ବେଙ୍ଗାଲୁରୁ: ନୂଆମୋଡ ନେଇଛି କର୍ଣ୍ଣାଟକର ରାଜନୈତିକ ସଙ୍କଟ । କଂଗ୍ରେସ-ଜେଡିଏସ୍ର 15 ବିଦ୍ରୋହୀ ବିଧାୟକଙ୍କ ଯାଚିକା ଉପରେ ବୁଧବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ଏହି ବିଦ୍ରୋହୀ ବିଧାୟକଙ୍କୁ ଆସନ୍ତା 18 ତାରିଖ(ଗୁରୁବାର)ରେ ହେବାକୁ ଥିବା ଆସ୍ଥା ଭୋଟରେ ଭାଗ ନେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି । ଏହା ସହିତ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ନିଷ୍ପତ୍ତି ନିଅନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।
ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି, ବିଧାନସଭା ବାଚସ୍ପତି କେ. ଆର. ରମେଶ କୁମାର ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନିୟମ ଅନୁସାରେ କରନ୍ତୁ । ଏଥିପାଇଁ କୌଣସି ସମୟ ସୀମା ଧାର୍ଯ୍ୟ ନୁହେଁ । ଏହା ସହିତ ବିଦ୍ରୋହୀ ବିଧାୟକଙ୍କ ସପକ୍ଷରେ କୋର୍ଟ କହିଛନ୍ତି, ବିଦ୍ରୋହୀ ବିଧାୟକ ସ୍ବଇଚ୍ଛାରେ ବିଧାନସଭା ଯିବେ । ତାଙ୍କୁ ଏଥିପାଇଁ ବାଧ୍ୟ କରାଯିବ ନାହିଁ ।