ମୁମ୍ବାଇ: ଠାକରେ ପରିବାରର କୌଣସି ସଦସ୍ୟ ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି । ପରିବାରର ତୃତୀୟ ପିଢି ବାଲା ସାହେବ ଠାକରେଙ୍କ ପରେ ଉଦ୍ଧବ ଠାକରେ ଓ ଏବେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ଶିବସେନାର ଭାର ସମ୍ଭାଳିବାକୁ ପ୍ରସ୍ତୁତ । କିନ୍ତୁ ଏହା ପୂର୍ବରୁ ଇତିହାସରେ ନୂଆ ପୃଷ୍ଠା ରଚନା କରିବାକୁ ଯାଉଛନ୍ତି ଆଦିତ୍ୟ । ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ପୋଷ୍ଟରରେ ଆଦିତ୍ୟଙ୍କ ଭାଷା ରାଜନୀତି - Kem Cho Worli in Aditya Thackeray poster
ମୁମ୍ବାଇର ଓ୍ବର୍ଲି ଆସନରେ ଶିବସେନା ପ୍ରମୁଖ ଆଦିତ୍ୟ ଠାକରେଙ୍କ ନାମରେ ଲାଗିଥିବା ପୋଷ୍ଟରରେ ବିଭିନ୍ନ ଭାଷାରେ କେମିତି ଅଛ ଓ୍ବର୍ଲି ଲେଖାଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ଠାକରେ ପରିବାରର ସଦସ୍ୟ ଭାବେ ଓ୍ବର୍ଲିରୁ ନିର୍ବାଚନ ଲଢୁଛନ୍ତି ଆଦିତ୍ୟ ।
ମୁମ୍ବାଇର ବାନ୍ଦ୍ରାରେ ରହୁଥିବା ଆଦିତ୍ୟ ଓ୍ବର୍ଲି ଆସନରୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିଜ ଭାଗ୍ୟ ପରୀକ୍ଷା କରିବେ । ଏହାର ଔପଚାରିକ ଘୋଷଣା ମଧ୍ୟ ହୋଇ ସାରିଛି । ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଓ୍ବର୍ଲିରେ ଆଦିତ୍ୟଙ୍କ ପାଇଁ ପ୍ରଚାର ଜୋରଶୋରରେ ଆରମ୍ଭ ହୋଇ ଗଲାଣି । ଆଦିତ୍ୟଙ୍କ ନାମରେ ବଡ ବଡ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଏହି ପୋଷ୍ଟରରେ କେମ ଛୋ ଓ୍ବର୍ଲି(କେମିତି ଅଛ ଓ୍ବର୍ଲି) ଲେଖାଥିବା ନଜର ଆସିଛି । ଗୁଜୁରାଟୀ ସମେତ ତାମିଲି, ଉର୍ଦ୍ଦୁ, ଇଂରାଜୀ ଭାଷାରେ ମଧ୍ୟ ଲେଖାଯାଇଥିବା ପୋଷ୍ଟର ମରାଯାଇଛି ।
ଗୋଟିଏ ପଟେ ଭାଷାକୁ ନେଇ ଦେଶରେ ବିବାଦ ଲାଗିଥିବା ବେଳେ ଆଦିତ୍ୟଙ୍କ ଏହି ପୋଷ୍ଟର ରାଜନୀତିରେ ଅନେକ କିଛି ସନ୍ଦେଶ ଦେଉଛି । ତେବେ ଏହି ଆସନରେ ଆଦିତ୍ୟଙ୍କୁ କେତେ ସଫଳତା ମିଳିବ ତାହା ଆଗାମୀ ଦିନରେ ଜଣା ପଡିବ ।