ମେରଟ: ଗୋଟିଏ ପଟେ ସାରା ବିଶ୍ବରେ କୋରୋନା ଭାଇରସ୍ ଭୟ ଜାରି ରହିଛି । ପ୍ରାଣଘାତକ କୋରୋନା ଭାରତରେ ପ୍ରଭାବହୀନ ରହିଛି । ମାତ୍ର ଭାରତରେ ଏବେ ସ୍ବାଇନ ଫ୍ଲୁର ଆତଙ୍କ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶରେ ସ୍ବାଇନ୍ ଫ୍ଲୁର ପ୍ରକୋପ ବଢିବାରେ ଲାଗିଛି । ଏହି ଭାଇରସରେ ଏବେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 6 ଜଣ କେବଳ ମେରଟ ଜିିଲ୍ଲାର ବୋଲି ସୂଚନା ରହିଛି । ଏତ୍ଦ ବ୍ୟତୀତ ବିଗତ 48ଘଣ୍ଟା ମଧ୍ୟରେ ରାଜ୍ୟର 17ଜଣ ପିଏସି ଯବାନ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।
ମେରଟ ମୁଖ୍ୟ ଚିକିତ୍ସା ଅଧିକାରୀ ରାଜ କୁମାରଙ୍କ କହିବା ମୁତାବକ, ଲାଲା ଲଜପତ ରାୟ ମେମୋରିଆଲ ମେଡିକାଲ କଲେଜ (ଏଲଏଲଆରଏମଏସପସି) ରେ ଭର୍ତ୍ତି ହୋଇଥିବା ଷଷ୍ଠ ବାଟାଲିୟନର 27 ଜଣ PAC ଯବାନଙ୍କ ମଧ୍ୟରୁ 17 ଜଣଙ୍କ ଠାରେ ସ୍ବାଇନ୍ ଫ୍ଲୁ ଜନିତ ଲକ୍ଷଣ ପ୍ରକାଶ ପାଇଛି । ରିପୋର୍ଟରେ ଯବାନଙ୍କୁ ଜ୍ବର, ଥଣ୍ଡା, କାଶ ତଥା ଅନ୍ୟାନ୍ୟ ସ୍ବାଇନ୍ ଫ୍ଳୁର ପଜିଟିଭ ଲକ୍ଷଣ ଦେଖାଯାଇଛି । ଫଳରେ ବାଟାଲିୟନର ପ୍ରାୟ 370 କର୍ମଚାରୀଙ୍କୁ ଟାମିଫ୍ଲୁ ବଟିକା ଦିଆଯାଇଛି । ଏହାସହ ଏହି ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ସମସ୍ତଙ୍କୁ କ୍ୟାମ୍ପସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମେରଟ ଜିଲ୍ଲାର ଏହି ସଂଖ୍ୟାକୁ ମିଶାଇ ସ୍ବାଇନ୍ ଫ୍ଲୁ ସଂକ୍ରମଣ ରିପୋର୍ଟ 71କୁ ବୃଦ୍ଧି ପାଇଛି ।