କଲୋମ୍ବୋ: ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେ । ଅବଶ୍ୟ ତାଙ୍କର ଏହି ଗସ୍ତକୁ ପାରମ୍ପରିକ ଗସ୍ତ ଭାବେ ବିବେଚନା କରାଯାଉଛି । କାରଣ ନୂଆକରି ଦାୟିତ୍ଵ ନେବା ପରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀମାନେ ପ୍ରଥମେ ନିକଟତମ ବନ୍ଧୁ ରାଷ୍ଟ୍ର ଭାରତ ଗସ୍ତରେ ଆସିବାର ପରମ୍ପରା ଆଗରୁ ରହିଆସିଛି । ଏହି ପରମ୍ପରାକୁ ବଜାୟ ରଖି ରାଜପାକ୍ଷେ ଦାୟିତ୍ଵ ନେବା ପରେ ଭାରତ ଗସ୍ତ କରିଛନ୍ତି । ହେଲେ ବିଗତ କିଛିଦିନ ହେଲା ଶ୍ରୀଲଙ୍କା ଚୀନ ଆଡ଼କୁ ଢଳିବା ଏବଂ ଭାରତ ସହ ଶ୍ରୀଲଙ୍କାର କୂଟନୀତିକ ସମ୍ପର୍କରେ ଭଟ୍ଟା ଆସିବା ପ୍ରସଙ୍ଗରେ ମହିନ୍ଦ୍ରା ରାଜପାକ୍ଷେଙ୍କ ଏହି ଗସ୍ତକୁ କୂଟନୀତିକ ସ୍ତରରେ ଗୁରୁତ୍ଵପୂର୍ଣ୍ଣ ବୋଲି ବିଚାର କରାଯାଉଛି।
ଏହି ଭାରତ ମହାସାଗରୀୟ ଦ୍ଵୀପ ଦେଶର ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୨୦୧୯ରେ ଶେଷ ହୋଇଥିଲା। ଏଥିରେ ବିଜୟ ଲାଭ କରିବା ପରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରାଙ୍କ ଭାଇ ଗୋଟାଭାୟା ରାଜପାକ୍ଷେ ପ୍ରଥମକରି ଭାରତକୁ ବୈଦେଶିକ ଗସ୍ତ କାର୍ଯ୍ୟକ୍ରମରେ ସାମିଲ୍ କରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରି ସରକାର ଗଠନ କରିବା ପରେ ନିଜର ‘ପଡ଼ୋଶୀ ପ୍ରଥମ’ ନୀତିକୁ ଆଧାର କରି ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ। ହେଲେ ଗୋଟାଭାୟାଙ୍କ ଭାରତ ଗସ୍ତ ଏବଂ ମହିନ୍ଦାଙ୍କ ଭାରତ ଗସ୍ତକୁ ସମାନ ଦୃଷ୍ଟିକୋଣରେ ବିଚାର କରାଯାଇପାରିବ ନାହିଁ । ଯଦିଓ ଗୋଟାଭାୟା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି କିନ୍ତୁ ଶ୍ରୀଲଙ୍କାର ମୁଖ୍ୟସ୍ରୋତ ରାଜନୀତିରେ ସମ୍ପୃକ୍ତ ନୁହଁନ୍ତି। ନିର୍ବାଚନ ପୂର୍ବରୁ ତାଙ୍କର ମୁଖ୍ୟସ୍ରୋତ ଶ୍ରୀଲଙ୍କା ରାଜନୀତି ସହ କୌଣସି ସମ୍ପର୍କ ନଥିଲା। ନିର୍ବାଚନ ପରେ ବି ସେ ନିଜର ନିର୍ମଳ ଭାବମୂର୍ତ୍ତି ରକ୍ଷା କରିବାକୁ ଚାହାଁନ୍ତି।
ଜଣେ ଭିନ୍ନ ଧରଣର ବ୍ୟକ୍ତି ଭାବେ ଆଞ୍ଚଳିକ ସମ୍ପର୍କରେ ନିରପେକ୍ଷତା ବଜାୟ ରଖିବା ଲାଗି ପ୍ରଥମେ ଭାରତ ଗସ୍ତ କରିଥିଲେ। ତାଙ୍କର ନିକଟତମ ବ୍ୟକ୍ତିମାନେ କହନ୍ତି, ନିଜ ଭାଇଙ୍କ ଶାସନ ସମୟରେ ପ୍ରତିରକ୍ଷା ସଚିବ ଭାବେ କାର୍ଯ୍ୟ କରିଥିବା ଗୋଟାଭାୟା ସେତେବେଳେ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ୍ ଏଲାମ୍ ( ଏଲ୍ଟିଟିଇ)କୁ ହରାଇବା ଲାଗି ଯେଉଁ ସାମରିକ ଅଭିଯାନ ଆରମ୍ଭ ହୋଇଥିଲା ତାହାର ନେତୃତ୍ଵ ନେଇଥିଲେ। ଏହା ମେ’ ୨୦୦୯ ମସିହା କଥା। ସେତେବେଳେ ଭାରତ ଏଲ୍ଟିଟିଇକୁ ଧ୍ବସ୍ତ କରିବା ଲାଗି ଶ୍ରୀଲଙ୍କାକୁ ସହାୟତା କରିଥିଲା। ଆଉ ତାହାକୁ ସୁଚାରୁ ରୂପେ ବ୍ୟବହାର କରିବାର ମଙ୍ଗ ଧରିଥିଲେ କ୍ଷମତାପ୍ରାପ୍ତ ପ୍ରତିରକ୍ଷା ସଚିବ ଗୋଟାଭାୟା।
ଅନ୍ୟପକ୍ଷରେ ମହିନ୍ଦା ରାଜପାକ୍ଷେ କିନ୍ତୁ ଏହି ଦ୍ଵିତୀୟ କାଳରେ ଖୋଲାଖୋଲି ଭାବେ ଚୀନ ଆଡ଼କୁ ଢଳିଛନ୍ତି । ଚୀନ-ଶ୍ରୀଲଙ୍କା ସମ୍ପର୍କକୁ ସୁଦୃଢ଼ କରିବା ଲାଗି ସେ ଅନେକ ଚୁକ୍ତି ବି ସ୍ଵାକ୍ଷର କରିଛନ୍ତି। ଏଥିରେ ଶ୍ରୀଲଙ୍କାରେ ବିକାଶମୂଳକ ପ୍ରକଳ୍ପ ଲାଗି ଚୀନର ସହାୟତାକୁ ଗ୍ରହଣ କରିବା ସହ ମହିନ୍ଦ୍ରା ଦକ୍ଷିଣ ଶ୍ରୀଲଙ୍କାରେ କିଛି ବିକାଶମୂଳକ କାର୍ଯ୍ୟକୁ ମଧ୍ୟ ଚୀନ ସହାୟତାରେ ନିର୍ବାହ କରିଛନ୍ତି । ଏହାଦ୍ଵାରା ସେ ନିର୍ବାଚନୀ ଫାଇଦା ମଧ୍ୟ ପାଇବା ଲକ୍ଷ୍ୟ ରଖିଛନ୍ତି।
ପ୍ରଥମ କାର୍ଯ୍ୟକାଳ ସମୟରେ ଶ୍ରୀଲଙ୍କାର ବୈଦେଶିକ ସମ୍ପର୍କ ଏବଂ ସହଯୋଗୀଙ୍କ ସଂଖ୍ୟା ଅତ୍ୟନ୍ତ ସୀମିତ ଥିଲା। ସେତେବେଳେ ଭାରତ ସହ ଶ୍ରୀଲଙ୍କାର ସମ୍ପର୍କ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା। ହେଲେ ଯୁଦ୍ଧ ପରବର୍ତ୍ତୀ ସମୟରେ ଶ୍ରୀଲଙ୍କାକୁ ଉତ୍ତରଦାୟୀ କରିବା ଲାଗି ଯେତେବେଳେ ଜାତିସଂଘ ମାନବାଧିକାର ପରିଷଦରେ ଆଲୋଚନା ହୋଇଥିଲା ସେତେବେଳେ ଭାରତ ସେହି ପ୍ରସ୍ତାବକୁ ସମର୍ଥନ କରିଥିଲା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ପରେ ଉଭୟ ଦେଶ ଭିତରେ ଥିବା ସମ୍ପର୍କ ବିଗିଡ଼ିବାରେ ଲାଗିଲା। ଯଦିଓ ଏ ସମ୍ପର୍କ ସମ୍ପୂଣ୍ଣ ଭାବେ ବିଗିଡ଼ି ନାହିଁ, ହେଲେ ପୂର୍ବାବସ୍ଥା ଫେରାଇବା ଲାଗି ଦୁଇ ପକ୍ଷରୁ ଯଥେଷ୍ଟ ଉଦ୍ୟମ ହେବା ଆବଶ୍ୟକ। ଦୁଇଦେଶ ସମ୍ପର୍କର ଫାଟକୁ ମରାମତି କରିବା ଲାଗି ଆଗେଇ ଆସିବା ଜରୁରୀ।
୨୦୧୫ ନିର୍ବାଚନୀ ପରାଜୟ ଜାନୁୟାରୀ ୨୦୧୫ରେ ନିଜର ନିର୍ବାଚନ ପରାଜୟକୁ ସ୍ଵୀକାର କରି ନପାରି ରାଜପାକ୍ଷେ ସିଧାସଳଖ ଭାବେ ଭାରତଙ୍କୁ ଆଙ୍ଗୁଠି ଦେଖାଇଥିଲେ। ଏହା କାହାକୁ ଅଛପା ନଥିଲା ଯେ, ସେ ଚୀନ ଆଡ଼କୁ ଢଳିଥିଲେ। କିନ୍ତୁ ଭାରତ ବିପକ୍ଷରେ ତାଙ୍କର ଏହା ସବୁଠାରୁ ନ୍ୟୁନ ମନ୍ତବ୍ୟ ଥିଲା।