ଥିରୁଅନନ୍ତପୁରମ: କେରଳର ଶ୍ରୀ ଚିତ୍ରା ତିରୂନାଲ ଇନଷ୍ଟିଚ୍ୟୁଟ୍ ଫର ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲେଜି(ଏସସିଟିଆଇଏମଏସଟି) ପକ୍ଷରୁ ଏକ ଚତ୍ମକାର ଉଦ୍ଭାବନ କରାଯାଇଛି । ଭେଣ୍ଟିଲେଟର ବଦଳରେ ଏକ ଜରୁରୀକାଳୀନ ମେସିନ ବାହାର କରିଛି ସଂସ୍ଥା । ଏହାଦ୍ବାରା ନିଶ୍ବାସ ପ୍ରଶ୍ବାସ ନେବାରେ ଆକ୍ରାନ୍ତଙ୍କୁ ସହଜ ହେବ ବୋଲି ଜଣାପଡିଛି ।
କେରଳରେ କୋରୋନାର ସାମ୍ପ୍ରଦାୟିକ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି । ଫଳରେ ଏଠାରେ ଲୋକଙ୍କୁ ଶ୍ବାସକ୍ରିୟାରେ ସମସ୍ୟା ଅଧିକ ଦେଖାଦେଇପାରେ । ଏପରି ସମୟରେ ରାଜ୍ୟରେ ଯଥେଷ୍ଟ ପରିମାଣରେ ଭେଣ୍ଟିଲେଟର ନାହିଁ । ତେବେ ଏହି ମେସିନ ଭେଣ୍ଟିଲେଟର ବଦଳରେ ବ୍ୟବହାର କରିହେବ । ଗୁରୁତର ଆକ୍ରାନ୍ତ କୋଭିଡ 19 ରୋଗୀଙ୍କୁ ଏହି ମେସିନ ଦ୍ବାରା ଅନେକ ସାହାଯ୍ୟ ମିଳିପାରିବ । ବର୍ତ୍ତମାନ ଦେଶରେ କୋରୋନା ପରିସ୍ଥିତି ସଙ୍କଟଜନକ ହୋଇଥିବାବେଳେ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେଇପାରେ । ଭବିଷ୍ୟତରେ ଦେଶରେ ଭେଣ୍ଟିଲେଟର ଅଭାବ ଦୂର କରିବାକୁ ଏହା ବାହାର କରାଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏହି ମେସିନ ସମ୍ପୂର୍ଣ୍ଣ ଭାବେ ଭେଣ୍ଟିଲେଟରର ବିକଳ୍ପ ନୁହେଁ । ଏହା କିଛି ସମୟ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କୁ ବିନା ଭେଣ୍ଟିଲେଟରରେ ସୁସ୍ଥ ରଖିପାରିବ । ଯେତେ ପର୍ଯ୍ୟନ୍ତ ଭେଣ୍ଟିଲେଟର ଉପଲବ୍ଧ ହୋଇନାହିଁ ସେବେ ଯାଏଁ ଏହି ମେସିନ ଦ୍ବାରା ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଯାଇପାରିବ । ଏହା କିଛି ସମୟରୁ କିଛି ଦିନ ଯାଏଁ ଆକ୍ରାନ୍ତଙ୍କୁ ସୁସ୍ଥ ରଖିବ ବୋଲି ଜଣାପଡିଛି । ଏହାର ନିର୍ମାଣ ଅନ୍ତର୍ଜାତୀୟ ସ୍ତରର ହୋଇଛି । ଇଞ୍ଜିନିୟର ସାରଥ, ବିନୋଦ, ନାଗେଶଙ୍କ ସହ ପ୍ରଫେସର ଡା. ଥୋମାସ, ପ୍ରଫେସର ଡା. ମଣିକନ୍ଦାନ, ଆନ୍ସେଥେସିଆ ବିଭାଗର ଡାକ୍ତରମାନେ ମିଶି ଏହି ମେସିନ ବାହାର କରିଛନ୍ତି । ଏଥିରେ ସଫ୍ଟୱେର କମ୍ପାନୀ ୱିପ୍ରୋ ମଧ୍ୟ ସାହାଯ୍ୟ କରିଛି । ଏହି ମେସିନ ନିଶ୍ବାସ ପ୍ରଶ୍ବାସ ନେବାରେ ଆକ୍ରାନ୍ତଙ୍କୁ ଅଟୋମେଟିକ୍ ସାହାଯ୍ୟ କରେ । କୋରୋନା ଆକ୍ରାନ୍ତଙ୍କ ଶରୀରକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ଯୋଗାଇବାରେ ଏହି ମେସିନ ସାହାଯ୍ୟ କରିଥାଏ ।
ଏହି ମେସିନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅତି ସହଜରେ ନେବା ଆଣିବା କରିହେବ । ଏହା ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରାନ୍ତଙ୍କ ଶରୀରର ଅବସ୍ଥା ସମ୍ପର୍କରେ ଅପଡେଟ୍ ଦେବା ସହ ଶ୍ବାସ ପ୍ରକ୍ରିୟାରେ ସମସ୍ୟା ହେଲେ ଚେତାବନୀ ମଧ୍ୟ ଦେବ । ଏହା ଏକ ବ୍ୟାଟେରୀ ଦ୍ବାରା ପରିଚାଳିତ । ଏହାକୁ ଚଲାଇବା ପାଇଁ କୌଣସି ପ୍ରକାର ବିଶେଷଜ୍ଞଙ୍କର ଆବଶ୍ୟକତା ନାହିଁ । ଏହାକୁ କୋଭିଡ 19 ଆକ୍ରାନ୍ତ ଏବଂ ଅନ୍ୟ ରୋଗୀ ମଧ୍ୟ ନିଜେ ପରିଚାଳିତ କରିପାରିବେ । ଭେଣ୍ଟିଲେଟର ସୁବିଧା ନଥିବା ଛୋଟ ହସ୍ପିଟାଲମାନେ ଏହି ମେସିନର ସାହାଯ୍ୟ ନେଇ କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିପାରିବେ ।