ଓଡିଶା

odisha

ETV Bharat / bharat

ଅଟକିଲା ଶିବସେନାର ସରକାର ଗଠନ ସ୍ବପ୍ନ ! - ମହାରାଷ୍ଟ୍ର ମହାଭାରତ

ମଣିଷ ଜୀବନ ପରି ରାଜନୀତିରେ ବି କେତେବେଳେ କଣ ଘଟିବ ତାହା ଆକଳନ କରିବା ମୁସ୍କିଲ । ଯେଉଁ ଶିବସେନା ସରକାର ଗଠନ ପାଇଁ ଦିନରାତି ସ୍ବପ୍ନ ଦେଖୁଥିଲା ଏବେ ସେ ଘୋର ସଙ୍କଟରେ ।

ଡିଜାଇନ ଫଟୋ

By

Published : Nov 12, 2019, 12:59 PM IST

ମୁମ୍ବାଇ: ଗତ 24ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ମହାଭାରତରେ ଅନେକ ଦୃଶ୍ୟ ମଞ୍ଚସ୍ଥ ହୋଇସାରିଛି । ମଞ୍ଚସ୍ଥ ହୋଇଥିବା ସମସ୍ତ ନାଟକରେ ଚିତ୍ର ଓ ଚରିତ୍ର ଶିବସେନା ହିଁ ରହିଛି । କ୍ଷମତା ପାଇଁ ନିଜ ପଦ ମର୍ଯ୍ୟଦାକୁ ବାଜିରେ ଲଗାଇଥିବା ଶିବସେନା ଏବେ ଗୋଟିଏ ପରେ ଗୋଟିଏ ବାଜି ହାରିବାରେ ଲାଗିଛି । ନିଜର ଭୁଲ ଗୋଟି ଚାଳନା ଯୋଗୁଁ ଏବେ ସେନାକୁ ବହୁମୁଲ୍ୟ ଦେବାକୁ ପଡିପାରେ । ଆଶା କରାଯାଉଥିଲା ସୋମବାର 18ଦିନ ଧରି ଚାଲିଥିବା କ୍ଷମତା ମହାଭାରତରେ ଯବନିକା ପଡିଯିବ । କିନ୍ତୁ ରାଜନୀତିର ଏହି ମହାଭାରତ ଅଷ୍ଟାଦଶ ଅଧ୍ୟାୟ ଶେଷ କରି ଆଗକୁ ବଢିଛି । କେତେ ଅଧ୍ୟାୟରେ ଏହା ଅନ୍ତ ହେବ ତାହା ଏବେବି ଅସ୍ପଷ୍ଟ ।

ସୋମବାରର ପୁରା ରାଜନୀତି ଘଟଣାକୁ ଯଦି କ୍ରିକେଟ ମ୍ୟାଚ ସହ ତୁଳନା କରାଯାଏ, ଗୋଟିଏ କଥା ସ୍ପଷ୍ଟ ଶିବସେନା ସାରା ଦିନ ଆକର୍ଷଣୀୟ, ଚିତାକର୍ଷକ ବ୍ୟାଟିଂ କଲା । କିନ୍ତୁ ମ୍ୟାଚ ବିଜୟର କିଛି ସମୟ ପୂର୍ବରୁ ପୁରା ଗେମ ଚେଞ୍ଜ ଭଳି ରାଜନୀତିର ଅଭିଜ୍ଞ ଖେଳାଡି କଂଗ୍ରେସର ଗୁଗଲୀରେ କ୍ଲିନ ବୋଳ୍ଡ ହୋଇଯାଇଛି । କ୍ଷମତା ପାଇଁ ଉଦ୍ଧବ ଏତେ ଅନ୍ଧ ହୋଇପଡିଛନ୍ତି ଯେ ନିଜ ହିନ୍ଦୁତ୍ବ ବିଚାର ଧାରାକୁ ପଛକୁ ଠେଲି କଂଗ୍ରେସ ଆଗରେ ନିଲାମ ହେବାକୁ ପଛାଇନାହାଁନ୍ତି । ସେହିଭଳି ଶରଦ ପାୱାରଙ୍କ ରଣନୀତିକୁ ଠିକ ଭାବେ ବୁଝିବାରେ ଅସମର୍ଥ ସେନା ମୁଖ୍ୟ ।


ରବିବାର ସଂଧ୍ୟାରେ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେବା ପରେ ସରକାର ଗଠନ ପାଇଁ ସବୁ ଶକ୍ତି ଲଗାଇ ଦେଇଥିଲା ଶିବସେନା । ଏନସିପି-ଶିବସେନା ମଧ୍ୟରେ ମଧ୍ୟ ତୁହାକୁ ତୁହା ଚାଲିଲା ଆଲୋଚନା । ଚର୍ଚ୍ଚା ହେଲା ସରକାର ଗଠନ ପାଇଁ ଉଭୟ ଦଳ ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁଯାୟୀ ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ, ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଓ କଂଗ୍ରେସକୁ ମିଳିବ ବାଚସ୍ପତି ପଦ । ଏମିତି ଚର୍ଚ୍ଚା ଭିତରେ କଂଗ୍ରେସର ହଲଚଲ ମଧ୍ୟ ବଢିଗଲା । ଦଳ ମୁମ୍ବାଇରୁ 10 ଜନପଥ, ଏବଂ ଜୟପୁର ପର୍ଯ୍ୟନ୍ତ ବୈଠକ ଆରମ୍ଭ କରିଦେଲା ।

ଏତିକିରେ କଂଗ୍ରେସ ଗାଡି ଅଟକିଲା ନାହିଁ । ମହାରାଷ୍ଟ୍ର ମହାଭାରତରେ ସାମିଲ ହେବାପାଇଁ ଦଳ ତୁରନ୍ତ ସିଡବ୍ଲୁସି ବୈଠକ ଡାକିବା ସହ ମହାରାଷ୍ଟ୍ରର ସମସ୍ତ ନେତାଙ୍କୁ ଦିଲ୍ଲୀ ଡକାଗଲା । ବହୁ ବିଚାର ବିମର୍ଷ ହେଲା । ହେଲେ ଶିବସେନାକୁ ‘ଲେଟର ଫର୍ ସପୋର୍ଟ’ ସମର୍ଥନ ପତ୍ର ମିଳିଲା ନାହିଁ । ଯାହା ଫଳରେ ଶିବସେନା ରାଜ୍ୟପାଳଙ୍କ ପାଖରେ କେବଳ ‘ଇଚ୍ଛା’ ବ୍ୟକ୍ତ ବ୍ୟତୀତ ଶକ୍ତି ଉପସ୍ଥାପନା କରିପାରିନଥିଲା । ଯାହାଦ୍ବାରା ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ।


କ୍ଷମତା ପାଇଁ ନିଜ ପୁରୁଣା ସହଯୋଗୀ ବିଜେପିକୁ ଛାଡି ପାୱାରଙ୍କ ବଳରେ ବଳିୟାନ ହେବାକୁ ସେନା ଯେଉଁ ସ୍ବପ୍ନ ଦେଖୁଥିଲା ସେଥିରେ ଏବେ ଖୋଦ ଶରଦ ପାୱାର ହିଁ ଖଳନାୟକ ଭାବେ ଉଭା ହୋଇଛନ୍ତି । ଯାହା ଶିବସେନାକୁ ଶକ୍ତ ଧକ୍କା । କାରଣ କଂଗ୍ରେସର ସମର୍ଥନ ଏପର୍ଯ୍ୟନ୍ତ ସେନାକୁ ମିଳି ପାରିନାହିଁ । ଆଉ ଯାହାର ସ୍ପଷ୍ଟ ଆଭାସ ମିଳିଥିଲା ଆଦିତ୍ୟ ଠାକରେ ରାଜଭବନରେ ଦେଇଥିବା ବୟାନରେ । ସୋମବାର ଦିନସାରା ଛକା ଚୌକାର ବର୍ଷା କରିଥିବା ସେନା କିନ୍ତୁ ସଂଧ୍ୟାରେ କଂଗ୍ରେସ ଗୁଗଲିରେ କ୍ଲିନ ବଳ୍ଡ ହୋଇଛି ।


ଅନ୍ୟପଟେ ଏନସିପିକୁ ଡାକରା ମିଳିବା ମାତ୍ରେ ଦଳ ଆଶ୍ଚର୍ଯ୍ୟ ଜନକ ଭାବେ ସିଧା ଦୌଡିଥିଲା ରାଜଭବନକୁ । ଏହାସହ ଦଳ କହିଥିଲା କଂଗ୍ରେସ ସହ ଆଲୋଚନା କରି ରାଜ୍ୟପାଳଙ୍କୁ ଜଣାଇବେ । ଏଠି ପ୍ରଶ୍ନ ଉଠୁଛି ତାହାହେଲେ ଏନସିପି ଶିବସେନା ସହ ଆଲୋଚନା, ପର୍ଯ୍ୟାଲୋଚନା ରଣନୀତି କରିବା ଧୋକା ନଥିଲା ତ ? ଖାଲି ଏତିକି ନୁହେଁ ଦଳ ଶିବସେନାକୁ ଏନଡିଏ ଠାରୁ ସମ୍ପର୍କ ଛିନ୍ନ ପାଇଁ କହିଥିଲା । ଯାହା ଅନୁପାଳନ କରିଛି ସେନା । ଏହି ସମସ୍ତ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଶିବସେନା, କଂଗ୍ରେସ -ଏନସିପି ବଳରେ ବିଜେପି ହାତ ଛାଡିଛି ସତ ହେଲେ ଏବେ ନିଜ ଜାଲରେ ନିଜେ ଫସିବାକୁ ଯାଉଛି । କାରଣ ଏନସିପି-କଂଗ୍ରେସ ଗତକାଲି ସେନାକୁ ସମର୍ଥନ ପତ୍ର ନଦେବାର କାରଣ ହେଲା ନିଜ ସ୍ବାର୍ଥ ସାଧନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହା ହେଲେ ସେମାନେ ସମର୍ଥନ ଦେବେ ସେନାକୁ , ଯାହା ଶିବସେନା ପାଇଁ ଆତ୍ମହତ୍ୟା ସଦୃଶ୍ୟ ହେବ ।

ABOUT THE AUTHOR

...view details