ଆଜି ହେଉଛି ପବିତ୍ର ଗଣେଶ ପୂଜା। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ଅଗ୍ରପୂଜ୍ୟ, ବିଘ୍ନରାଜ, ବିଦ୍ୟାର ଦେବତା, ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା କରାଯାଏ। ତାଙ୍କୁ ଗଣପତି, ଗଜାନନ ଓ ସିଦ୍ଧି ବିନାୟକ ମଧ୍ୟ କୁହାଯାଏ। ସେ ଦେବାଧି ଦେବ ମହାଦେବ ଓ ମାତା ପାର୍ବତୀଙ୍କର ସାନପୁଅ ଏବଂ କାର୍ତ୍ତିକେୟଙ୍କର ସାନଭାଇ । ଏଥର ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରେ ପଡୁଛି । ସବୁଠାରୁ ମୁଖ୍ୟକଥା ହେଉଛି ଏହି ଦିନଟି ସୋମବାରରେ ପଡୁଛି । ଆମେ ସମସ୍ତେ ଜାଣିଛୁ ଯେ, ସୋମବାର ଭଗବାନ ଶିବଙ୍କର ବାର। ଏହି ଦିନରେ ଆମେ ଭଗବାନ ଶିବଙ୍କ ପୁତ୍ର ଗଣେଶଙ୍କ ଜନ୍ମୋତ୍ସବ ପାଳନ କରିବା ଭାଗ୍ୟର କଥା।
ଗଣପତି ବାପ୍ପା ମୋରୟା, ମଙ୍ଗଲମୂର୍ତ୍ତୀ ମୋରୟା ହିନ୍ଦୁଙ୍କର ପ୍ରମୁଖ ଦେବତାଙ୍କ ମଧ୍ୟରୁ ପ୍ରଭୁ ଗଣେଶ ହେଉଛନ୍ତି ଅନ୍ୟତମ। ତେଣୁ ଜାତି, ଧର୍ମ, ନିର୍ବିଶେଷରେ ଗଣେଶଙ୍କୁ ପୂଜା କରାଯାଏ। ମୂଷା ପିଠିରେ ବସି ସେ ବିଶ୍ବ ବ୍ରହ୍ମାଣ୍ଡ ଭ୍ରମଣ କରିଥାଆନ୍ତି। ତାଙ୍କର ରିଦ୍ଧି ଓ ସିଦ୍ଧି ନାମକ 2 ପତ୍ନୀ। ଗଜମସ୍ତକ, ଏକଦନ୍ତ, ସାପପଇତା ଓ ଗୋଲାକାର ପେଟ ଦେଖିଦେଲେ ମନରେ ଗଣେଶଙ୍କ ଚିତ୍ର ଆଙ୍କି ହୋଇଯାଏ।
ଖାଲି ଯେ ହିନ୍ଦୁମାନେ ଗଣେଶଙ୍କ ପୂଜା କରନ୍ତି ତାହା ନୁହେଁ। ଜୈନ, ବୌଦ୍ଧ ତଥା ଅନ୍ୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାଆନ୍ତି। ବିଘ୍ନବିନାଶକରୂପେ ସେ ସର୍ବତ୍ର ପୂଜା ପାଆନ୍ତି। କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । କୌଣସି ଘର ପ୍ରତିଷ୍ଠା ହେଉ କିମ୍ବା ପାଠପଢା ହେଉ, ସବୁଥିରେ ଗଣେଶଙ୍କ ଆବାହନ କରାଯାଏ। ସେ ସର୍ବତ୍ର ବିଦ୍ୟମାନ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ତାଙ୍କର ପୂଜା କରାଯାଏ।
ଗଣେଶଙ୍କ ବିଭିନ୍ନ ନାମ:
ଗଣେଶଙ୍କୁ ଭଳିକିଭଳି ନାଁରେ ସ୍ମରଣ କରାଯାଏ। କିଏ ତାଙ୍କୁ ଗଜାନନ କହି ସମ୍ବୋଧିତ କରେ ତ ଆଉ କିଏ ବିଘ୍ନବିନାଶକ। ସେହିପରି ଅନ୍ୟନାମ ଗୁଡିକ ହେଉଛି ଗଣାଧ୍ୟକ୍ଷ, ବିଘ୍ନେଶ୍ବର, ଶୂପକର୍ଣ୍ଣ, ବିଘ୍ନରାଜ, ଲମ୍ବୋଦର ଓ ବକ୍ରତୁଣ୍ଡ।
ଗଜାନନ ଓ ଲମ୍ବୋଦର ନାମ ପଛର ରହସ୍ୟ:
ଲମ୍ବୋଦର:
ଲମ୍ବା ଉଦର ବା ବଡ ପେଟ ଥିବାରୁ ତାଙ୍କୁ 'ଲମ୍ବୋଦର' କୁହାଯାଏ। କିନ୍ତୁ ପ୍ରକୃତ ଅର୍ଥରେ ଯିଏ ଭଲ ବିଦ୍ୟା ଗ୍ରହଣ କରିପାରନ୍ତି ଓ ସାଇତି ରଖିପାରନ୍ତି ତାଙ୍କୁ ଲମ୍ବୋଦର ବୋଲି ସମ୍ବୋଧନ କରାଯାଏ। ଗଣେଶ ମାତା ପାର୍ବତୀଙ୍କ ନୂପୁରର ଶଦ୍ଦ ଶୁଣି ସଙ୍ଗୀତ ଶିଖୁଥିଲେ ଓ ପିତା ମହାଦେବଙ୍କ ଡମ୍ବରୁର ଶଦ୍ଦ ଶୁଣି ଚାରିବେଦ ଆୟତ୍ତ କରିଥିଲେ। ତାଙ୍କର ଏହି ବିଶାଳ ବିଦ୍ୟାର ଭଣ୍ଡାର ହେଉଛି ତାଙ୍କର ପେଟ। ତେଣୁ ତାଙ୍କ ପେଟ ଖୁବ୍ ବଡ।
ଗଜାନନ:
ଗଜର ଅର୍ଥ ହାତୀ। ଗଣେଶଙ୍କ ମସ୍ତକ ହେଉଛି ହାତୀ ମୁଣ୍ଡ। ତେଣୁ ଗଜାନନ କହିଲେ କେବଳ ଗଣେଶଙ୍କୁ ହିଁ ବୁଝାଯାଏ।
ଶ୍ରୀ ଗଣେଶ ମହାପ୍ରଭୁଙ୍କ ଶ୍ଳୋକ:
1) 'ବକ୍ରତୁଣ୍ଡ ମହାକାୟ
ସୂର୍ୟକୋଟି ସମପ୍ରଭଃ
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେସୁ ସର୍ବଦା'
2) 'ଗଜାନନଂ ଭୂତ ଗଣାଧି ସେବିତମ୍,
କପିତ୍ଥଜମ୍ବୂଫଲ ସାରଭକ୍ଷିତମ୍
ଉମାସୁତଂ ଶୋକ ବିନାଶକାରଣମ୍,
ନମାମି ବିଘ୍ନେଶ୍ବର ପାଦ ପଙ୍କଜମ୍'
3) 'ଜୟ ଗଣେଶ, ଜୟ ଗଣେଶ
ଜୟ ଗଣେଶ ପାହି ମାମ୍
ଜୟ ଗଣେଶ, ଜୟ ଗଣେଶ
ଜୟ ଗଣେଶ ରକ୍ଷ ମାମ୍'
ଶ୍ରୀ ଗଣେଶ, ଶ୍ରୀ ଗଣେଶ, ଶ୍ରୀ ଗଣେଶ ପାହି ମାମ୍ ।
ଶ୍ରୀ ଗଣେଶ, ଶ୍ରୀ ଗଣେଶ, ଶ୍ରୀ ଗଣେଶ ରକ୍ଷ ମାମ୍ ॥
ପୌରାଣିକ କଥାବସ୍ତୁ:
ଶିବ ପୁରାଣ ଅନୁଯାୟୀ ମାତା ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାକୁ ଦ୍ବାରରେ ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରିବା ସମୟରେ ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟାକଲେ ମଧ୍ୟ ବିଫଳ ହେଲେ। ତେଣୁ କ୍ରୋଧ ଜର୍ଜରିତ ହୋଇ ଗଣେଶଙ୍କ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି ।
ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡ କରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ ।
ବାସ୍ତୁଶାସ୍ତ୍ରରେ ଗଣେଶ:
ବାସ୍ତୁଶାସ୍ତ୍ରରେ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ବପୂର୍ଣ୍ଣ । ତେଣୁ ଘର ପ୍ରତିଷ୍ଠା ହେଉ କିମ୍ବା ବିଦ୍ୟାରମ୍ଭ ହେଉ, ସବୁଥିରେ ଶ୍ରୀ ଗଣେଶଙ୍କ ଆରାଧନା କରାଯାଏ। ତେଣୁ ଏହାକୁ ଅନୁସରଣ କରି ଗଣେଶଙ୍କ ପ୍ରତିମାର ଠିକ ଭାବେ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ। ତେଣୁ ଘର ଭିତରେ ହେଉ କିମ୍ବା ବାହାରେ ଗଣେଶଙ୍କର ଛୋଟ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଥାଏ।
ଯଦି ଆପଣଙ୍କୁ ଲାଗୁଛି କି ଘରେ ପ୍ରବେଶ କରିବା ମାତ୍ରେ କିଛି ନକାରାତ୍ମକ ଭାବ ଉତ୍ପନ୍ନ ହେଉଛି, ତେବେ ପ୍ରବେଶ ଦ୍ବାରକୁ ମୁହଁ କରି 9 ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରନ୍ତୁ। ଘରର ଯେକୌଣସି ଦିଗରେ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ୍ ନୁହେଁ। ବରଂ ଗଣେଶଙ୍କ ଫଟୋ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ, ଯେମିତିକି ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଅର୍ଥାତ ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ ।
ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନମାନଙ୍କରେ ଗଣେଶଙ୍କ ପ୍ରତିମା ରଖିଲେ ବ୍ୟବସାୟରେ ଉନ୍ନତି ଘଟିବା ସହ ଲାଭ ହୋଇଥାଏ। ସେଥିପାଇଁ ତ ଦୀପାବଳୀରେ ମା ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ ପୂଜା କରାଯାଏ। ତେଣୁ ଦୋକାନ ଛୋଟ କିମ୍ବା ବଡ ହେଉ, ଗଣେଶଙ୍କ ଫଟୋଟିଏ ରଖିବା ନିହାତି ଆବଶ୍ୟକ।
ଲଡୁ ଓ ମୋଦକ ପ୍ରିୟ ଗଣେଶ:
ଯେମିତି ପେଟ, ସେମିତି ଖାଇବା। ଗଜାନନଙ୍କର ଲଡୁ ଓ ମୋଦକ ଭାରି ପ୍ରିୟ। ସେଥିପାଇଁ ତ ତାଙ୍କ ହାତରେ ସଦାସର୍ବଦା ଲଡୁ ରହିଥାଏ। ପାର୍ବତୀ ତାଙ୍କ ପାଇଁ ସବୁବେଳେ ଲଡୁ ପ୍ରସ୍ତୁତ କରିଥାଆନ୍ତି। ସୁସ୍ବାଦୁ ଭୋଜନ ଭିତରେ ସେ ଲଡୁ ଓ ମୋଦକକୁ ଅଧିକ ଭଲପାଆନ୍ତି। ସେଥିପାଇଁ ତାଙ୍କ ଲଡୁ ଓ ମୋଦକ ପ୍ରିୟ ଗଣେଶ ମଧ୍ୟ କୁହାଯାଏ।
ଦୁବ ପ୍ରିୟ ଗଣେଶ:
ଲଡୁ ପରି ଦୁବ ମଧ୍ୟ ଗଣେଶଙ୍କର ଭାରି ପ୍ରିୟ। ପେଟ ପର୍ଯ୍ୟନ୍ତ ଲମ୍ବିଥିବା ହାତୀ ଶୁଣ୍ଢରେ ଦୁବ ଖୁବ୍ ଶୋଭାପାଏ। ଗଣେଶଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଦେଇଥାଏ। କେହି କେହି ଗଣେଶଙ୍କୁ ଦୁବର ହାର ମଧ୍ୟ ଚଢାଇଥାଆନ୍ତି। କାରଣ ଏହାଦ୍ବାରା ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ। ଗଣେଶଙ୍କୁ ପୂଜା କରିବା ସମୟରେ ମନ୍ତ୍ର ପାଠ କରି ଦୁବ ଚଢାଇ ଦିଅନ୍ତୁ। କେବଳ ଗଣେଶ ପୂଜା କାହିଁକି, ପ୍ରତ୍ୟେକ ଦିନ ମଧ୍ୟ ଗଣେଶଙ୍କ ନିକଟରେ ଦୁବ ଚଢାଇପାରିବେ। ପ୍ରଥମେ କିଛି ପରିଷ୍କାର ସ୍ଥାନରୁ ଦୁବ ଆଣି ପାଣିରେ ଧୋଇ ଦିଅନ୍ତୁ। ପରେ ଏଥିରେ ଗଙ୍ଗାଜଳ ଛିଞ୍ଚିଦିଅନ୍ତୁ। ଏବେ ଏହାକୁ ଗଣେଶଙ୍କ ଶୁଣ୍ଢରେ ଲଗାଇ ଦିଅନ୍ତୁ।
ମୂଷିକ ବାହନ:
ଯେମିତି ପ୍ରତ୍ୟେକ ଭଗବାନଙ୍କର କେହି ନା କେହି ବାହନ ଥାଏ। ସେମିତି ଗଣେଶଙ୍କର ବାହନ ନାଁ 'ମୂଷିକ'। ପ୍ରଭୁ ଗଣେଶ ମୂଷା ପିଠିରେ ବସି ସମଗ୍ର ବିଶ୍ବ ପରିଭ୍ରମଣ କରିଥାଆନ୍ତି। ଗଣେଶଙ୍କର ଲଡୁ ଯେପରି ପ୍ରିୟ। ତାଙ୍କ ବାହନ ମୂଷାର ଲଡୁ ମଧ୍ୟ ଭାରି ପ୍ରିୟ। ଗଣେଶଙ୍କ ହାତରେ ଯେମିତି ଲଡୁ ରହିଥାଏ, ମୂଷା ହାତରେ ମଧ୍ୟ ସେହିପରି ଲଡୁ ରହିଥାଏ। ବିନା ମୂଷିକ ବାହନରେ ଗଣେଶ କେଉଁ ଆଡେ ଯାଆନ୍ତି ନାହିଁ। ଗଣେଶଙ୍କ ପାଦ ତଳେ ମୂଷା ହାତରେ ଲଡୁ ଧରି ବସିଥାନ୍ତି, କିନ୍ତୁ ଦୂରରୁ ଦେଖିଲେ ଲାଗେ କି ଯେମିତି ମୂଷା ତାର ଆରାଧ୍ୟ ଦେବତାଙ୍କ ପାଦ ତଳେ ହାତଯୋଡିକି ବସିଛି।
ଓଡିଶା ସମେତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା:
ଓଡିଶାର ବିଭିନ୍ନ ସ୍ଥାନରେ ଲମ୍ବୋଦରଙ୍କ ପୂଜା କରାଯାଏ। ଖାଲି ଓଡିଶା କାହିଁକି, ଦେଶ-ବିଦେଶରେ ମଧ୍ୟ ଗଜାନନଙ୍କ ପୂଜା କରାଯାଏ। ବିଶେଷ କରି ମହାରାଷ୍ଟ୍ରରେ ସିଦ୍ଧି ବିନାୟକଙ୍କ ପୂଜା କରାଯାଏ। ସେଥିପାଇଁ ସାରା ଦେଶରେ ଏବେ ଉତ୍ସାହର ମାହୋଲ। ସଜେଇ ହେଲାଣି ମଣ୍ଡପ। ଚାରିଆଡେ ରଙ୍ଗୀନ ଆଲୋକମାଳା। ସବୁ ଶିକ୍ଷାନୁଷ୍ଠାନରେ ମଧ୍ୟ ଗଣେଶଙ୍କ ପୂଜା ନେଇ ସାଜସଜା ଆରମ୍ଭ ହୋଇଗଲାଣି। ମୁମ୍ବାଇ ଓ ହାଇଦ୍ରାବାଦରେ ବିରାଟ ଆକାରରେ ଗଣେଶଙ୍କ ପୂଜାର୍ଚ୍ଚନା ହୋଇଥାଏ।
ଗଣେଶ ପୂଜା ଅବସରରେ 'ଇଟିଭି ଭାରତ' ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ