ନୂଆଦିଲ୍ଲୀ: ଧାରା 370 ଓ 35(କ) ଉଚ୍ଛେଦ ଥିଲା ତାଙ୍କ ଜୀବନର ଅନ୍ତିମ ଲକ୍ଷ୍ୟ । ସେଥିପାଇଁ ତ, ଗଲା ବେଳକୁ କହିଗଲେ ଏହା ହିଁ ଥିଲା ତାଙ୍କର ସ୍ୱପ୍ନ । ଏହି ଦିନକୁ ଦେଖିବାକୁ ଯେମିତି ସେ, ଅପେକ୍ଷା କରିଥିଲେ ସାରା ଜୀବନ । ଏ ହେଉଛନ୍ତି ସେହି ମହିୟସୀ ମହିଳା ସୁଷମା ସ୍ୱରାଜ । ପୂର୍ବତନ ବୈଦେଶିକ ମନ୍ତ୍ରୀ । ସ୍ୱରାଜଙ୍କ ଜୀବନ କେବଳ ସଫଳ ତାହା ଯେ ସେ ପ୍ରମାଣିତ କରିଦେଇଛନ୍ତି ।
ଗୋଟିଏପଟେ ସାରା ଦେଶ କାଶ୍ମୀରକୁ ନେଇ ଖୁସି ମନାଉଥିବା ବେଳେ, ଅନ୍ୟପଟେ ଏହି ଦିନକୁ ପାଇ ଇହତ୍ୟାଗ କରିଛନ୍ତି ସୁଷମା ସ୍ୱରାଜ । ଆନନ୍ଦ ଓ ଅଶ୍ରୁର ଏ କି ମିଳନ ତାହା ବୁଝିବା ତ ଭାରି କଷ୍ଟ । କିନ୍ତୁ ଦେଶ ପାଇଁ ଅତୁଳୀୟ ବଳିଦାନ ତାଙ୍କ ଆଗରେ ମୁଣ୍ଡ ନୁଆଁଇଛି । ବିଫଳତା କଣ ବା ସେହି ଶବ୍ଦ ବୋଧେ କେବେ ଶୁଣିନଥିବେ ସୁଷମା । କାରଣ ତାଙ୍କର ଦୃଢ ମନୋବଳ ଓ ପ୍ରଚେଷ୍ଟା ତାଙ୍କୁ ଅପୂର୍ବ ସଫଳତା ଦେଇଯାଇଛି । 14 ଫେବୃଆରୀ 1953ରେ ହରିୟାଣାର ଆମ୍ବାଲରେ ସେ ଜନ୍ମ ଗ୍ରହଣ କରନ୍ତି । ଏହା ପରେ ଆରମ୍ଭ ହୁଏ ତାଙ୍କ ଜୀବନର ଯାତ୍ରା ।
ଅମ୍ବାଲାର ସନ୍ତାନ କଲେଜରେ ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସ୍ନାତକ ଶେଷ କରିବା ପରେ ପଞ୍ଜାବ ୟୁନିଭର୍ସିଟି, ଚଣ୍ଡୀଗଡ଼ରେ ଆଇନଜୀବୀ ଅଧ୍ୟୟନ କରିଥିଲେ । ଆଉ ଏଠାରୁ ହିଁ ତାଙ୍କର ସଫଳ ଅଭିଯାନ ଆରମ୍ଭ ହୋଇଥିଲା । ଲଗାତାର 3ବର୍ଷ ଧରି ସେ ହିନ୍ଦୀ ପ୍ରବକ୍ତାର ପୁରସ୍କୃତ ହୋଇଥିଲେ । 1973ରେ ସୁପ୍ରିମକୋର୍ଟରେ ଓକିଲ ଭାବେ ନିଜ କ୍ୟାରିୟର ଆରମ୍ଭ ହୋଇଥିଲା ।