ନୂଆଦିଲ୍ଲୀ: କୋରୋନା ବିରୋଧ ଲଢେଇରେ ଆଗ ଧାଡିର ଯୋଦ୍ଧା ସାଜି ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମାନେ ଜନସେବା କରୁଛନ୍ତି । ଦିନରାତି ଏକ କରି ଏମାନେ ଏହି ମହାମାରୀର ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଗତ କିଛି ମାସ ହେବ ଏହି ଯୋଦ୍ଧାଙ୍କୁ ସମୟରେ ଦରମା ମିଳୁନଥିବା ଅଭିଯୋଗ ହେଉଛି । ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, କୋରୋନା ବିରୋଧରେ ଲଢୁଥିବା ଏହି ଯୋଦ୍ଧାଙ୍କୁ ଅସନ୍ତୁଷ୍ଟ ରଖି ଆମେ ଏହି ଯୁଦ୍ଧ ଜିତିପାରିବୁନାହିଁ ।
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଗତ 3 ମାସ ଧରି ଦରମା ମିଳିନଥିବାରୁ ଦିଲ୍ଲୀର ଡାକ୍ତରମାନେ ବିକ୍ଷୋଭ କରୁଥିବା ନଜର ଆସୁଛି । ସରକାର ଏସବୁ ମାମଲା ପ୍ରତି ଦୃଷ୍ଟି ଦେବା ଉଚିତ୍ । ଯାହାଫଳରେ ନିଜ ପ୍ରାପ୍ୟ ପାଇବା ପାଇଁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ କୋର୍ଟର ଦ୍ବାରସ୍ଥ ହେବାକୁ ପଡିବନାହିଁ । ସେହିପରି କେନ୍ଦ୍ରକୁ ମେଡିକାଲ୍ ପ୍ରଫେସନାଲଙ୍କ ପ୍ରସଙ୍ଗରେ ଅଧିକ ଚିନ୍ତା କରିବା ଉଚିତ । ଏଥିସହ ଡାକ୍ତରଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗ ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଡାକ୍ତରମାନେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଉପଯୁକ୍ତ ପିପିଇ କିଟ୍ ମିଳୁନାହିଁ । ଏଥିସହ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀମାନେ ହସ୍ପିଟାଲ ନିକଟସ୍ଥ ସ୍ଥାନରେ ସେମାନଙ୍କୁ ରହିବାକୁ ସ୍ଥାନ ଦେବାକୁ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ, ହସ୍ପିଟାଲରେ ଡ୍ୟୁଟି ସରିବା ପରେ ସେମାନେ ନିଜ ଘରକୁ ଫେରିଥାନ୍ତି । ଏହାଦ୍ବାରା ସେମାନଙ୍କ ପରିବାରକୁ ସଂକ୍ରମଣ ହେବାର ଆଶଙ୍କା ରହିଛି ।