ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ ଦେଇଥିବା ବିବାଦୀୟ ବୟାନର ଜବାବ ଦେବାକୁ ଯାଇ ମୁହଁ ଖୋଲିଛନ୍ତି ପୂର୍ବ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଗତ ଶୁକ୍ରବାର ସେ ଏନେଇ ଏକ ଟ୍ୱିଟ କରି କହିଛନ୍ତି, ଆଜମ ଖାନଙ୍କ ଦ୍ୱାରା ବାରମ୍ବାର ଦିଆଯାଉଥିବା ଏପରି ବୟାନ, ପ୍ରମାଣ କରୁଛି ଯେ ସେ ମାନସିକ ବିକାରଗ୍ରସ୍ତ ।
ଆଜମ ଖାନ ମାନସିକ ବିକାରଗ୍ରସ୍ତ: ସୁଷମା ସ୍ୱରାଜ - ସୁଷମା ସ୍ବରାଜଙ୍କ କଡା ଜବାବ
ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ବିଜେପି ସାଂସଦ ରମାଦେବୀଙ୍କ ପ୍ରତି ଦେଇଥିବା ବିବାଦୀୟ ବୟାନକୁ ନେଇ ଶୁକ୍ରବାର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସେ କହିଛନ୍ତି, ଆଜମ ଖାନଙ୍କ ଦ୍ୱାରା ବାରମ୍ବାର ଦିଆଯାଉଥିବା ଏପରି ବୟାନ, ଏହା ପ୍ରମାଣ କରୁଛି ଯେ ସେ ମାନସିକ ବିକାରଗ୍ରସ୍ତ ।
ଏଥିସହ ସେ କହିଛନ୍ତି, ବିଜେପି ସାଂସଦ ରମାଦେବୀଙ୍କ ପ୍ରତି ଦେଇଥିବା ବିବାଦୀୟ ବୟାନ ସବୁ ସୀମା ପାର କରିଦେଇଛି। ଆଜମ ଖାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ କଠୋର ଦଣ୍ଡ ଦିଆଯାଉ । ଏପଟେ ବିଜେପି ସାଂସଦ ରମାଦେବୀ ମଧ୍ୟ ଆଜମଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଆଜମ୍ ଖାନ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ସହ 5 ବର୍ଷ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ରମାଦେବୀ ସରକାର ଏବଂ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ଗତ ଗୁରୁବାର ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁପସ୍ଥିତିରେ ବିଜେପି ସାଂସଦ ରମା ଦେବୀ ଗୃହକାର୍ଯ୍ୟ ପରିଚାଳନା କରୁଥିଲେ । ଟ୍ରିପଲ ତଲାକ ବିଲ୍କୁ ନେଇ ଚାଲିଥିବା ଆଲୋଚନା ସମୟରେ ଆଜମ କହିଥିଲେ, ରମା ଦେବୀ, ଆପଣ ମୋତେ ଏତେ ଭଲ ଲାଗନ୍ତି ଯେ ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚାହେଁ ।