ଡକ୍ଟର ଶିଳ୍ପା ସଦାନନ୍ଦ
ଡକ୍ଟର ନନ୍ଦ କିଶୋର କନ୍ନୁରି
ସାମାଜିକ ଓ ଆଚରଣଗତ ବିଜ୍ଞାନ ବିଭାଗ,
ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ, ହାଇଦ୍ରାବାଦ
ପ୍ରଥମ ଥର ପାଇଁ ‘କୋରୋନା ଭାଇରସ୍ ରୋଗ 2019 (କୋଭିଡ୍-19)’ ଶବ୍ଦ ଶୁଣିବା ଦିନଠାରୁ ଆମେ ବହୁ ପଥ ଅତିକ୍ରମ କରିସାରିଲୁଣି ଏବଂ ଏହା ଭିତରେ ସାରା ବିଶ୍ବ ବଦଳି ଗଲାଣି । ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ବଜାୟ ରଖିବା ଏବେ ଏକ ନୂତନ ସ୍ବାଭାବିକ ଆଚରଣରେ ପରିଣତ ହୋଇସାରିଲାଣି । ଏହି ବିଶ୍ବବ୍ୟାପୀ ମହାମାରୀର ପ୍ରତିରୋଧ ପାଇଁ ଏକ ପ୍ରତିଷେଧକ ଟିକା ନ ବାହାରିଲା ପର୍ଯ୍ୟନ୍ତ, ଏହାର ପ୍ରକୋପକୁ ପ୍ରଶମିତ କରିବା ଲାଗି ଅନ୍ୟତମ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଉଛି ଶାରୀରିକ ଦୂରତା ।
ଦୂରତା ବଜାୟ ରଖିବା ମୌଳିକ ମାନବୀୟ ପ୍ରକୃତିର ପରିପନ୍ଥୀ ଏବଂ ଅନ୍ୟମାନଙ୍କ ସହ ସଂପର୍କ ସ୍ଥାପନ ନିମନ୍ତେ ମଣିଷ ମନରେ ବସା ବାନ୍ଧିଥିବା ମୂଳ ପ୍ରବୃତ୍ତି ସହ ଏହାର ବିରୋଧାଭାସ ଉପୁଜିଥାଏ । ବିସ୍ତୃତ ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ସହ ଭାବ ବିନିମୟ ହ୍ରାସ ପାଇବା, ପାରିବାରିକ ସମାରୋହ ଆୟୋଜନ ବନ୍ଦ ହୋଇଯିବା ଏବଂ ବାହାରକୁ ବୁଲି ନ ଯିବା କାରଣରୁ କୋଭିଡ୍-19 ଆମ ପାଇଁ ମାନସିକ ଚାପର ଏକ ପ୍ରମୁଖ କାରଣ ରୂପେ ଉଭା ହୋଇଛି । ବିଶେଷତଃ ଭୂତାଣୁ ସଂକ୍ରମଣର ଭୟ ଓ ଦୁଶ୍ଚିନ୍ତାର ସମ୍ମୁଖୀନ ହେବା, ପରିବାରର କେହି ଜଣେ ଅସୁସ୍ଥ ହୋଇଯିବା ଏବଂ କଷ୍ଟକର ଆର୍ଥିକ ପରିସ୍ଥିତି ଆଶଙ୍କା ଯୋଗୁଁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରହିଥିବା ପରିବାର ପକ୍ଷରେ ମଧ୍ୟ ଏହି ମାନସିକ ଚାପରୂ ଦୂରେଇ ରହିବା ସକାଶେ କୌଣସି ବିକଳ୍ପ ଉପଲବ୍ଧ ନୁହେଁ ।
ବିଶ୍ବ ମହାମାରୀ ଜନିତ ସାଂପ୍ରତିକ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା ଅନେକ ବ୍ୟକ୍ତିଙ୍କ ପକ୍ଷରେ ଏକ ଦୁରୂହ ବ୍ୟାପାର ଏବଂ ଛୋଟପିଲା, ବୟସ୍କ, ପୃଥକ୍ବାସରେ ରହିଥିବା ବ୍ୟକ୍ତି ଏବଂ ଗରିବ ଓ ଦିନ ମଜୁରିଆ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କ ପାଇଁ ଏହା ଆହୁରି କଷ୍ଟକର । ଏହି ପ୍ରସଙ୍ଗରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ କର୍ମୀଙ୍କ ଭଳି କୋଭିଡ୍-19 ବିଶ୍ବ ମହାମାରୀ ସହ ସଂଘର୍ଷରତ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଭୁଲିଯିବା ଠିକ୍ ନୁହେଁ । ସୁତରାଂ, ଜନସ୍ବାସ୍ଥ୍ୟ କ୍ଷେତ୍ରରେ କୋଭିଡ୍-19 ବିଶ୍ବ ମହାମାରୀର ମୁକାବିଲା କଥା ଚିନ୍ତା କରିବା ସମୟରେ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗ ଖୁବ୍ ଗୁରୁତ୍ବପୂର୍ଣ୍ଣ ।
କୋଭିଡ୍-19 ପ୍ରାଦୁର୍ଭାବ ନିୟନ୍ତ୍ରଣ ସକାଶେ ସରକାରଙ୍କ ପ୍ରୟାସରେ ଉଭୟ ଶାରୀରିକ ସ୍ବାସ୍ଥ୍ୟ ଏବଂ ମାନସିକ ସ୍ବାସ୍ଥ୍ୟ ସଂପର୍କିତ ପ୍ରମୁଖ ବାର୍ତ୍ତା ସାମିଲ ହେବା ଉଚିତ । ଶାରୀରିକ ଦୂରତା ବଜାୟ ରଖିବା ପାଇଁ ଚାଲିଥିବା ଜନସ୍ବାସ୍ଥ୍ୟ ଅଭିଯାନରେ ସାମାଜିକ ସଂପର୍କ ସ୍ଥାପନକୁ ମଧ୍ୟ ଗୁରୁତ୍ବ ପ୍ରଦାନ କରାଯିବା ଉଚିତ । କୋଭିଡ୍-19 ବିଶ୍ବ ମହାମାରୀ ଜନିତ ମାନସିକ ଚାପରୁ ମୁକ୍ତି ପାଇବା ଦିଗରେ ଆମେ କେତେକ ସରଳ ପଦକ୍ଷେପ ନେଇପାରିବା ।
ଅନ୍ୟମାନଙ୍କ ସହ ସଂପର୍କ ସ୍ଥାପନ: ନିଜକୁ ନିଜେ ସଙ୍ଗରୋଧରେ ରହିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କାରଣରୁ ବିରକ୍ତିକର ଏବଂ ହତାଶାଜନକ ଅନୁଭୂତି ଉତ୍ପନ୍ନ ହୋଇପାରେ । ପରିବାର ସଦସ୍ୟ ଓ ସାଙ୍ଗମାନଙ୍କ ସହିତ ଫୋନ୍ରେ କଥାବାର୍ତ୍ତା କରନ୍ତୁ ଏବଂ ଅତୀତର ଆନନ୍ଦମୟ ଘଟଣାବଳୀ ସଂପର୍କରେ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ସହଯୋଗ ଲୋଡ଼ନ୍ତୁ । ଇଣ୍ଟରନେଟ୍ରେ ଅନେକ ସମୟ କାଟିବା, ଏକୁଟିଆ ରହିବା ଇତ୍ୟାଦି ଭଳି ମାନସିକ ଚାପରୁ ମୁକୁଳିବାର ଭୁଲ ଉପାୟଗୁଡ଼ିକୁ ଚିହ୍ନଟ କରି ପରିତ୍ୟାଗ କରନ୍ତୁ ।
ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟ ଅନୁସରଣ କରନ୍ତୁ: ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ବଜାୟ ରଖିବା ଦିଗରେ ନିତିଦିନିଆ କାର୍ଯ୍ୟ ନିର୍ଘଣ୍ଟ ବେଶ୍ ସହାୟକ ହେବ । ଠିକ୍ ସମୟରେ ଖାଆନ୍ତୁ ଏବଂ ଶୁଅନ୍ତୁ, ପ୍ରତିଦିନ ବ୍ୟାୟାମ କରନ୍ତୁ, ଆପଣଙ୍କ ସଉକ ବା ରୁଚି ମୁତାବକ କାମ ସହିତ ଯେଉଁ କାର୍ଯ୍ୟକଳାପରୁ ଆନନ୍ଦ ପାଆନ୍ତି, ସେଥିରେ ନିଜକୁ ବ୍ୟସ୍ତ ରଖନ୍ତୁ । ସବୁ ସମୟରେ କାମରୁ ପର୍ଯ୍ୟାପ୍ତ ବିରତି ନିଅନ୍ତୁ ।
ମାନସିକ ଚାପ ସୃଷ୍ଟିକାରୀ ତତ୍ତ୍ବରୁ ଦୂରେଇ ରହନ୍ତୁ: ସବୁବେଳେ କୋଭିଡ୍-19 ସଂପର୍କିତ ଖବର ଶୁଣିଲେ ଏହା ବିଚଳିତ କରିପାରେ । ତେଣୁ ଉଦ୍ବେଗ ସୃଷ୍ଟିକାରୀ ଖବର ସହିତ କୋଭିଡ୍-19ରୁ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କ ଅନୁଭୂତି ଭଳି ସକାରାତ୍ମକ ଏବଂ ମନୋବଳ ବର୍ଦ୍ଧକ ଖବରର ସନ୍ତୁଳନ ବଜାୟ ରଖିବା ଉଚିତ ।
ନକାରାତ୍ମକ ଚିନ୍ତା ଏବଂ ମନୋଭାବ ପରିହାର କରନ୍ତୁ: ଆପଣଙ୍କ ଭାବନା ଯେ ଯଥାର୍ଥ, ସତ୍ୟ, ସହାୟକ, ଆବଶ୍ୟକ, ଦୟାଭାବରେ ପରିପୂର୍ଣ୍ଣ, ତାହା ପରଖି ଦେଖନ୍ତୁ । ଯଦି ଆପଣଙ୍କ ଭାବନା, ଆପଣଙ୍କ ସମସ୍ୟା ସମାଧାନରେ ସହାୟକ ନୁହେଁ ଏବଂ ତାହା ବଦଳରେ ଆପଣଙ୍କ ଦୁଶ୍ଚିନ୍ତା ଏବଂ ଉଦ୍ବିଗ୍ନତାକୁ ଆହୁରି ବଢ଼ାଉଛି, ତେବେ ଏଭଳି ଭାବନାକୁ ସେତେ ବେଶୀ ଗୁରୁତ୍ବ ଦିଅନ୍ତୁ ନାହିଁ । ଏଭଳି ଭାବନାକୁ ଗୁରୁତ୍ବ ନଦେଇ, ରାସ୍ତାରେ ଗାଡ଼ିମଟର ଚାଲିଯିବା କି ଆକାଶରେ ବାଦଲ ଭାସିଯିବା ଭଳି ଅପସରି ଯିବାକୁ ଦିଅନ୍ତୁ । କୌଣସି ପ୍ରସଙ୍ଗରେ ଅନୁମାନ କରି ନିଷ୍ପତ୍ତି ନେବା ଅପେକ୍ଷା ଏ ସଂପର୍କିତ ଭାବନାକୁ କେବଳ ପର୍ଯ୍ୟବେକ୍ଷଣ କରି ଛାଡ଼ି ଦେବା ଦ୍ବାରା ନକାରାତ୍ମକ ଆବେଗ ଓ ଅନୁଭବ ହ୍ରାସ ପାଇଥାଏ । ମନେ ରଖନ୍ତୁ ଯେ, କୋଭିଡ୍-19 ବିଶ୍ବ ମହାମାରୀ ଆମ ନିୟନ୍ତ୍ରଣରେ ନାହିଁ ସତ, କିନ୍ତୁ ଆମେ ଆମ ଭାବନା ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣରେ ରଖିପାରିବା ।
ମାନସିକ ସ୍ବାସ୍ଥ୍ୟ ବଜାୟ ରଖିବାରେ ଶିଶୁ ଓ କିଶୋରମାନଙ୍କ ସହାୟତା କରିବା ପାଇଁ ସେମାନଙ୍କ କଥା ଶୁଣନ୍ତୁ, ସେମାନଙ୍କ ଅସୁବିଧା ବୁଝନ୍ତୁ, ସନ୍ଦେହ ମୋଚନ କରନ୍ତୁ, ସେମାନଙ୍କୁ ଆଶ୍ବାସନା ଦେବା ସହିତ ସମସ୍ୟା ସମାଧାନରେ ସହଯୋଗ କରନ୍ତୁ । ମୋବାଇଲ ଏବଂ ଅନ୍ୟାନ୍ୟ ଉପକରଣର ଅତ୍ୟଧିକ ବ୍ୟବହାର ନକରିବା ଦିଗରେ ଉଦ୍ୟମ କରନ୍ତୁ ଏବଂ ଏଭଳି ଉପକରଣର ସୀମିତ ବ୍ୟବହାର ସୁନିଶ୍ଚିତ କରିବା ଲାଗି ସେମାନଙ୍କ ଦୈନନ୍ଦିନ ନିର୍ଘଣ୍ଟରେ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସାମିଲ କରିବା ସଂପର୍କରେ ଆଲୋଚନା କରନ୍ତୁ ।
ଯୋଜନା କରନ୍ତୁ: ବିଶ୍ବ ମହାମାରୀ ସମୟରେ ଏହାର ସଂକ୍ରମଣକୁ ନେଇ ଚିନ୍ତିତ ରହିବା ସ୍ବାଭାବିକ । ତେଣୁ, କୋଭିଡ୍-19ର ଲକ୍ଷଣ ସଂପର୍କରେ ବୁଝିବା ଏବଂ ଜାଣିବା, ଜରୁରୀକାଳୀନ ସ୍ଥିତିରେ କାହା ସହିତ ସଂପର୍କ ସ୍ଥାପନ କରାଯିବ, ତାହା ସ୍ଥିର କରିବା ଏବଂ ସହଜରେ ମିଳିବା ଭଳି ସ୍ଥାନରେ ଗୁରୁତ୍ବପୂର୍ଣ୍ଣ ଫୋନ୍ ନମ୍ବର ରଖିବା ଗୁରୁତ୍ବପୂର୍ଣ୍ଣ କଥା । ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଅସୁସ୍ଥ ହୋଇପଡ଼ନ୍ତି, ତେବେ ପାଖରେ ଥିବା କେଉଁ କ୍ଲିନିକ୍/ଡାକ୍ତରଖାନାକୁ ଯିବେ ଏବଂ ସେଭଳି କଷ୍ଟକର ସମୟରେ କିଏ ଆପଣଙ୍କର ସହାୟତା କରିବାକୁ ଆସିବେ ସେ ସଂପର୍କରେ ଏକ ସରଳ ଯୋଜନା ପ୍ରସ୍ତୁତ କରି ରଖନ୍ତୁ ।
ଦୁଶ୍ଚିନ୍ତା ପରିହାର କରନ୍ତୁ: ଦୁଶ୍ଚିନ୍ତା ହ୍ରାସ କରିବା ପାଇଁ ତଳିପେଟ (ପେଟ) ଜରିଆରେ ଶ୍ବାସକ୍ରିୟା ଭଳି ବିଭିନ୍ନ କୌଶଳ ଅବଲମ୍ବନ କରନ୍ତୁ । ଏଥିପାଇଁ ଏକ ଆରାମଦାୟକ ସ୍ଥିତିରେ ବସନ୍ତୁ, କାନ୍ଧ ଦୁଇଟିକୁ ଢିଲା ଛାଡ଼ି ଦିଅନ୍ତୁ, ଆଖି ବନ୍ଦ କରନ୍ତୁ, ଧୀରେ ଧୀରେ ପ୍ରଶ୍ବାସ ନିଅନ୍ତୁ, ହାଲୁକା ଭାବରେ ଏବଂ ଧୀରେ ଧୀରେ ଚାରି ଯାଏ ଗଣନା କରନ୍ତୁ, ଏହା କରିବା ସହିତ ଆପଣଙ୍କ ପେଟ ଫୁଲାନ୍ତୁ, ନେଇଥିବା ପ୍ରଶ୍ବାସକୁ ଦୁଇ ଗଣିବା ଯାଏ ବନ୍ଦ ରଖନ୍ତୁ, ଛଅ ଗଣିଲା ପର୍ଯ୍ୟନ୍ତ ଧୀରେ ଧୀରେ ପାଟି ବାଟରେ ନିଶ୍ବାସ ଛାଡ଼ନ୍ତୁ । ଏଭଳି ଶ୍ବାସକ୍ରିୟା ପଦ୍ଧତିକୁ ପ୍ରାୟ 10 ମିନିଟ୍ ଅଭ୍ୟାସ କରନ୍ତୁ ।
କୋଭିଡ୍-19 ଜନିତ ମାନସିକ ଚାପ ସହିତ ନିଜକୁ ଖାପ ଖୁଆଇବା ଲାଗି ବ୍ୟକ୍ତିଗତ ସ୍ତରରେ ଉପରବର୍ଣ୍ଣିତ ଅଭ୍ୟାସ ସହିତ ଗୋଷ୍ଠୀଗତ ମୁକାବିଲା ନିହାତି ଗୁରୁତ୍ବପୂର୍ଣ୍ଣ । କାରଣ, ଏହି ବିଶ୍ବ ମହାମାରୀର ପ୍ରକୋପ ଦୀର୍ଘସ୍ଥାୟୀ ମନେ ହେଉଥିବା ବେଳେ ଏହା କେଉଁଠି ଶେଷ ହେବ ସେ ସଂପର୍କରେ ସ୍ପଷ୍ଟ ସଂକେତ ଦୃଷ୍ଟିଗୋଚର ହେଉନାହିଁ । ତେଣୁ, ସାଂପ୍ରତିକ ବିଶ୍ବ ମହାମାରୀ ସହିତ ମୁକାବିଲା କରିବା ଏବଂ ଏହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ଲାଗି ଗୋଷ୍ଠୀଗତ ସ୍ତରରେ ଆଚରଣଗତ ରଣକୌଶଳ ନିର୍ଦ୍ଧାରଣ ସହିତ ସ୍ଥିତିସ୍ଥାପକତାର ବିକାଶ ଗୁରୁତ୍ବପୂର୍ଣ୍ଣ । ଏଭଳି ଯେ କୌଣସି ଉପକ୍ରମ ନିମନ୍ତେ ବିଭିନ୍ନ ଗୋଷ୍ଠୀ, ରୋଗୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ଅନ୍ୟାନ୍ୟ ପକ୍ଷ, ଅଂଶୀଦାର ଏବଂ ବର୍ଗ ସହିତ ଭାବ ବିନିମୟ ଖୁବ୍ ଗୁରୁତ୍ବପୂର୍ଣ୍ଣ । ଗୋଷ୍ଠୀ ସ୍ତରରେ ସ୍ଥିତିସ୍ଥାପକତାକୁ ସଶକ୍ତ କରିବା ଦିଗରେ କେତେକ ପଦକ୍ଷେପ ହେଲା:
- କୋଭିଡ୍-19 ଦ୍ବାରା ପ୍ରଭାବିତ ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ସହାୟତା ନିମନ୍ତେ ବିପତ୍ତି ଆଶଙ୍କାର ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କୁ ସଂକଟକାଳୀନ ପରାମର୍ଶ ପ୍ରଦାନ ଦିଗରେ ପ୍ରାଥମିକ ସ୍ବାସ୍ଥ୍ୟସେବା ଏବଂ ମାନସିକ ସ୍ବାସ୍ଥ୍ୟସେବା ମଧ୍ୟରେ ପ୍ରଭାବଶାଳୀ ସମନ୍ବୟ ସ୍ଥାପନ । ଚାକିରି ହରାଇଥିବା ବ୍ୟକ୍ତି, ସ୍ବାସ୍ଥ୍ୟସେବା ଏବଂ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ନିୟୋଜିତ କର୍ମଚାରୀ, ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଦୀର୍ଘଦିନ ଧରି ପୃଥକ୍ବାସରେ ରହିଆସୁଥିବା ଲୋକମାନଙ୍କ ସହାୟତା ଦିଗରେ ସ୍ବତନ୍ତ୍ର ପ୍ରୟାସ କରିବା ଆବଶ୍ୟକ ।
- ଅତ୍ୟନ୍ତ ବିପଦ ଆଶଙ୍କା ଘେରରେ ରହିଥିବା ବ୍ୟକ୍ତିମାନଙ୍କର ମାନସିକ ସ୍ବାସ୍ଥ୍ୟ ଏବଂ ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ ଏବଂ ସର୍ବାଧିକ ପ୍ରତ୍ୟକ୍ଷ ପ୍ରତିଷେଧକ ଉପାୟ ଓ ଡାକ୍ତରୀ ସମ୍ବଳ ହାସଲ ସକାଶେ, ନିର୍ଦ୍ଦିଷ୍ଟ ସାଂସ୍କୃତିକ ଧାରାକୁ ଦୃଷ୍ଟିରେ ରଖି ସ୍ଥିତିସ୍ଥାପକତାର ବିକାଶ ଏବଂ ଡିଜିଟାଲ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଭିନବ ଉପାୟ ଅନ୍ବେଷଣ କରାଯିବା ଆବଶ୍ୟକ ।
- ସାମାଜିକ ଅଭିଯାନ ଏବଂ ଯୋଗାଯୋଗ କୌଶଳ ସ୍ଥାପନ ଜରିଆରେ ଗୋଷ୍ଠୀଗତ ସ୍ଥିତିସ୍ଥାପକତାର ବିକାଶ ସହିତ କେତେବେଳେ ଏବଂ କେଉଁଠାରୁ ସହାୟତା ଲୋଡ଼ି ହେବ, ସେ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ସଚେତନତାର ପ୍ରସାର ଦିଗରେ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ସାମିଲ କରିବା ଆବଶ୍ୟକ । ଗୋଟିଏ କଥା ସ୍ପଷ୍ଟ ଯେ, ସମାଜ ଉପରେ କୋଭିଡ୍-19ର ଦୀର୍ଘସ୍ଥାୟୀ ମନସ୍ତାତ୍ତ୍ବିକ ପ୍ରଭାବ ପଡ଼ିବାକୁ ଯାଉଛି । ତେଣୁ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣର ମୂଳନୀତି ଭିତ୍ତିରେ ଗୋଷ୍ଠୀଗତ ସ୍ଥିତିସ୍ଥାପକତା ଗଠନ ଲାଗି ପ୍ରୟାସ କରାଯିବା ଉଚିତ ଏବଂ ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଲେଖକମାନେ ହାଇଦ୍ରାବାଦସ୍ଥିତ ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କାର୍ଯ୍ୟରତ । ମତାମତ ସଂପୂର୍ଣ୍ଣ ବ୍ୟକ୍ତିଗତ ।