ମୁମ୍ବାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ସମୀକରଣରେ କଂଗ୍ରେସର ହାତ ହିଁ ସମାଧାନର ସୂତ୍ର । କଂଗ୍ରେସ ଶିବସେନାକୁ ସହଯୋଗ ଓ ସମର୍ଥନ ଦେବା ନ ଦେବା ଉପରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । 10-ଜନପଥରେ ହାଇକମାଣ୍ଡଙ୍କ ଘରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ସହ ଏନେଇ ବିଚାର ବିମର୍ଷ ଜାରି ରହିଛି। ଏପରି ସମୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ସୋନିଆ ଗାନ୍ଧୀଙ୍କୁ ଫୋନ କରିଥିବା ଖବର ମିଳିଛି। ଏହା ସହ ଦୁଇ ପ୍ରମୁଖ ନେତା 5ମିନିଟରୁ ଊର୍ଦ୍ଧ୍ବ ସମୟ ଧରି ବାର୍ତ୍ତାଳାପ କରିଥିବା ସୂଚନା ରହିଛି।
କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ, ଏକେ ଆଣ୍ଟୋନି ଓ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତି ଓ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ 10-ଜନପଥ ସ୍ଥିତ ବାସଭବନରେ ଚାଲିଛି ରୁଦ୍ଧଦ୍ବାର ବୈଠକ । ଏ ସମୟରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ସୋନିଆଙ୍କ ସହ ସିଧାସଳଖ ଫୋନରେ କଥା ହୋଇଛନ୍ତି । ସୋମବାର ଆୟୋଜିତ ଏହି ବୈଠକ ଶେଷ ହେବାପରେ କଂଗ୍ରେସ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ଦଳୀୟ ଆଭିମୁଖ୍ୟ କ’ଣ ରଖିବ ତାହା ସ୍ପଷ୍ଟ ହୋଇଯିବ।