ପାଟନା: ଚାଲିଛି ନବରାତ୍ରୀ । ହାତ ଗଣତି କେତୋଟି ଦିନ ପରେ ଅନୁଷ୍ଠିତ ହେବ ଶାରଦୀୟ ଦୁର୍ଗାପୂଜା । ଏହି ସମୟରେ ଶ୍ମଶାନ କାଳୀ ଭାବେ ଭାବେ ପରିଚିତ ହେଉଥିବା ମା ସିଦ୍ଧେଶ୍ବରୀ କାଳୀ ମନ୍ଦିରରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ନବରାତ୍ରର ଅଷ୍ଟମ ଓ ନବମ ଦିବସରେ ଏହି ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ସେପଟେ ପ୍ରବଳ ବର୍ଷା କାରଣରୁ ଦେଶର ଅଧିକାଂଶ ସ୍ଥାନରେ ଏହି ନବରାତ୍ରୀ ଫିକା ପଡ଼ିଛି । ବିହାରରେ ପ୍ରବଳ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଫିକା ପଡ଼ିଛି ଏହି ପର୍ବ । ମନ୍ଦିର ଓ ଶକ୍ତିପୀଠ ଗୁଡ଼ିକୁ ହାତ ଗଣତି ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ ମିଳିଛି ।
ତେବେ ନବରାତ୍ରୀ ସମୟରେ ଏହି ସିଦ୍ଧେଶ୍ବରୀ ଠାକୁରାଣୀଙ୍କର ସ୍ବତନ୍ତ୍ର ମହତ୍ତ୍ବ ରହିଛି । ଏହି ଠାକୁରାଣୀଙ୍କ ମନ୍ଦିର ଶ୍ମଶାନରେ ଥିବାରୁ ଏହାକୁ ଶ୍ମଶାନ କାଳୀ ମଧ୍ୟ କୁହାଯାଇଥାଏ । ଶୁଣିବାକୁ ମିଳିଥାଏ ଯେ, ଏହି ମନ୍ଦିର ଶ୍ମଶାନରେ ମଣିଷ କଙ୍କାଳ ଉପରେ ନିର୍ମାଣ କରାଯାଇଛି । ଏହି ମନ୍ଦିର ପାଖାପାଖି 250 ରୁ 300 ବର୍ଷ ପୁରୁଣା । ଏହି ମନ୍ଦିର ନିର୍ମାଣ ପୂର୍ବରୁ ଏଠାରେ ଶ୍ମଶାନ ରହିଥିଲା । ଏଠାରେ ମୃତଦେହ ଗୁଡ଼ିକର ଶବ ସତ୍କାର କରାଯାଉଥିଲା ।