ଦେଶର ପ୍ରାୟ ପାଞ୍ଚ କୋଟି ପରିବାର ଚିନି ଉତ୍ପାଦନ କ୍ଷେତ୍ର ଉପରେ ନିର୍ଭର କରନ୍ତି । ଅଥଚ, ବ୍ରାଜିଲ ପରେ ଦ୍ବିତୀୟ ବୃହତ୍ତମ ଚିନି ଉତ୍ପାଦନକାରୀ ରାଷ୍ଟ୍ର ରୂପେ ପରିଗଣିତ ଭାରତର ଆଖୁଚାଷୀମାନେ ସେଇ ମଧୁରତାର ଅଭାବ ଅନୁଭବ କରନ୍ତି । ବିଶ୍ବରେ ଉତ୍ପାଦିତ ମୋଟ ଚିନିର ପ୍ରାୟ 17% ଭାରତରେ ଉତ୍ପାଦିତ ହୋଇଥାଏ । ବିଗତ କେଇ ବର୍ଷ ହେଲା ଭାରତର ଚିନିକଳ ଏବଂ ଆଖୁଚାଷୀମାନେ ସଂକଟର ସମ୍ମୁଖୀନ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆଖୁଚାଷୀଙ୍କୁ ପୋଷେଇବା ଭଳି ଦର ନମିଳିବା ଏବଂ ବଜାରରେ ଚିନିକଳରୁ ଉତ୍ପାଦିତ ଚିନିର ଚାହିଦା ନଥିବା ହିଁ ଏହି ସଂକଟର କାରଣ । ଆଖୁଚାଷୀ ଏବଂ ଚିନିକଳ ପାଇଁ ଅନୁକୂଳ ପରିବେଶ ଅଭାବରୁ ଦୁଇ ତେଲୁଗୁ ରାଜ୍ୟର ଚାଷୀମାନେ ଏହି ଫସଲରୁ ଦୂରେଇ ଯାଉଛନ୍ତି ।
ତିଷ୍ଠି ରହିବା କଷ୍ଟକର..
ଦେଶର ଚିନି ଶିଳ୍ପ ଏକ ଅଭୂତପୂର୍ବ ସଂକଟର ସମ୍ମୁଖୀନ ହୋଇଛି । ଆଖୁଚାଷ, ଚିନି ଉତ୍ପାଦନ ଏବଂ ଆଖୁରୁ ଉପଲବ୍ଧ ଚିନିର ପ୍ରତିଶତ କ୍ଷେତ୍ରରେ, ଶୀର୍ଷ ତିନିଟି ସ୍ଥାନରେ ରହିଛନ୍ତି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ । ଏହି ତିନିଟି ରାଜ୍ୟରେ ଦେଶର 80% ଚିନି ଉତ୍ପାଦିତ ହୋଇଥାଏ । 2015-16ରେ ଦେଶର ଚିନି ଉତ୍ପାଦନ ପରିମାଣ 2 କୋଟି 48 ଲକ୍ଷ ଟନ୍ ଥିଲା ଏବଂ 2017-18ରେ ଏହା 3 କୋଟି 23 ଲକ୍ଷ ଟନ୍କୁ ବୃଦ୍ଧି ପାଇଥିଲା । ହେଲେ 2019-20 ବେଳକୁ ଏହି ପରିମାଣ 2 କୋଟି 72 ଲକ୍ଷ ଟନ୍କୁ ଖସି ଆସିଥିଲା । ଦେଶରେ ଆଖୁ ଫସଲ ବର୍ଷ ଆରମ୍ଭ ହେବାର ଦୁଇ ମାସ ପରେ ଉଭୟ ତେଲୁଗୁ ରାଜ୍ୟର ମାତ୍ର ଆଠଟି ଚିନିକଳରେ ଆଖୁ ପେଡ଼ା ଆରମ୍ଭ ହୋଇଥିଲା । ଆନ୍ଧ୍ର ପ୍ରଦେଶର ମୋଟ 29ଟି ଚିନିକଳ ମଧ୍ୟରୁ 17ଟି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଅବଶିଷ୍ଟ 12ଟିରୁ କେବଳ ନଅଟି ଚିନିକଳରେ ଏଥର କାମ ଆରମ୍ଭ ହୋଇଛି । ତେଲଙ୍ଗାନାରେ ଏ ବର୍ଷ ମାତ୍ର ସାତଟି ଚିନିକଳ ଚାଲୁ ହେବ । ଅତୀତରେ ବର୍ଷ ବର୍ଷ ଧରି ସମୃଦ୍ଧି ହାସଲ କରିଆସିଥିବା ବହୁ ଚିନିକଳ କ୍ଷତି ସହି ନପାରି ବନ୍ଦ ହୋଇଯାଇଛି । ଏଥିରୁ ଅନେକ ଚିନିକଳ ଆଧୁନିକୀକରଣ କରିବାରେ ସକ୍ଷମ ହୋଇପାରି ନଥିଲେ । ପରିଚାଳନାଗତ ସାମର୍ଥ୍ୟ ଅଭାବରୁ ଚିନିକଳଗୁଡ଼ିକ କ୍ଷତି ସହିଲେ । ଗୋଟିଏ ଟନ୍ ଆଖୁରୁ 100 କିଲୋଗ୍ରାମ ଚିନି ଉତ୍ପାଦିତ ହୋଇଥାଏ ଏବଂ ଚିନି ଉପଲବ୍ଧତା ହାର 10 ପ୍ରତିଶତ ରହିଥାଏ । ଚିନିର ଉପଲବ୍ଧତା ହାରରେ ଉତ୍ତର ପ୍ରଦେଶ (13 ପ୍ରତିଶତ), ମହାରାଷ୍ଟ୍ର (12 ପ୍ରତିଶତ) ଏବଂ କର୍ଣ୍ଣାଟକ (11 ପ୍ରତିଶତ) ସର୍ବାଗ୍ରେ ରହିଛନ୍ତି । ତେଲୁଗୁଭାଷୀ ରାଜ୍ୟରେ ଏହା 9ରୁ 9.5 ପ୍ରତିଶତରୁ ଅଧିକ ହୁଏନାହିଁ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ସମର୍ଥନ ମୂଲ୍ୟ ବି ଚାଷୀମାନଙ୍କୁ ଆଘାତ ଦେଇଛି । କେନ୍ଦ୍ର ଦ୍ବାରା ଘୋଷିତ 10 ପ୍ରତିଶତ ଉପଲବ୍ଧ ହାର ଯୋଗ୍ୟତା ସଂପନ୍ନ ଆଖୁର ସମର୍ଥନ ମୂଲ୍ୟ କୁଇଣ୍ଟାଲ ପିଛା 285 ଟଙ୍କା । 2018-19ରେ ଏହା ଥିଲା 275 ଟଙ୍କା । ଆଖୁ କଟାଳି ଶ୍ରମିକମାନଙ୍କ ଚାହିଦା ବୃଦ୍ଧି ଯୋଗୁଁ ଆଖୁଚାଷୀଙ୍କର ଖର୍ଚ୍ଚ ବଢ଼ିଯାଇଛି । ବର୍ଷକରେ ସରକାର କୁଇଣ୍ଟାଲ ପିଛା ସମର୍ଥନ ମୂଲ୍ୟରେ ମାତ୍ର 10 ଟଙ୍କା ବୃଦ୍ଧି କରିବା ଆଦୌ ସମୀଚୀନ ନୁହେଁ । ଏହା ସହିତ, ପୂର୍ବରୁ ଉପଲବ୍ଧତା ହାର 9.5 ପ୍ରତିଶତ ରହିଥିବା ବେଳେ ଗତ ତିନି ବର୍ଷ ହେଲା ଏହାକୁ 10 ପ୍ରତିଶତ ରଖିବା ଏବଂ 9.5 ପ୍ରତିଶତରୁ କମ୍ ହେଲେ କୁଇଣ୍ଟାଲ ପ୍ରତି ଦର 270 ଟଙ୍କା 75 ପଇସା ସ୍ଥିର କରିବା ଯୋଗୁଁ ବି ଚାଷୀମାନଙ୍କୁ ଅଧିକ କ୍ଷତି ସହିବାକୁ ପଡୁଛି । ଯଦି ଶ୍ରମିକ ନ ମିଳନ୍ତି ଏବଂ ଫସଲ ଚିନି କଳରେ ପହଞ୍ଚି ପାରେ ନାହିଁ, ତେବେ ଆଖୁରେ ଶର୍କରା ହାର କମିଯାଏ ଏବଂ ପରିଣାମରେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼େ । ଆମ ଚିନିକଳରେ ଗୋଟିଏ କିଲୋଗ୍ରାମ ଚିନି ଉତ୍ପାଦନ ଲାଗି 37-38 ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ବିକ୍ରିରୁ କିଲୋଗ୍ରାମ ପିଛା 31-32 ଟଙ୍କା ମିଳେ । ଏସବୁ କ୍ଷତି ଯୋଗୁଁ ଚିନିକଳ ତିଷ୍ଠି ରହିବା ଉପରେ ପ୍ରଶ୍ନବାଚୀ ଲାଗି ରହିଛି । ଚିନି ଶିଳ୍ପ ପରିଚାଳକମାନେ ଏଥିପାଇଁ ଚିନ୍ତିତ ଯେ, କେନ୍ଦ୍ର ସରକାର କ୍ଷତିଭରଣା କରିବାର କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଉନାହାନ୍ତି । ବର୍ତ୍ତମାନର ପରିବର୍ତ୍ତିତ ସ୍ଥିତିରେ କେନ୍ଦ୍ର ସରକାର ଚିନି ଉତ୍ପାଦନ ଅପେକ୍ଷା ଇଥାନଲ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦେଉଛନ୍ତି । ଏ ସଂକ୍ରାନ୍ତରେ, ଗତ ବର୍ଷ କେନ୍ଦ୍ର ସରକାର ଚିନି ଶିଳ୍ପକୁ ସହାୟତା ପ୍ରଦାନ ନିମନ୍ତେ 8,000 କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏହି ପ୍ୟାକେଜ୍ରେ ଇଥାନଲ ଉତ୍ପାଦନ ବୃଦ୍ଧି ନିମନ୍ତେ ଚିନି ଶିଳ୍ପ କ୍ଷେତ୍ରକୁ କେନ୍ଦ୍ର ସରକାର 5,732 କୋଟି ଟଙ୍କା ସହାୟତା ଦେବାର ବ୍ୟବସ୍ଥା ସାମିଲ ହୋଇଥିଲା । ଆଗାମୀ ଦଶ ବର୍ଷ ଭିତରେ ପେଟ୍ରୋଲରେ 20 ପ୍ରତିଶତ ଇଥାନଲ୍ ମିଶ୍ରଣ କରିବା ସହିତ ଅଶୋଧିତ ତୈଳ ଆମଦାନୀର ବୋଝ ହାଲୁକା କରିବାକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଇଥାନଲ୍ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ଜୋର ଦେଉଛନ୍ତି ।