ଲକ୍ଷ୍ନୌ: ଦେଶବାସୀଙ୍କ ଆଖିରେ ଅଶ୍ରୁ । ସୁଷମା ସ୍ବରାଜଙ୍କ ବିୟୋଗରେ ସମସ୍ତେ ହତବାକ । ସେଇଥିପାଇଁ ତ ଦେଶର ପ୍ରଥମ ନାଗରିକଙ୍କ ଭାଷାରେ ଦେଶ ତାର ଅତ୍ୟନ୍ତ ପ୍ରିୟ ଝିଅକୁ ହରାଇଛି । ବ୍ୟକ୍ତିଗତ ଭାବରେ ଅପୂରଣୀୟ କ୍ଷତି କହିଛନ୍ତି ପ୍ରଧାନମନ୍ତ୍ରୀ । ଅସାଧାରଣ ମହିଳା ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଦଳମତ ନିର୍ବିଶେଷରେ ସମସ୍ତେ ମ୍ରିୟମାଣ । ଏବେ ବିଦାୟ ଦେବାର ବେଳ । ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ବିଶିଷ୍ଟ ବ୍ୟକ୍ତି । ନିଆରା ଢଙ୍ଗରେ ନିଜର ପ୍ରିୟ ନେତ୍ରୀଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଉତ୍ତରପ୍ରଦେଶର ଜଣେ କଳାକାର ।
ତୂଳୀରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି - ତୁଳିରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳୀ
ତୂଳୀରେ ଶ୍ରଦ୍ଧାଞ୍ଜଳି । ପ୍ରିୟ ନେତ୍ରୀଙ୍କ ସାହସିକତା, ସଫଳତା, ଆଦର୍ଶକୁ ତୂଳୀ ମାଧ୍ୟମରେ କହିବାକୁ ଚାହିଁଛନ୍ତି ଉତ୍ତରପ୍ରଦେଶର କଳାକାର ।
ତୂଳୀରେ ଶ୍ରଦ୍ଧାଞ୍ଜଳି । ନିଜର ପ୍ରିୟ ନେତ୍ରୀଙ୍କୁ ଆଙ୍କିଛନ୍ତି କଳାକାର ଜଣକ । ସେ ହେଉଛନ୍ତି ଉତ୍ତରପ୍ରଦେଶ ଅମରୋହାର ମୋହମ୍ମଦ ଜୁହେବ । ଯେଉଁ ନେତୃତ୍ବ ତାଙ୍କୁ ପ୍ରଭାବିତ କରିଥିଲା, ଆଜି ସେ ଆରପାରିରେ । ଯେଉଁ ନେତ୍ରୀ ବାସ୍ତବରେ ଲୋକଙ୍କ ସ୍ବର ଥିଲେ, ଆଜି ତାଙ୍କୁ ବିଦାୟ ଦେବାକୁ ପଡୁଛି । ସେହି ନେତ୍ରୀଙ୍କୁ ନିଜ ତୂଳୀରେ ଜୀବନ୍ତ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଜୁହେବ । ମଥାରେ ସେମିତି ଝଟକୁଛି ତାଙ୍କ ସିନ୍ଦୁର ଟିକା । ମୁହଁରେ ପ୍ରଚଣ୍ଡ ଆଭା । ସାହାସିକତା, ଦମ୍ଭର ପ୍ରତିଛବି । ଶରୀର ସିନା ତ୍ୟାଗ କରିଛନ୍ତି ସୁଷମା ହେଲେ ତାଙ୍କ ଆଦର୍ଶକୁ ଚୀରଦିନ ପାଇଁ ଦେଶବାସୀ ମନେରଖିବେ, ବୋଧେ ଏମିତି କିଛି ନିଜ ତୂଳୀରେ ଜୁହେବ କହିବାକୁ ଚାହିଁଛନ୍ତି ।