ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଜାରି ପ୍ରଦର୍ଶନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାର ସମାଧାନ ପାଇଁ ସର୍ବୋଚ୍ଚ କୋର୍ଟ ଜଣେ ବାର୍ତ୍ତାକାରଙ୍କୁ ନିଯୁକ୍ତ କରିଛନ୍ତି । ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଏବଂ ସାଧନା ରାମଚନ୍ଦ୍ରନଙ୍କୁ ସୁପ୍ରିମକୋର୍ଟ ବାର୍ତ୍ତାକାର ରୂପେ ନିଯୁକ୍ତି ଦେଇଛନ୍ତି । ସେମାନେ ଶାହିନବାଗ ଆନ୍ଦୋଳକାରୀଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କର ସମସ୍ୟା ସମ୍ବନ୍ଧରେ କୋର୍ଟଙ୍କୁ ଅବଗତ କରାଇବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 24 ରେ ହେବ ।
ଅନ୍ୟପକ୍ଷରେ ଏହି ପ୍ରଦର୍ଶନକୁ ନେଇ ଶୁଣାଣି ସମୟରେ କଡା ପ୍ରତିକ୍ରିୟା ରଖିଥିଲେ ସୁପ୍ରିମକୋର୍ଟ । ଲୋକଙ୍କୁ ବିରୋଧ କରିବାର ଅଧିକାର ରହିଛି । ଗଣତନ୍ତ୍ର ସମସ୍ତଙ୍କ ପାଇଁ ରହିଛି । କିନ୍ତୁ ଏଥିପାଇଁ ରାସ୍ତା ବନ୍ଦ କରିବା ଅନୁଚିତ ବୋଲି ଅଦାଲତ କହିଥିଲେ ।