ହାଇଦ୍ରାବାଦ: ଗତ 2 ମାସ ତଳେ କର୍ଣ୍ଣାଟକର ମେଣ୍ଟ ସରକାର ଯେଉଁ ଢଙ୍ଗରେ ପତନ ହୋଇ ବିଜେପି ସରକାର ଗଠନ ହେଲା ତାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଏକ ସଭାରେ ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହୁଛନ୍ତିଯେ ମେଣ୍ଟ ସରକାର ଭାଙ୍ଗିବାରେ ମୋର କୌଣସି ଭୂମିକା ନାହିଁ । ସବୁ ଦଳୀୟ ସଭାପତି ଅମିତ ଶାହାଙ୍କ ଯୋଜନା ଅନୁସାରେ ହୋଇଥିଲା । ଆମେ ଯେଉଁ ବିଧାୟକ ଇସ୍ତଫା ଦେଇ ଆମକୁ ସହଯୋଗ କଲେ ତାଙ୍କୁ ଭୁଲିବା ନାହିଁ କି ଅବହେଳା କରିବା ନାହିଁ । ତାଙ୍କ ପାଇଁ ଏହା ସମ୍ଭବ ହେଲା ବୋଲି କହୁଛନ୍ତି । ଯାହାର ଅଡିଓ ଟେପ ଭାଇରାଲ ହୋଇଛି ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଭାଇରାଲ ଅଡିଓ; ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମ କୋର୍ଟ - ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା
ଦଳୀୟ କର୍ମୀଙ୍କ ସହ ଆଲୋଚନା ବେଳର ଏକ ଅଡିଓ ଏବେ ବିଜେପିକୁ କାଠଗଡାକୁ ଟାଣିପାରେ । ଯାହାକୁ ନେଇ ବଢୁଛି ବିବାଦ । ଆଉ ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଫାଇଲ ଫଟୋ
ଏହାକୁ ନେଇ କଂଗ୍ରେସ ଏବେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛି । ଏହାସହ ଏହି ପ୍ରସଙ୍ଗକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛି ଦଳ । ପ୍ରମାଣ ସ୍ବରୂପ ଭାଇରାଲ ହୋଇଥିବା ଅଡିଓ କ୍ଲିପକୁ ମଧ୍ୟ ଦାଖଲ କରାଯାଇଛି । ଏଥିପାଇଁ ଆଜି ଏକ ମାମଲା ଶୁଣାଣି ପାଇଁ ଦାଖଲ ହୋଇଛି ସର୍ବୋଚ୍ଚ କୋର୍ଟରେ । କୋର୍ଟ ମଧ୍ୟ ଏହାର ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଏହାର ଶୁଣାଣି ଆସନ୍ତାକାଲି ହେବ।