ନୂଆଦିଲ୍ଲୀ: ଦୀର୍ଘ ଦେଢମାସ ଧରି ଜାରି ରହିଥିବା ପ୍ରତିକ୍ଷାର ଅନ୍ତ ଘଟାଇ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଦିନ ତମାମ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଶେଷରେ ସୋନିଆଙ୍କ ହାତରେ ଦଳର ଦାୟୀତ୍ବ ଫେରାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତେବେ ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ପାଦନ କରିବେ ।
ତେବେ ବୈଠକରେ ତିନୋଟି ପ୍ରସ୍ତାବ ପାରିତ କରାଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲ କହିଛନ୍ତି । ରାହୁଲ ଗାନ୍ଧୀ ଯେପର୍ଯ୍ୟନ୍ତ ଦଳର ନେତୃତ୍ବ ନେଇଥିଲେ ତାହା ଖୁବ୍ ଭଲ ରହିଥିବା ପ୍ରଥମ ପ୍ରସ୍ତାବ ଥିଲା । ସେ ବ୍ୟବସାୟୀ ଚାଷୀ, ମୁଲିଆ, ମହିଳା ଏବଂ ଆଦିବାସୀଙ୍କ ପାଇଁ ସ୍ବର ଉତ୍ତୋଳନ କରିଥିଲେ । ତେବେ ଏହି ପ୍ରସ୍ତାବରେ ରାହୁଲଙ୍କୁ ଦଳ ଅଧ୍ୟକ୍ଷ ଭାବେ ପୁଣିଥରେ ଫେରିବାକୁ ନିବେଦନ କରାଯାଇଥିଲା । କିନ୍ତୁ ରାହୁଲ ମନା କରିଦେଇଥିଲେ ।