ନୂଆଦିଲ୍ଲୀ: ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଏମ ନାଗେଶ୍ବର ରାଓଙ୍କ ନିଯୁକ୍ତକୁ ନେଇ ସୁପ୍ରିମକୋର୍ଟରୁ ବଡ ବୟାନ ଆସିଛି । ନାଗେଶ୍ବର ରାଓ ବହୁଦିନ ଧରି ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ପଦ ରହିଆସୁଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୋର୍ଟ । କୋର୍ଟ କହିଛନ୍ତି ଯେ ଅନ୍ତରୀଣ ନିର୍ଦ୍ଦେଶକଙ୍କୁ ୫-୭ ଦିନରୁ ଅଧିକ ସମୟ ଦିଆଯାଇ ହେବନାହିଁ । ସେ ବହୁ ସମୟ ଧରି ଏହି ପଦରେ ରହି ପାରିବେ ନାହିଁ । ଅନ୍ୟପଟେ ସିବିଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତି ନ ହୋଇପାରିବାରୁ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ସମୟରେ ଆମେ ସିବିଆଇ ନିଯୁକ୍ତିରେ ପାରଦର୍ଶିତାକୁ ନେଇ କୌଣସି ଗାଇଡଲାଇନ ଜାରି କରି ପାରିବୁ ନାହିଁ । ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପରେ କୌଣସି ଅଭିଯୋଗ ଥିଲା ପୁଣିଥରେ କୋର୍ଟ ଆସି ପାରିବେ । କୋର୍ଟ କହିଛନ୍ତି ଯେ ଅନ୍ତରୀଣ ନିର୍ଦ୍ଦେଶକ ପରିବର୍ତ୍ତେ ନିର୍ଦ୍ଦେଶକଙ୍କ ନିଯୁକ୍ତି କରିବା ଉଚିତ ଥିଲା । କେନ୍ଦ୍ର ସରକାରଙ୍କୁ ଜଣାଥିଲା ଜାନୁଆରୀ ୩୧ରେ ସିବିଆଇ ନିର୍ଦ୍ଦେଶକ ଅବସର ନେବେ । ଅନ୍ତରୀଣ ନିର୍ଦ୍ଦେଶକ ରଖିବା କୌଣସି ନିଯୁକ୍ତି ନୁହଁ । ବର୍ତ୍ତମାନ ସମୟରେ ସିବିଆଇ ଭିତରେ ସବୁକିଛି ଠିକ ଚାଲୁ ନାହିଁ ବୋଲି କୋର୍ଟ କହିଛନ୍ତି ।