ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ମହାମାରୀ କାରଣରୁ ଦୁର୍ଗା ପୂଜା ଉପରେ ଲାଗିଥିବା ପ୍ରତିବନ୍ଧକ ପ୍ରତ୍ୟାହାର କରିବାକୁ ସମାଜବାଦୀ ପାର୍ଟି ଏବଂ ଉତ୍ତରପ୍ରଦେଶ କଂଗ୍ରେସ ଯୋଗୀ ଆଦିତ୍ୟନାଥ ସରକାରକୁ କହିଛନ୍ତି । ରାଜ୍ୟସଭାର ବରିଷ୍ଠ ସମାଜବାଦୀ ନେତା ତଥା ବିରୋଧୀ ଦଳ ନେତା ରାମଗୋବିନ୍ଦ କହିଛନ୍ତି, ଦୁର୍ଗାପୂଜା ଉପରେ ନିଷେଧାଦେଶ ସମ୍ବିଧାନର ଧର୍ମଗତ ସ୍ବାଧୀନତା ଅଧିକାର ଉପରେ ସିଧାସଳଖ ଆକ୍ରମଣ ।
ପୂଜା ପେଣ୍ଡାଲକୁ ଅନୁମତି ନ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଇନର ଉଲ୍ଲଂଘନ ଅଟେ । ପୂଜା ସମୟରେ ସରକାର ସାମାଜିକ ଦୂରତା ତଥା ଅନ୍ୟାନ୍ୟ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଉଚିତ୍ । ଯଦି ରାଜ୍ୟ ସରକାର ନିର୍ଦ୍ଧିଷ୍ଟ ସଂଖ୍ୟକ ଲୋକଙ୍କ ଦ୍ବାରା ରାମ ଲୀଳା ଅନୁଷ୍ଠିତ କରିବାକୁ ଅନୁମତି ପ୍ରଦାନ କରିପାରନ୍ତି ତେବେ ପୂଜା ପେଣ୍ଡାଲଙ୍କୁ ଅନୁମତି ନ ଦିଆଯିବାର କୌଣସି କାରଣ ନାହିଁ ବୋଲି ରାମ ଗୋବିନ୍ଦ କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ମଧ୍ୟ ରାଜ୍ୟରେ ଦୁର୍ଗାପୂଜାକୁ ଅନୁମତି ନ ଦେବା ଘଟଣାରେ ଉତ୍ତରପ୍ରଦେଶ ସରକାର ଉପରେ ବର୍ଷିଛି । କଂଗ୍ରେସରେ ନୂତନ ଭାବେ ନିଯୁକ୍ତ ବଙ୍ଗୀୟ ଇନଚାର୍ଜ ଜିତିନ ପ୍ରସାଦ କହିଛନ୍ତି, ମଧ୍ୟପ୍ରଦେଶରେ ବ୍ୟାପକ ରାଜନୈତିକ ରାଲିକୁ ଅନୁମତି ଦିଆଯାଇପାରେ ହେଲେ ସମାନ ରୂପେ ବଙ୍ଗଳା ସଂମ୍ପ୍ରଦାୟର ଦୁର୍ଗାପୂଜାକୁ ସରକାର ଅନୁମତି ଦେବେ ନାହିଁ । ଏହା କେବଳ ଦର୍ଶାଉଛି ଯେ ବିଜେପି ଉପରେ ବିଶ୍ବାସ ଏକ ସୁବିଧାଜନକ ବିଷୟ ହୋଇଥିବାବେଳେ ସେମାନଙ୍କ ପାଇଁ କେବଳ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜନୀତି ।