ଲକ୍ଷ୍ନୌ: ପୁଣି ମାନବିକତାର ପରିଚୟ ଦେଲେ ଅଭିନେତା ସୋନୁ ସୁଦ । ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଜଣେ 22 ବର୍ଷର ଯୁବତୀ ପ୍ରତିଭାଙ୍କ ଚିକିତ୍ସା ପାଇଁ ଦୂତ ଭାବେ ଉଭା ହୋଇଛନ୍ତି ସୋନୁ ସୁଦ । ଯକ୍ଷ୍ମା ରୋଗରେ ପୀଡିତ ପ୍ରତିଭା ଚିକିତ୍ସା ପାଇଁ ଟ୍ବିଟରରେ ସାହାଯ୍ୟ ମାଗିଥିଲେ । ଏହି ଖବର ସୋନୁ ସୁଦ ପାଖରେ ପହଞ୍ଚିବା ପରେ ସେ ପ୍ରତିଭାଙ୍କ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରିଛନ୍ତି ।
ସୂଚନା ଅନୁଯାୟୀ ଘୋସିଆ ନାମକ ଏକ ଗାଁରେ ପରିବାର ସହ ରହୁଥିଲେ ପ୍ରତିଭା । ସେ ତାଙ୍କ ବାପାଙ୍କ ଉପରେ ରାଗି ଘରଛାଡି ଦିଲ୍ଲୀର ନୋଏଡାରେ ଏକ ପାର୍ଲର ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିଲେ । ସେଠାରେ ତାଙ୍କର ଏକ ଦୁର୍ଘଟଣାରେ ଗୋଡରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ଅଭାବରୁ ପ୍ରତିଭାଙ୍କର ହାଡ ଯକ୍ଷ୍ମା ରୋଗରେ ପୀଡିତ ହେଲେ । ପରେ ଆର୍ଥିକ ସଙ୍କଟ ଦେଖାଦେବାରୁ ପ୍ରତିଭା ଘୋସିଆର ନିଜଘରକୁ ଫେରି ଆସିଥିଲେ ।