ଆଜି ହେଉଛି ବିଶ୍ବ ବନ୍ଧୁତ୍ବ ଦିବସ(ହାପି ଫ୍ରେଣ୍ଡସିପ୍ ଡେ')। ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା। ତେଣୁ ଆଜିର ଏହି ସୁନ୍ଦର ଦିନଟିକୁ ସମସ୍ତେ ଅତି ଆନନ୍ଦ ସହକାରେ ପାଳନ କରିଥାଆନ୍ତି। କିଏ ହାତରେ ବ୍ୟାଣ୍ଡ ବାନ୍ଧି ଫ୍ରେଣ୍ଡସିପ୍ ଡେ' ପାଳନ କଲାଣି, ତ ଆଉ କିଏ କେକ୍ କାଟି। ସେଥିପାଇଁ ଯୁବପିଢି ପୁରା ସେଲିବ୍ରେସନ ମୁଡରେ। ଖାଲି ଯୁବପିଢି କାହିଁକି, ପିଲା ଠୁ ବୁଢା ସମସ୍ତେ ଏଥିରେ ମସଗୁଲ।
ତେବେ ଆସନ୍ତୁ ପଢିବା ବନ୍ଧୁତାର କିଛି ସୁନ୍ଦର ପୃଷ୍ଠା.....
'ତେରେ ଯେସା ୟାର କାହାଁ, କାହାଁ ଏସା ୟାରାନା'....ଏହି ପଂକ୍ତିଟି ହୁଏତ ସମସ୍ତଙ୍କର ମନେ ଥିବ। ଅମିତାଭ ବଚ୍ଚନ ଓ ଅମଜାଦ ଖାନଙ୍କ ଉପରେ ଚିତ୍ରିତ ହୋଇଥିବା ଏହି ଗୀତଟି ସମସ୍ତଙ୍କ ମନକୁ ଖୁବ୍ ଛୁଇଁ ଯାଇଥିଲା। ବନ୍ଧୁ ପରି ସମ୍ପର୍କ ଆଉ କେଉଁଠି ନ ଥିବ। ଏହି ସମ୍ପର୍କ ଅନ୍ୟ ସମସ୍ତ ସମ୍ପର୍କଠାରୁ ଅଭିନ୍ନ ଏବଂ ସ୍ବତନ୍ତ୍ର। ସାମାଜିକ ଜୀବନରେ ଏ ସମ୍ପର୍କ ଅତି ନିବିଡ ଓ ଆପଣାର।
ରକ୍ତ ସମ୍ପର୍କଠାରୁ ମଧ୍ୟ ଏହା ଖୁବ୍ ଗଭୀର। ସେଥିପାଇଁ ତ କୁହାଯାଏ ସାଙ୍ଗଠାରୁ ସବୁ ସରିଛି। ଜୀବନରେ ଯଦି ଗୋଟିଏ ମନଲାଖି ସାଙ୍ଗ ମିଳିଯାଏ, ତେବେ ଆଉ କି ଲୋଡା। ବନ୍ଧୁ ପାଖରେ ତ ସବୁ ଅଳି-ଅଝଟ, ରାଗ-ରୁଷା, ହସ-କାନ୍ଦ ଆଉ ମାନ-ଅଭିମାନ। ପୁରା ଦୁନିଆରେ କେହି ନ ପଚାରିଲେ ବି କିଛି ଯାଏ ଆସେ ନାହିଁ, ଯଦି ପାଖରେ ମନର ଦରଦ ବୁଝୁଥିବା ସାଙ୍ଗଟିଏ ଥିବ। ମୃତ୍ୟୁ ପର୍ଯ୍ୟନ୍ତ ଯେ ସାଥିରେ ଥାଏ, ସେ ହେଉଛି ବନ୍ଧୁ। ଓଡିଆରେ ଗୋଟିଏ ସୁନ୍ଦର ଗୀତ ଅଛି ‘ ଆରେ ମିତ, ଆ ସଙ୍ଗାତ, ମୁହଁ ଶୁଖାନି...ଏ ଗାଁର ପୁଅ ତୁ, ଏ ଗାଁର ମଉଡମଣି...’
ବନ୍ଧୁତ୍ବ ବିଶ୍ବର ସବୁଠାରୁ ଅମୂଲ୍ୟ ସମ୍ପତ୍ତି । ପ୍ରକୃତ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ କେବେ ବି ଅସୁବିଧା ସମୟରେ ଦେଖି ପାରେନା। ସାହାଯ୍ୟ କରିବା ପାଇଁ ସେ ସବୁ କିଛି କରିଥାଏ। ଯେଉଁ କଥା କାହା ଆଗରେ କହି ହୁଏନା, ସେହି କଥା ବନ୍ଧୁ ଆଗରେ ହିଁ କହି ହୋଇଥାଏ। କାରଣ ସେ ହିଁ ଏମିତି ଜଣେ ମଣିଷ, ଯାହା ଆଗରେ ଦୁଃଖ କହିଲେ ମନ ହାଲ୍କା ହୋଇଯାଏ। ବନ୍ଧୁ ବିନା ଜୀବନ ବିତାଇବା ବଡ କଷ୍ଟସାଧ୍ୟ ।
ବନ୍ଧୁଟିଏ ଟିକେ ରାଗିଗଲେ କିମ୍ବା ମନ ଦୁଃଖ କଲେ ଜମା ବି ଭଲ ଲାଗେନା। କେମିତି ମନୁଆ ସାଙ୍ଗକୁ ବୁଝାଇବି, ତାହା ମନକୁ ଆନ୍ଦୋଳିତ କରୁଥାଏ। ବନ୍ଧୁର ପରିଭାଷା ବ୍ୟାପକ। ଏହା ଅମୂଲ ମୂଲ। ବନ୍ଧୁତ୍ବ ଭଗବାନଙ୍କ ସର୍ବଶ୍ରେଷ୍ଠ ଉପହାର। ପ୍ରକୃତ ବନ୍ଧୁ ଯିଏ ହୋଇଥିବ, ସେ ହିଁ ଏହି ଦିବସର ମହତ୍ତ୍ବ ବୁଝିପାରିବ। ସକାଳୁ ଉଠିଲେ ମନେ ପଡେ ସାଙ୍ଗର କଥା। ଖାଲି ସକାଳୁ କାହିଁକି, ଗୋଟିଏ ଦିନରେ ଏମିତି କୌଣସି ମୂହୁର୍ତ୍ତ ନ ଥାଏ, ଯେଉଁ ସମୟରେ ସାଙ୍ଗର କଥା ମନେ ପଡି ନଥାଏ।