ 1999 ରୁ 2004 ମଧ୍ୟରେ ବିଜେପିର ନେତୃତ୍ବାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲିଏନ୍ସ (ଏନଡିଏ) ମେଣ୍ଟ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ପଦରେ କାର୍ଯ୍ୟନିର୍ବାହ କରିଥିଲେ । ସେଥିମଧ୍ୟରୁ ଆଇନ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ । 2014 ନିର୍ବାଚନ ପରେ ଜେଟଲୀ ବିଜେପର ସାଧାରଣ ସଚିବ ଭାବେ ନିଯୁକ୍ତ ହୋଇଥିଲେ ।