ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ କି ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜି ଅପରାହ୍ଣ ୨ ଟାରେ ରାୟ ପ୍ରକାଶ କରିବେ।
ଘଟଣା ଅନୁସାରେ ୨୦୧୦ ମସିହାରେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ଓ ସୁପ୍ରିମକୋର୍ଟ କେନ୍ଦ୍ରୀୟ ଲୋକ ସମ୍ପର୍କ ଅଧିକାରୀ ଦିଲ୍ଲୀ ହାଇକୋର୍ଟ ଓ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ପିଟିସନ ଦାୟର କରିଥିଲେ। ଗତ ଏପ୍ରିଲ ୪ ତାରିଖରେ ସାମ୍ବିଧାନିକ ଖଣ୍ଡପୀଠ ଉକ୍ତ ଆବେଦନର ବିଚାର କରି ରାୟ ସଂରକ୍ଷିତ ରଖିଛନ୍ତି ଯାହା ଆଜି ପ୍ରକାଶ ପାଇବ ।
ସୂଚନା ଯୋଗ୍ୟ ଯେ, ୨୦୧୦ ମସିହା ଜାନୁଆରୀ ୧୦ରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଥିଲେ ଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ଅଟେ। ଏହାସହ ଆହୁରି କହିଥିଲେ ଯେ ନ୍ୟାୟପାଳିକାର ସ୍ବାଧୀନତା ବିଚାରପତିଙ୍କ ସ୍ବାଧୀନତାକୁ ବୁଝାଯାଏ ନାହିଁ । ନ୍ୟାୟପାଳିକାକୁ ବିଚାରପତିଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି। ସେତେବେଳେର ତତ୍କାଳୀନ ଦିଲ୍ଲୀ ହୋଇକୋର୍ଟର ମୁଖ୍ୟ ବିଚାରପତି ଏପି ଶାହା ବିଚାରପତି ବିକ୍ରମଜିତ ସେନ ଓ ବିଚାରପତି ଏସ ମୁରଲୀଧରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଥିଲେ। ସେତେବେଳେ ରାୟକୁ ବିରୋଧ କରି ସୁପ୍ରିମକୋର୍ଟ ପିଟିସନ ଦାୟର କରିଥିଲେ ମଧ୍ୟ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ଅଧିକାରୀ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।
ନ୍ୟାୟପାଳିକାରେ ସ୍ବଚ୍ଛତା ଆଣିବା ଲାଗି ସୂଚନା ଅଧିକାରୀ କର୍ମୀ ଏସସି ଅଗ୍ରୱାଲ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ପରିସରଭୁକ୍ତ କରିବା ଲାଗି ପିଟିସନ ଦାୟର କରିଥିଲେ। ଏହି ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଯାହା ଆଜି ପ୍ରକାଶ ପାଇବାକୁ ଯାଉଛି ।