କୋରୋନା ମହାମାରୀର ପ୍ରକୋପ ଜାରି ରହିଛି । ସାରା ବିଶ୍ବରେ ଏହି ମହାମାରୀ ଏ ଯାଏଁ 1 ଲକ୍ଷ 50 ହଜାରରୁ ଅଧିକ ମୁଣ୍ଡ ନେଇସାରିଲାଣି । 22 ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଚିନ୍ତାର ବିଷୟ ହେଲା ଯେ, କୋରୋନା ଯୁଦ୍ଧରେ ସମ୍ମୁଖ ବୀର ସାଜିଥିବା ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଭାଇରସରେ ଆକ୍ରାନ୍ତ ହେଉଛନ୍ତି । ଏପରିକି ସ୍ବାସ୍ଥ୍ୟକ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଉଥିବା ଧନୀ ରାଷ୍ଟ୍ରଗୁଡିକ ମଧ୍ୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ଅସହାୟ ମଣୁଛନ୍ତି । ସ୍ବାସ୍ଥ୍ୟକ୍ଷେତ୍ରରେ ଅପେକ୍ଷାକୃତ କମ୍ ବଜେଟ ବ୍ୟବସ୍ଥା କରୁଥିବା ଭାରତ ଭଳି ଦେଶର ତ ଅବସ୍ଥା ସହଜରେ କହିହେବନି । କୋରୋନା ମହାମାରୀ ନିୟନ୍ତ୍ରଣ ପାଇଁ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରିବା ସହ ବ୍ୟାପକ ପରୀକ୍ଷଣ ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶକୁ ଗ୍ରହଣ କରିବା ସ୍ଥିତିରେ ନାହିଁ ଭାରତ । କାରଣ ଏଥିପାଇଁ ଡାଏଗ୍ନୋଷ୍ଟିକ କିଟ, ହସ୍ପିଟାଲ ବେଡ ଓ ମେଡିକାଲ ଷ୍ଟାଫଙ୍କ ପାଇଁ ଆବଶ୍ୟକ ସୁରକ୍ଷା ଉପକରଣର ଅଭାବ ରହିଛି । ଏଭଳି ସ୍ଥିତିରେ ମହାମାରୀର ମୁକାବିଲା ପାଇଁ ଲକଡାଉନ ଓ ସେଲଫ କ୍ବାରେନଣ୍ଟାଇନ ଛଡା ଅନ୍ୟ ବିକଳ୍ପ ନାହିଁ ।
ଏପ୍ରିଲ 6 ତାରିଖ ସୁଦ୍ଧା ଭାରତ ପାଖରେ 10 ହଜାରରୁ କମ ପର୍ସନାଲ ପ୍ରୋଟେକଟିଭ ଇକ୍ବିପମେଣ୍ଟ -ପିପିଇ ଉପଲବ୍ଧ ଥିଲା । ଏଥି ମଧ୍ୟରୁ ଚୀନ କିଛି ପିପିଇ ଯୋଗାଇଥିଲା । ଆହୁରି 50 ଲକ୍ଷ ପିପିଇ ଓ 15 ଲକ୍ଷ ରୋଗ ପରୀକ୍ଷଣ କିଟ ଚୀନରୁ ଆସିବାର ଅଛି । ଏବେ ଆସନ୍ତୁ ନଜର ପକାଇବା କେଉଁ ଦେଶରେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଟେଷ୍ଟିଂ ହାର କେତେ ରହିଛି । ରିପୋର୍ଟ ଅନୁସାରେ ଇସ୍ରାଏଲରେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଟେଷ୍ଟିଂ ହାର 18 ହଜାର 6 ଶହ ରହିଛି । ଇଟାଲୀରେ ଏହି ହାର 17 ହଜାର 327 ରହିଥିଲା ବେଳେ ଅଷ୍ଟ୍ରେଲିଆରେ ଏହି ହାର ରହିଛି 14 ହଜାର 3 ଶହ । ଦକ୍ଷିଣ କୋରିଆରେ ପ୍ରତି 10 ଲକ୍ଷ ଲୋକଙ୍କ ପିଛା ଟେଷ୍ଟିଂ ହାର 10 ହଜାର 46 ଥିଲା ବେଳେ ଭାରତରେ ଏହି ହାର ମାତ୍ର 161 ରହିଛି । ଚୀନରୁ ମଗାଯାଇଥିବା ଟେଷ୍ଟିଂ କିଟ ଆସିଲେ ମଧ୍ୟ ମାମଲା ସଂଖ୍ୟା ବଢିବା ସମ୍ଭାବନା ଥିବାରୁ ତାହା ଯଥେଷ୍ଟ ହେବ ନାହିଁ । ଏଭଳି ଏକ ଜଟିଳ ପରିସ୍ଥିତିରେ ଦେଶର ଡାକ୍ତରୀ ଉପକରଣ ଉତ୍ପାଦନ କରୁଥିବା କମ୍ପାନୀମାନେ ଯୁଦ୍ଧକାଳୀନ ଭାବେ କାମ କରିବା ଜରୁରୀ । କିନ୍ତୁ ଉଦ୍ବେଗର ବିଷୟ ହେଲା, ସେମାନେ କ୍ଷମତା ମୁତାବକ ଅଧା କାମ ବି କରିବାରେ ଅସମର୍ଥ । ତେଣୁ ଏ ଦିଗ ପ୍ରତି ଉଚିତ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।