ଆମେଥି: ଏଥର ଉତ୍ତରପ୍ରଦେଶ ଆମେଥିରେ ହେବ ବିଜେପି-କଂଗ୍ରେସ ମହାଯୁଦ୍ଧ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଏଥିପାଇଁ ଉଭୟ ନେତାଙ୍କ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ତେବେ ଏହି ଲଢେଇରେ ରାହୁଲଙ୍କୁ ମୁକାବିଲା କରିବା ପୂର୍ବରୁ ପୂଜାର୍ଚ୍ଚନା କରି ଚର୍ଚ୍ଚାରେ ସ୍ମୃତି। ଏଠାରେ ହ୍ୟାଟ୍ରିକ ମାରିସାରିଥିବା ରାହୁଲଙ୍କୁ ହରାଇବାକୁ ସେ ଭଗବାନଙ୍କ ଶରଣ ପଶିଛନ୍ତି। ଆଗକୁ ଆମେଥି ଆସନ ପାଇଁ ନାମାଙ୍କନ ଭରିବାକୁ ଥିବାବେଳେ ଏଥିଲାଗି ସ୍ମୃତି ଆଜି ନିଜ ଘରେ ପୂଜାପାଠ କରିଛନ୍ତି।
ଆଜିଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଥିବାବେଳେ ଆମେଥିରେ ମେ 6ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ରାହୁଲ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ସ୍ମୃତି ଏପର୍ଯ୍ୟନ୍ତ ନାମାଙ୍କନ ଭରିନଥିବାବେଳେ ଏହା ପୂର୍ବରୁ ସେ ଘରେ ପୂଜାପାଠ କରିଛନ୍ତି । ହୋମ ଓ ଯଜ୍ଞ କରି ସେ ଭଗବାନଙ୍କ ଆଶୀର୍ବାଦ ଲୋଡିଛନ୍ତି । ଏଥିରେ ତାଙ୍କ ସହ ପତି ଜୁବିନ ଇରାନୀ ଉପସ୍ଥିତ ଥିଲେ।
ଆମେଥିରେ ହେବ ରାହୁଲ-ସ୍ମୃତି ଫାଇଟ। ରାହୁଲଙ୍କୁ କିପରି ସ୍ମୃତି ମୁକାବିଲା କରିବେ ତାହା କେବଳ ଦେଖିବାକୁ ବାକି ରହିଲା। କାରଣ ଆମେଥି କଂଗ୍ରେସ ଗଡ ଭାବେ ପରିଚିତ। ଏଠାରୁ ରାହୁଲଙ୍କ ଆଗରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ 4 ଥର ସାଂସଦ ରହିଥିଲେ । ସେହିପରି ନାମାଙ୍କନ ଭରିବା ସମୟରେ ବିଶାଳ ରୋଡ ଶୋ କରି ରାହୁଲ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ତେଣୁ ଏଠାରେ କଂଗ୍ରେସ-ବିଜେପି ମଧ୍ୟରେ ମହାଯୁଦ୍ଧ ହେବ ବୋଲି କୁହାଯାଉଛି ।