ଲକ୍ଷ୍ନୌ: ଉତ୍ତର ପ୍ରଦେଶ କାଶଗଞ୍ଜ ଜିଲ୍ଲା ସହାବର ତହସିଲ ଖେଡ଼ା ଗାଁର ବାସିନ୍ଦା ଶୀଲା ଦେବୀ, ମହିଳା ସଶକ୍ତିକରଣର ଏକ ଜ୍ବଳନ୍ତ ଉଦାହରଣ। ବିବାହର ମାତ୍ର ବର୍ଷକ ପରେ ସ୍ବାମୀ ଆରପାରିକୁ ଚାଲିଗଲେ। ଏହାସତ୍ତ୍ବେ ସେ ନିଜକୁ କାହା ଉପରେ ବୋଝ ହେବାକୁ ଦେଇ ନାହାନ୍ତି। ଗତ 22 ବର୍ଷ ହେଲା ସାଇକେଲରେ ଗାଁଗାଁ ବୁଲି କ୍ଷୀର ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଆଜି ତାଙ୍କୁ 62 ବର୍ଷ, ପରିଣତ ବୟସରେ ବି ସେ ଆତ୍ମନିର୍ଭର। କେବେ ସେ କାହା ଆଗରେ ହାତ ପତାଇ ନାହାନ୍ତି। ଗାଁଲୋକେ ତାଙ୍କୁ ସ୍ନେହରେ ଡାକନ୍ତି ଶିଲା ବୁଆ।
1980 ମସିହାରେ ଶୀଲାଦେବୀଙ୍କ ବିବାହ ହୋଇଥିଲା। ବିବାହର ବର୍ଷେ ପରେ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା। ପରେ ତାଙ୍କ ଉପରେ ଯେମିତି ବିପଦର ପାହାଡ଼ ମାଡ଼ି ବସିଲା। ସ୍ବାମୀଙ୍କ ମୃତ୍ୟୁ ପରେ ଶୀଲାଦେବୀ ନିଜ ବାପଘର ଖେଡ଼ା ଗାଁକୁ ଆସି ରହିବାକୁ ଲାଗିଲେ। ସେ କାହା ଉପରେ ବୋଝ ହେବାକୁ ଚାହୁଁନଥିଲେ। ସାହାସର ସହ ପିତାଙ୍କୁ କ୍ଷେତ କାମରେ ସାହାଯ୍ୟ କଲେ।
ଧିରେଧିରେ ଶୀଲାଦେବୀଙ୍କ ଜୀବନ ସୁଧୁରୁଥିବା ବେଳେ ବର୍ଷେ ପରେ ତାଙ୍କ ମାଆ ଓ ବାପାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। କିନ୍ତୁ ଶୀଲା ଦେବୀଙ୍କ ଦୃଢ଼ ମନୋବଳ ତାଙ୍କୁ ହାରିବାକୁ ଦେଇ ନଥିଲା। ଜୀବନଜୀବିକା ପାଇଁ ସେ ଦୁଇଟି ମଇଁଶି କିଣି କ୍ଷୀର ବ୍ୟବସାୟ ଆରମ୍ଭ କଲେ। ସାଇକେଲରେ ଆଖପାଖ ଅଞ୍ଚଳରେ କ୍ଷୀର ବିକ୍ରି କଲେ।
ଗତ 22 ବର୍ଷ ହେଲା ସେ ଏହି କାମ କରୁଛନ୍ତି।ଆଜି ଶୀଲା ବୁଆଙ୍କୁ 62 ବର୍ଷ। ଆଜି ବି ତାଙ୍କ ମନୋବଳ ଦୃଢ଼ ରହିଛି। ସାଇକେଲଟେ ଧରି ଘର ଓ ଦୋକାନରେ ସେ କ୍ଷୀର ବିକ୍ରି କରନ୍ତି। ଘରେ ପାଳିଥିବା ମଇଁଶିଙ୍କଠୁ କିଛି କ୍ଷୀର ମିଳୁଥିବା ବେଳେ କିଛି ସେ ଗାଁର ପଶୁ ପାଳକଙ୍କଠାରୁ କିଣନ୍ତି।