ଆଉ କିଛି ସମୟ ପରେ ଆସିବ ଅଯୋଧ୍ୟା ରାୟ; ସାରାଦେଶରେ କଡା ସୁରକ୍ଷା ବ୍ୟବସ୍ଥା - କେନ୍ଦ୍ର ଗୃହ ମନ୍ତ୍ରଣାଳୟ
ଆଉ କିଛି ସମୟ ପରେ ଦେଶର ସବୁଠୁ ବଡ ମାମଲାର ରାୟ ଆସିବ । ଏହି ମାମଲା ଚଳିତ ମାସର କି ଚଳିତ ବର୍ଷର ନୁହେଁ । ଏହା ଦେଶ ସ୍ବାଧିନ ହେବାପରେ ସବୁଠାରୁ ବଡ ମାମଲା । ଯେଉଁ ରାୟକୁ ସାରା ଦେଶ ଅପେକ୍ଷା କରିଛି।
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ, ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ଆଉ କିଛି ସମୟ ପରେ ଚୂଡାନ୍ତ ରାୟ ଆସିବ । 10.30ରେ ସୁପ୍ରିମକୋର୍ଟର 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇବେ । ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବା ସହ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଯୋଧ୍ୟାରେ 144 ଧାରା ଜାରି କରାଯାଇଛି । ଉତ୍ତର ପ୍ରଦେଶ ପୋଲିସ ସମେତ 4ହଜାର ଅର୍ଦ୍ଧସାମରିକ ଯବାନ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି । ଏହାସହ ରାଜ୍ୟର ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବଢାଇ ଦିଆଯାଇଛି । ଡ୍ରୋନ କ୍ୟାମେରା ସାହାଯ୍ୟରେ ସମଗ୍ର ଉତ୍ତର ପ୍ରଦେଶର ସୁରକ୍ଷାକୁ ନଜରରେ ରଖାଯାଇଛି । ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବାକୁ ୟୁପି ପୋଲିସକୁ କ୍ଷମତା ଦିଆଯାଇଛି । ଗୃହମନ୍ତ୍ରଣାଳୟର ସୂଚନା ଅନୁସାରେ ସମସ୍ତ ରାଜ୍ୟର ସୁରକ୍ଷାକୁ ନେଇ ମଧ୍ୟ ଗୃହମନ୍ତ୍ରଣାଳୟ ସ୍ବତନ୍ତ୍ର ପଦକ୍ଷେପ ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ ଯୋଗେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ ଓ ମଧ୍ୟ ପ୍ରଦେଶର ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି।
ସୂଚନାଯୋଗ୍ୟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟାର 2.77 ଏକର ବିବାଦିତ ଜମିର ଶୁଣାଣି କରିଥିଲେ । 2010 ସେପ୍ଟେମ୍ବରରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି 3 ପକ୍ଷ ସୁନି ୱାକଫ ବୋର୍ଡ, ନିର୍ମୋହୀ ଆଖଡା ଏବଂ ରାମଲାଲା ବିରାଜମାନଙ୍କ ମଧ୍ୟରେ ଏହି ବିବାଦିତ ଜମିକୁ ବାଣ୍ଟିଦେଇଥିଲେ । ଏହି ରାୟ ବିରୋଧରେ ସର୍ବୋଚ୍ଚ ଅଦାଲତ ଗତ ଅଗଷ୍ଟ 6ରୁ ନିୟମିତ ଶୁଣାଣି କରି ଅକ୍ଟୋବର 16ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଯାହାର ରାୟ ଆଜି ପ୍ରକାଶ ପାଇବ।
ଅଯୋଧ୍ୟା ମାମଲାକୁ ନେଇ ପ୍ରଥମେ ନିମ୍ନ ଅଦାଲତରେ 5ଥର ମାମଲା ଦାୟର ହୋଇଥିଲା । ପ୍ରଥମ ମାମଲା ଦାୟର କରିଥିଲେ ରାମଲାଲାଙ୍କ ଭକ୍ତ ଗୋପାଳ ସିଂ ବିଶାରଦ । ଏହା 1950ରେ ଦାଏର ହୋଇଥିଲା । ମାମଲାରେ ବିବାଦିତ ସ୍ଥଳରେ ହିନ୍ଦୁଙ୍କୁ ପୂଜାଅର୍ଚ୍ଚନା କରିବା ପାଇଁ ଅନୁମତି ଦେବାକୁ ଦାବି କରି ପ୍ରାର୍ଥନା କରିଥିଲେ ଆବେଦନକାରୀ ଗୋପାଳ ।