ମୁମ୍ବାଇ: କଂଗ୍ରେସ (ଏନସିପି) ର ପ୍ରମୁଖ ଶରଦ ପାୱାର ବର୍ତ୍ତମାନ ଦିଲ୍ଲୀର ନିଜାମୁଦ୍ଦିନରେ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ନିଜାମୁଦ୍ଦିନରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କିଏ ଅନୁମତି ଦେଇଥିଲା । ପାୱାର ଫେସବୁକ ଲାଇଭକୁ ଆସି ଆଲୋଚନା କରିଛନ୍ତି ଏବଂ ଏଠାରେ ସେ କହିଛନ୍ତି, ମହାରାଷ୍ଟ୍ରରେ ଦୁଇଟି ବଡ଼ ବଡ଼ ସଭା ପ୍ରଥମେ ମୁମ୍ବାଇରେ ଏବଂ ଦ୍ବିତୀୟରେ ସୋଲାପୁର ଜିଲ୍ଲାରେ ପ୍ରସ୍ତାବିତ ହୋଇଥିଲା । କିନ୍ତୁ ସରକାର ଏଠାରେ ତବଲିଗୀ ଜମାତର ଆୟୋଜନ କରିବାକୁ ଅନୁମତି ଦେଲେ ନାହିଁ ।
ସେ କହିଛନ୍ତି, ମୁମ୍ବାଇରେ ଆୟୋଜନ କରିବାକୁ ଅନୁମତି ଦେଲେ ନାହିଁ । ସେପଟେ ସୋଲାପୁରରେ ପୋଲିସ ଆୟୋଜକଙ୍କ ବିରୋଧରେ ଆଦେଶକୁ ଉଲ୍ଲଂଘନ କରୁଥିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ପାୱାର ଏଠାରେ ପ୍ରଶ୍ନ ଉଠାଇଛନ୍ତି ଯେ, ‘ଯଦି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏପରି ନିଷ୍ପତ୍ତି ନେଇପାରନ୍ତି, ତେବେ ଏଭଳି କାର୍ଯ୍ୟକ୍ରମ କରିବାକୁ ଦିଲ୍ଲୀରେ କାହିଁକି ଅନୁମତି ଦିଆଗଲା ଏବଂ କିଏ ଏହି ଅନୁମତିକୁ ମଞ୍ଜୁରୀ ଦେଲା ।’
ପୂର୍ବ କେନ୍ଦ୍ର ମନ୍ତ୍ରୀ ନିଜାମୁଦ୍ଦିନ କାର୍ଯ୍ୟକ୍ରମକୁ ନେଇ ଗଣମାଧ୍ୟମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ‘ମିଡିଆ ପାଇଁ ଏହି ନିଜାମୁଦ୍ଦିନ ମାମଲା ପ୍ରଚାର କରିବାର ଏତେ ଆବଶ୍ୟକତା କଣ ଥିଲା । ଏପରି କରିବା ଦ୍ବାରା ଦେଶର ଏକ ସମ୍ପ୍ରଦାୟକୁ ଆଘାତ କରାଯାଉଛି ।’ ଏଥିପୂର୍ବରୁ ପାୱାର କହିଥିଲେ, ‘ଦିଲ୍ଲୀର ମର୍କଜରେ ଯାହା ହେଲା ତାପରଠାରୁ ସମସ୍ତ ଲୋକେ ନିଜ ନିଜ ଗାଁକୁ ଗଲେ । ଯାହାଦ୍ବାରା ଆହୁରି ବିପଦ ବଢିବାରେ ଲାଗିଛି । ତବଲିଗୀ ଜମାତର କାର୍ଯ୍ୟକ୍ରମକୁ ବନ୍ଦ କରିବା ଉଚିତ ଥିଲା । ’
ସୂଚନା ଥାଉକି, ଦେଶରେ କୋରୋନା ଭାଇରସରେ 400 ରୁ ଅଧିକ ମାମଲା ଏବଂ 15 ଜଣଙ୍କର ମୃତ୍ୟୁ ମାମଲା ତବଲିଗୀ ଜମାତ ସହ ଜଡିତ । ଏଠାରେ ଲକଡାଉନ ହେବା ସତ୍ତ୍ବେ ହଜାର ହଜାର ଲୋକେ ଏକାଠି ହୋଇଥିଲେ । ସୂଚନା ମୁତାବକ ଗତ ମାସ ନିଜାମୁଦ୍ଦିନରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରାୟ 9 ହଜାର ଲୋକେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ବହୁତ ଲୋକେ ବିଦେଶରୁ ମଧ୍ୟ ଆସିଥିଲ। କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକେ ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ମଧ୍ୟ ଯାତ୍ରା କରିଛନ୍ତି । ଯାହାପରଠୁ ସାରା ଦେଶରେ ଏହି ମାରାତ୍ମକ ଭାଇରସ ବ୍ୟାପିଲା ଏବଂ ଲଗାତାର ତାହା ବଢିବାରେ ଲାଗିଛି ।