ହାଇଦ୍ରାବାଦ: ବହୁ ହୋହାଲ୍ଲା ସତ୍ତ୍ବେ ସଂସଦର ଉଭୟ ଗୃହରେ ପାରିତ ହୋଇଛି ନାଗରିକତା ସଂଶୋଧନ ବିଲ୍। ଯାହାକୁ ନେଇ ଦେଶର କୋଣ ଅନୁକୋଣରେ ବ୍ୟାପକ ହିଂସାତ୍ମକ ପରିସ୍ଥିତି ଉପୁଜିଛି। ନାଗରିକତା ସଂଶୋଧନ ଆଇନକୁ ଅଧାଲୋକ ସମର୍ଥନ କରୁଥିବା ବେଳେ ଅଧାଲୋକ ଜୋରଦାର ବିରୋଧ କରୁଛନ୍ତି। ଏହାର ପ୍ରତିବାଦରେ ଆସାମରେ ଦେଖାଦେଇଛି ଅଣାୟତ ପରିସ୍ଥିତି।
ଗୋଟିଏ ଦେଶର ନାଗରକିତା ପ୍ରାପ୍ତ କରିବା ସାଧାରଣ କଥା ନୁହେଁ । ଏହି ମାମଲାରେ ଯଦି ଦେଖିବା ଭାରତ ଭଳି ଦେଶରେ ନାଗରିକତାକୁ ନେଇ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଛି। CAAକୁ ନେଇ ଏବେ ନୁହେଁ ଦୀର୍ଘ ଦିନରୁ ଦେଶରେ ବିବାଦ ଲାଗି ରହିଛି। ଜୁଲାଇ 19, 2016ରେ ଲୋକସଭାରେ CAB ଉପସ୍ଥାପିତ ହୋଇଥିଲା । ପରେ ଗତ 12ରେ CAB ଆଇନରେ ପରିଣତ ହୋଇଛି।
ପ୍ରକାଶ ଯେ, 2019ରେ କେନ୍ଦ୍ର ସରକାର ନାଗରିକତା ସଶୋଂଧନ ବିଲ ଆଗତ କରିଥିଲେ। 1955ରେ ଆଗତ ନାଗରିକତା ସଂଶୋଧନ ବିଲରେ ଏକାଧିକ ସଶୋଂଧନ କରାଯାଇ, 2019ରେ ଏହା ସଂସଦର ଉଭୟ ଗୃହରେ ଆଗତ ହୋଇଥିଲା। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣ ନେଇଥିବା 6ଟି ସମ୍ପ୍ରଦାୟର ଅଣମୁସଲିମଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ। ଏହି ଶରଣାର୍ଥୀ 2014 ଡିସେମ୍ବର 31 ସୁଦ୍ଧା ଭାରତକୁ ଆସିଥିବେ। ଏହାସହିତ ଏମାନଙ୍କୁ ସରକାରଙ୍କ ପକ୍ଷରୁ 1920 ପାସପୋର୍ଟ ଆଇନ ଅନୁସାରେ ଅପ୍ରବାସୀ ମାନ୍ୟତା ପ୍ରଦାନ ସହିତ ବିଭିନ୍ନ ଆଇନଗତ ପ୍ରକ୍ରିୟାରେ କୋହଳ କରାଯାଇଥିବ।
ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଜଳୁଛି ଅସନ୍ତୋଷର ବହ୍ନି। ଚାରିଆଡେ ବିକ୍ଷୋଭ ସହ ଅଧାରାଜ୍ୟରେ ହିଂସାତ୍ମକ କାଣ୍ଡ ଘଟୁଛି । ବିଶେଷ କରି ଦିଲ୍ଲୀ, ଉତ୍ତର ପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ଆସାମ, ପଞ୍ଜାବ, ମେଘାଳୟ, ତେଲଙ୍ଗାନା ଭଳି ରାଜ୍ୟରେ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ରାଜନୈତିକ ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏହି ଆଇନ ଯୋଗୁଁ ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟ ସହ ଭେଦଭାବ ହେବ ବୋଲି ଆଶଙ୍କା କରି ଆନ୍ଦୋଳନ ଜାରି ରଖିଛନ୍ତି।
ଆସାମରେ ବହୁସଂଖ୍ୟାରେ ପ୍ରବାସୀ ବାସ କରୁଛନ୍ତି । ଏହା ଫଳରେ ରାଜ୍ୟର ମୂଳ ଜନସଂଖ୍ୟାରେ ପରିବର୍ତ୍ତନ ଆସିଛି। ଏମାନେ ଉପନିବେଶବାଦ ସମୟରୁ ବାସ କରୁଥିବାରୁ ତାଙ୍କୁ ଚିହ୍ନଟ କରାଯାଇପାରେ । କଂଗ୍ରେସ ଦଳର ବୋରଦୋଲୋଇଙ୍କ ଅଭିଯୋଗ ମୁତାବକ ବାଂଲାଦେଶୀ ମୁସଲିମଙ୍କୁ ରାଜ୍ୟରେ ଅନୁପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରି ମହମ୍ମଦ ସାଦୁଲ୍ଲାଙ୍କ ନେତୃତ୍ବରେ ମୁସଲିମ ଲିଗ ସରକାର ରାଜ୍ୟର ଜନସଂଖ୍ୟା ଏବଂ ସଂସ୍କୃତିରେ ବ୍ୟାପକ ପରିବର୍ତ୍ତନ ପାଇଁ ଉଦ୍ୟମ କରିଛନ୍ତି।