ନୂଆଦିଲ୍ଲୀ: ସାରା ବିଶ୍ବ କୋରୋନା ସହ ଲଢେଇ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହାର ମୁକାବିଲା ପାଇଁ ଦେଶକୁ 21 ଦିନ ଲକଡାଉନ କରିଛନ୍ତି । ଯାହା ଏପ୍ରିଲ 14 ଅର୍ଥାତ୍ ମଙ୍ଗଳବାର ରାତିରେ 12ଟାରେ ଶେଷ ହେବ । ହେଲେ ଲକଡାଉନ ସତ୍ତ୍ବେ ଦେଶରେ କୋରୋନାର କାୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟର ସରକାର ଲକଡାଉନ ବୃଦ୍ଧି ପାଇଁ ଦାବି କରୁଛନ୍ତି । ଏପରିକି ଅନେକ ରାଜ୍ୟ କେନ୍ଦ୍ର ପୂର୍ବରୁ ଲକଡାଉନ ଅବଧିକୁ ବୃଦ୍ଧି ମଧ୍ୟ କରି ସାରିଛନ୍ତି । ଇତିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୋଦିଙ୍କୁ ଚିଠି ଲେଖିଛନ୍ତି ।
ଉକ୍ତ ଚିଠିରେ ସେ ଲେଖିଛନ୍ତି କି, ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଯେପରି ଦେଶର କୌଣସି ନାଗରିକ ଭୋକ ଉପାସରେ ନ ରହିବେ ସେ ନେଇ ସରକାର ନିଶ୍ଚିତ କରନ୍ତୁ । ଲକଡାଉନ ଯୋଗୁଁ ଅନେକ ଗରିବ ପରିବାର ଖାଇବାକୁ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି । ତେବେ ଦେଶରେ ଅନ୍ନ ଭଣ୍ଡାର ଥାଇ ଲୋକେ ଭୋକ ଉପାସରେ ରହିବାକୁ ସେ ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି ।