ରାୟପୁର: ଆଜି ହେଉଛି ବିଶ୍ବ ଫଟୋଗ୍ରାଫି ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର 19 ତାରିଖରେ ଏହି ଦିବସ ପାଳନ କରାଯାଏ। ଫଟୋ ଉଠାଇବାକୁ ବା କିଏ ନ ଭଲପାଏ। ତେଣୁ ଏହି ଦିନ କେବଳ ଫଟୋଗ୍ରାଫିକୁ ବୃତ୍ତି ଭାବରେ ଗ୍ରହଣ କରୁଥିବା ବ୍ୟକ୍ତିମାନେ ହିଁ ନୁହେଁ, ବରଂ ଫଟୋ ଉଠାଉଥିବା ସଉକ ବ୍ୟକ୍ତିମାନେ ମଧ୍ୟ ଏହାକୁ ପାଳନ କରିପାରିବେ। ଦିନଥିଲା କେବଳ ହାତଗଣତି କିଛି ବ୍ୟକ୍ତିଙ୍କ ପାଖରେ କ୍ୟାମେରା ରହୁଥିଲା ଏବଂ ସେମାନେ ଫଟୋଗ୍ରାଫି ବା ଚିତ୍ରୋତ୍ତଳନ କରୁଥିଲେ, ଯୁଗ ବଦଳିବା ସହିତ ଆଧୁନିକ ସମୟରେ ସ୍ମାର୍ଟ୍ ଫୋନର ବହୁଳ ବ୍ୟବହାର ଫଳରେ ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ଗୋଟିଏ ଗୋଟିଏ କ୍ୟାମେରା ରହିଛି, କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆଜିକାଲି ଯୁଗରେ ପାଖରେ ମୋବାଇଲ ଥିଲେ ମଧ୍ୟ କେହି କେହି ଏବେ ବି ଷ୍ଟୁଡିଓ ଯିବାକୁ ଭୁଲୁ ନାହାଁନ୍ତି । ତେଣିକି ସେ ପାସପୋର୍ଟ ଫଟୋ ହେଉ କି ବାହାଘର ପାଇଁ ଝିଅର ସିଙ୍ଗଲ ଫଟୋ। ମୋବାଇଲରେ ଯେତେ ଫଟୋ ଉଠାଇଲେ ବି ଷ୍ଟୁଡିଓ ଫଟୋ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଅର୍ଥ କମ ଥାଉ କି ଅଧିକା, ଲୋକେ ଷ୍ଟୁଡିଓ ଫଟୋକୁ ବେଶୀ ଗୁରୁତ୍ବ ଦେଇଥାଆନ୍ତି ।
ଆଜି ଆମେ ଆପଣଙ୍କୁ ଏମିତି ଜଣେ ଫଟୋଗ୍ରାଫରଙ୍କ ବିଷୟରେ କହିବୁ, ଯିଏ ଧନୀ ନୁହେଁ, ଦୁଃଖୀରଙ୍କିଙ୍କ ଫଟୋଗ୍ରାଫର। ସେ ହେଉଛନ୍ତି ରାଜନନ୍ଦଗାଁରେ ବାସ କରୁଥିବା 'ଅଶୋକ ଶ୍ରୀବାସ୍ତବ'। ତାଙ୍କର 15 ବର୍ଷର ଏକ ଷ୍ଟୁଡିଓ ଅଛି । ପିଲାବେଳୁ ହିଁ ତାଙ୍କର ଇଚ୍ଛା ଥିଲା ଗରିବ, ବିକଳାଙ୍ଗ, ମୃତଦେହ, ଶିଶୁମାନଙ୍କର ଫଟୋକୁ ବିନା ଅର୍ଥରେ ଉଠାଇବେ। 1993 ମସିହାରେ ଛୋଟ ପିଲାଙ୍କ ଫଟୋ ଉଠାଇବା ଜିଦିକୁ ସେ ଦେଖୁଥିଲେ। ସେତେବେଳେ ଗୋଟିଏ ଫଟୋର ମୂଲ୍ୟ ଥିଲା ମାତ୍ର 15 ଟଙ୍କା। କିନ୍ତୁ ଅର୍ଥ ଅଭାବରୁ ତାଙ୍କ ବାପାମା ତାଙ୍କୁ ଇଆଡୁ ସିଆଡୁ କଥା କହି ଭୁଲାଇ ଦେଉଥିଲେ। ଏହା ଅଶୋକଙ୍କ ହୃଦୟକୁ ବେଶ୍ ଛୁଇଁ ଥିଲା। ସେବେ ଠାରୁ ସେ ମନରେ ପ୍ରଣ କରିନେଇଥିଲେ ଯେ, ଯେ ପର୍ଯ୍ୟନ୍ତ ବଞ୍ଚିଥିବି, କେବଳ ଗରିବଙ୍କ ପାଇଁ ଫଟୋଗ୍ରାଫର ହେବି। କାହିଁକିନା ଏହାଦ୍ବାରା ତାଙ୍କ ମନକୁ ଶାନ୍ତି ମିଳିଥାଏ।
ଏ ସମ୍ପର୍କରେ ସେ ରାଜନନ୍ଦଗାଁର 'ଇଟିଭି ଭାରତ' ପ୍ରତିନିଧିଙ୍କ ସହ କଥାହେଲାବେଳେ କହିଥିଲେ। ସେ ଆହୁରି କହିଥିଲେ ଯେ, ଫଟୋଗ୍ରାଫି କ୍ଷେତ୍ରରେ ସେ 40 ବର୍ଷ ବିତାଇସାରିଲେଣି। ସେ ଅନ୍ୟ ଲୋକଙ୍କ ଫଟୋ ଉଠାଇବା ସହ ବିଶେଷ କରି ଗରିବ, ଦିବ୍ୟାଙ୍ଗ, ଅସହାୟ ଅବସ୍ଥାରେ ପଡିଥିବା ମୃତଦେହର ଫଟୋ ନିଃଶୁଳ୍କ ଉଠାଇଥାଆନ୍ତି । ତାଙ୍କ ଷ୍ଟୁଡିଓର ପରିସର ବହୁତ ଛୋଟ, ଯେଉଁଥିରେ ସେ ସବୁ ପ୍ରକାରର ଫଟୋ ସାଇତି ରଖିଛନ୍ତି।
ସେ ତାଙ୍କ ଫଟୋଗ୍ରାଫି କ୍ୟାରିୟର ଗରିବ, ଦିବ୍ୟାଙ୍ଗଙ୍କ ଫଟୋ ଉଠାରୁ ହିଁ କରିଥିଲେ। କାହିଁକିନା ଯେତେବେଳେ ସେ ଏକ କର୍ମଚାରୀ ଭାବେ ଏକ ସ୍ଥାନୀୟ ଷ୍ଟୁଡିଓରେ କାମ କରୁଥିଲେ, ସେତେବେଳେ ଟଙ୍କା ନଥିବା କାରଣରୁ ଛୋଟ ଶିଶୁ ଏବଂ ମୂଲିଆ ଶ୍ରେଣୀର ଲୋକଙ୍କୁ ଷ୍ଟୁଡିଓରୁ ମନଦୁଃଖ କରି ଫେରି ଯାଉଥିବାର ବହୁଥର ଦେଖିଥିଲେ। ଏହାକୁ ଦେଖି ସେ ଏକ ପ୍ରକାର ଦୁଃଖରେ ଭାଙ୍ଗି ପଡୁଥିଲେ। ତେଣୁ ସେ ମନେ ମନେ ଭାବିନେଇଥିଲେ ଯେ, ସେ ଯେବେ ଏକ ଷ୍ଟୁଡିଓ କରିବେ, ସେ ଷ୍ଟୁଡିଓରେ ଦାରିଦ୍ର୍ୟ ଯାତନାରେ ପୀଡିତ ଲୋକଙ୍କ ପାଇଁ ନିଃଶୁଳ୍କ ଫଟୋଗ୍ରାଫି କରିବେ।