ଓଡିଶା

odisha

By

Published : Aug 31, 2020, 7:35 PM IST

ETV Bharat / bharat

କଂଗ୍ରେସରେ ଆଜାଦଙ୍କ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

୨୦୨୨ ମାର୍ଚ୍ଚ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଯାଏଁ ଆଜାଦଙ୍କୁ ଅପେକ୍ଷା କରିବାକୁ ହେବ । ଯଦି ଏକ ଉପଯୁକ୍ତ ଆସନ ଖାଲିପଡିବ, ତାହା ହେଲେ ହିଁ ଆଜାଦଙ୍କୁ ସେହି ସୁଯୋଗ ହୁଏତ ମିଳିପାରେ । ଅଧିକ ପଢନ୍ତୁ...

କଂଗ୍ରେସରେ ଆଜାଦଙ୍କ ଭବିଷ୍ୟତ ନେଇ କଳ୍ପନାଜଳ୍ପନା
କଂଗ୍ରେସରେ ଆଜାଦଙ୍କ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ନୂଆଦିଲ୍ଲୀ: ୨୩ ବରିଷ୍ଠ ନେତାଙ୍କ ଅସନ୍ତୋଷର ଚିଠି କଂଗ୍ରେସରେ ହଟଚମଟ ସୃଷ୍ଟି କରିବାର କିଛି ଦିନ ପରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ଭବିଷ୍ୟତ ନେଇ ଦଳୀୟ ମହଲରେ ଚର୍ଚ୍ଚା ହେବାରେ ଲାଗିଛି । ଆଜାଦଙ୍କ 5ମ ରାଜ୍ୟସଭା କାର୍ଯ୍ୟକାଳ ୨୦୨୧ ଫେବୃଆରୀ ୨୧ରେ ଶେଷ ହେଉଛି । ଆଉ ଦଳୀୟ ମ୍ୟାନେଜରଙ୍କ ଲାଗି ଆଜାଦଙ୍କୁ ପୁଣି ଥରେ ରାଜ୍ୟସଭା ଟିକେଟ ଦେବା ପ୍ରାୟ ଅସମ୍ଭବ ଲାଗୁଛି ।

ପୁଡୁଚେରୀରେ କିଛି ଆଶା ରହିଛି, ଯେଉଁଠି କି ଏଆଇଏଡିଏମକେର ଏନ.ଗୋକୁଳକ୍ରିଷନଙ୍କ ପ୍ରତିନିଧିତ୍ୱ ଆସନ ଅକ୍ଟୋବର ୨୦୨୧ରେ ଖାଲି ହେଉଛି । କିନ୍ତୁ ଆସନ୍ତାବର୍ଷ ମେ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଜିତି କ୍ଷମତା ବଜାୟ ରଖିଲେ ହିଁ ସେହି ବିକଳ୍ପ ଉପଲବ୍ଧ ହେବ । ଏହାର ଅର୍ଥ ହେଲା ଯେ, ୨୦୨୨ ମାର୍ଚ୍ଚ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଯାଏଁ ଆଜାଦଙ୍କୁ ଅପେକ୍ଷା କରିବାକୁ ହେବ । ଯଦି ଏକ ଉପଯୁକ୍ତ ଆସନ ଖାଲିପଡିବ, ତାହା ହେଲେ ହିଁ ଆଜାଦଙ୍କୁ ସେହି ସୁଯୋଗ ହୁଏତ ମିଳିପାରେ । କିନ୍ତୁ ସୂତ୍ରରୁ ଜଣାପଡିଛି ଯେ, ଆଜାଦଙ୍କ ପାଇଁ ପୁଣି ଥରେ ରାଜ୍ୟସଭା ସମ୍ଭାବନା କ୍ଷୀଣ ।

ବର୍ତ୍ତମାନ ରାଜ୍ୟସଭାରେ ଆଜାଦ, ପୂର୍ବର ଜମ୍ମୁ ଓ କାଶ୍ମୀର ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିଲେ, ଯାହା କି ୨୦୧୯ରେ ଲଦାଖ ସହ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରରେ ଭବିଷ୍ୟତରେ ନିର୍ବାଚନ ହେବ । ବଡ କଥା ହେଲା ଯେ, ୨୦୧୫ରେ ଗୁଲାମନବୀ ଆଜାଦ ରାଜ୍ୟସଭାକୁ ପୁନଃନିର୍ବାଚିତ ହେବା ନେଇ ସଂଶୟ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ପୋଖତ ରାଜନେତା ନ୍ୟାସନାଲ କନଫରେନସର ସମର୍ଥନ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ରାଜ୍ୟସଭା ନିର୍ବାଚନ ତ ହେବ ନାହିଁ, ତେଣୁ ଅନ୍ୟ ଯେକୌଣସି ରାଜ୍ୟରୁ ଆଜାଦଙ୍କୁ ରାଜ୍ୟସଭା ପଠାଇବା ପାଇଁ କଂଗ୍ରେସ ପକ୍ଷେ ଅସମ୍ଭବ ମନେହେଉଛି । ବର୍ତ୍ତମାନ ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଶାସନ ରହିଛି । ଏସବୁ ରାଜ୍ୟରୁ ଦଳର ପ୍ରତିନିଧିମାନେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ।

କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜରାଟରେ କଂଗ୍ରେସ ବିରୋଧୀ ଦଳ ହୋଇଥିଲେ ମଧ୍ୟ ଏହାର ଆଖିଦୃଶିଆ ସଂଖ୍ୟା ରହିଛି । କିନ୍ତୁ ଏସବୁ ରାଜ୍ୟରୁ ମଧ୍ୟ କଂଗ୍ରେସର ନେତାମାନେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି । ଶିବସେନା-ଏନସିପି ସହ କଂଗ୍ରେସର ମିଳିତ ସରକାର ଥିବା ମହାରାଷ୍ଟ୍ରରୁ ମଧ୍ୟ ଆଜାଦ ନିର୍ବାଚିତ ହେବା ଆଶା ନାହିଁ । କାରଣ ଏଠାରେ ବି ରାଜ୍ୟସଭା ନିର୍ବାଚନ ହୋଇସାରିଛି ।

ରାଜ୍ୟସଭାକୁ ଆଜାଦଙ୍କ ପ୍ରତ୍ୟାବର୍ତନ ପ୍ରସଙ୍ଗ ସହ ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ତାଙ୍କ ନାମ ସ୍ଥାନ ପାଇବାର କିଛି ସମ୍ପପର୍କ ନାହିଁ ବୋଲି କୁହାଯାଉଛି । କିନ୍ତୁ ଆସନ୍ତାବର୍ଷ ଫେବୃଆରୀରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ସରିବା ସହ ବିରୋଧୀ ଦଳ ନେତା ମାନ୍ୟତା ଗଲେ ଆଜାଦଙ୍କ ପାଇଁ ଦଳରେ ସ୍ଥିତି ସେତେ ସହଜ ହେବ ନାହିଁ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ଆଜାଦ କେବଳ ଏଆଇସିସିର ସାଧାରଣ ସମ୍ପାଦକ ଭାବେ ହରିୟାଣା ଦାୟିତ୍ୱରେ ହିଁ ରହିବେ । ୨୦୨୯ରେ ସେ ଏହି ପଦବୀ ପାଇଥିଲେ । ଏହା ପୂର୍ବରୁ ୨୦୧୬ରେ ଗୁଲାମନବୀ ଆଜାଦଙ୍କୁ ୟୁପିର ଏଆଇସିସି ଇନ ଚାର୍ଜ କରାଯାଇଥିଲା । ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ପୁନରୁଦ୍ଧାର ପାଇଁ ଆଜାଦଙ୍କୁ ସେହି ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ସମୟରେ କଂଗ୍ରେସ, ସମାଜବାଦୀ ପାର୍ଟି ସହ ହାତ ମିଳାଇଥିଲା । କିନ୍ତୁ ସେହି ଗ୍ୟାମ୍ବଲ ଦଳ ପାଇଁ ବିପର୍ଯ୍ୟୟର କାରଣ ହୋଇଥିଲା ବୋଲି ଦଳର ରଣନୀତିଜ୍ଞମାନେ କହନ୍ତି । କଂଗ୍ରେସର ଅସନ୍ତୁଷ୍ଟଙ୍କ ତାଲିକାରେ ଆଜାଦ ଥିବାରୁ ୨୦୧୭ ୟୁପି ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ଆଜାଦଙ୍କୁ ଦାୟୀ କରିଥିବା ନେତାମାନେ ଏବେ ପୁଣି ସକ୍ରିୟ ହୋଇ ଉଠିଛନ୍ତି । ୟୁପି କଂଗ୍ରେସର ପୂର୍ବତନ ମୁଖ୍ୟ ନିର୍ମଲ ଖତ୍ରୀ ଓ ରାଜ୍ୟର ଆଉ ଜଣେ ବରିଷ୍ଠ ନେତା ନସିବ ପଠାନ, ଅସନ୍ତୁଷ୍ଟଙ୍କ ସହ ସାମିଲ ହୋଇଥିବାରୁ ଦଳରୁ ଆଜାଦଙ୍କୁ ବାହାର କରିବାକୁ ଦାବି କରିଛନ୍ତି ।

ତେବେ, ଦଳରେ ସାଂଗଠନିକ ନିର୍ବାଚନ ପାଇଁ ସେ ଅନ୍ୟ ଅସନ୍ତୁଷ୍ଟଙ୍କ ସହ କରିଥିବା ଦାବିରେ ଆଜାଦ ଅଡି ରହିବା ଲାଗୁ ନାହିଁ ବୋଲି ପାର୍ଟି ଇନସାଇଡରମାନେ କହିଛନ୍ତି । ଆଜାଦ ଉଠାଇଥିବା ପ୍ରସଙ୍ଗ ଉପରେ ବିଚାରବିମର୍ଷ କରାଯିବ ବୋଲି ବର୍ତ୍ତମାନ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଆଶ୍ୱାସନା ଦେଇଛନ୍ତି । କିନ୍ତୁ ଏଆଇସିସିରେ ସାମାନ୍ୟ ଅଦଳବଦଳ ଯଦି ହୁଏ , ତାହା ହେଲେ ଆଜାଦଙ୍କାରୁ ହୁଏ ତ ହରିୟାଣା ଦାୟିତ୍ୱ କାଢି ନିଆଯାଇପାରେ । ସୋନିଆ-ରାହୁଲ ଅନୁଗତଙ୍କୁ ସେହି ଦାୟିତ୍ୱ ଦିଆଯାଇପାରେ, ଯେପରିକି ଅବିନାଶ ପାଣ୍ଡେଙ୍କୁ ହଟାଯାଇ ରାହୁଲଙ୍କ ଘନିଷ୍ଠ ସହଯୋଗୀ ଅଜୟ ମାକେନଙ୍କୁ ରାଜସ୍ଥାନ ଏଆଇସିସି ଇନଚାର୍ଜ ଦିଆଗଲା ।

ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା କିଏ ହେବ, ସେନେଇ ବି କଂଗ୍ରେସ ଭିତରେ ବିତର୍କ ଆରମ୍ଭ ହୋଇଗଲାଣି ବୋଲି କୁହାଯାଉଛି । ବୈଷୟିକ ଦୃଷ୍ଟିରୁ ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦ ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କୁ ଯିବା କଥା । ସେ ବହୁ ଦିନ ହେବ ଆଜାଦଙ୍କ ଡେପୁଟି ଭାବେ କାମ କରିଆସିଛନ୍ତି । ତେଣୁ ଆନନ୍ଦ ଶର୍ମା ସେହି ପଦବୀ ପାଇଁ ଯୋଗ୍ୟ । କିନ୍ତୁ ଅଡୁଆର କଥା ହେଲା ଯେ, ସୋନିଆଙ୍କୁ ଲେଖାଯାଇଥିବା ଚିଠିରେ ଆନନ୍ଦ ଶର୍ମା ବି ଥିଲେ ଜଣ ସ୍ୱାକ୍ଷରକାରୀ । ତେଣୁ ତାଙ୍କର ପ୍ରମୋସନ ଆଶା କ୍ଷୀଣ ବୋଲି କୁହାଯାଉଛି । ଆନନ୍ଦ ଶର୍ମାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୨ ଏପ୍ରିଲରେ ଶେଷ ହେବ । ଏ ପ୍ରସଙ୍ଗରେ ଦଳର ମ୍ୟାନେଜରମାନେ କିଛି କହିବାକୁ ପ୍ରସ୍ତୁତ ନ ଥିଲେ ମଧ୍ୟ କର୍ନାଟକର ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେଙ୍କ ନାଁ ଚର୍ଚ୍ଚା ହେଉଛି । ଖର୍ଗେ ଏହି ବର୍ଷ ହିଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେ ୨୦୨୬ ଯାଏଁ ସଦସ୍ୟ ରହିବେ । ଅସନ୍ତୁଷ୍ଟଙ୍କ ଚିଠିରେ ମଲ୍ଲିକାର୍ଜୁନ ଖର୍ଗେଙ୍କ ନାମ ନ ଥିଲା । ସେ ବି ଜଣେ ସୋନିଆ ଅନୁଗତ । ତେଣୁ ଆଜାଦଙ୍କ ପରେ ଖର୍ଗେଙ୍କୁ ଯଦି ରାଜ୍ୟସଭାର ବିରୋଧୀ ଦଳ ନେତା ପଦ ଦିଆଯାଏ, ତାହାହେଲେ ଏଥିରେ କିଛି ଆଶ୍ଚର୍ଯ୍ୟ ର କଥା ନାହିଁ । ଖର୍ଗେ ଜଣେ ଦଳିତ ନେତା । ୯ ଥର ବିଧାୟକ ଓ ଦୁଇ ଥର ଲୋକସଭା ସଦସ୍ୟ ରହିସାରିଛନ୍ତି। ଏହାଛଡା ୟୁପିଏ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ ।

ABOUT THE AUTHOR

...view details