ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ କହିଥିଲେ ଆମ ସେନା ବାହିନୀର ଆବଶ୍ୟକତା ପାଇ ଆମେ ସାମୟିକ ସମୟ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରି ପାରିବା, କିନ୍ତୁ ଦୀର୍ଘ କାଳ ପାଇଁ ଆମକୁ ଆମର ଆବଶ୍ୟକ ପ୍ରତିରକ୍ଷା ସରଞ୍ଜାମ ତିଆରି କରିବାକୁ ପଡ଼ିବ ଏବଂ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ହେଲେ ଅଳ୍ପଦୃଷ୍ଟି ସମ୍ପନ୍ନ ଆମ ଶାସକମାନେ ‘ସାମୟିକ’ ଏବଂ ‘ଆତ୍ମନିର୍ଭରଶୀଳ’ ଶବ୍ଦର ଅର୍ଥ ବୁଝି ନପାରିବା ହେତୁ ପ୍ରତିରକ୍ଷା ଭଳି ଅତି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅନ୍ୟ ଦେଶ ଉପରେ ଭାରତର ନିର୍ଭରଶୀଳତା ଯୁଗ ଯୁଗ ଧରି ଚାଲିଆସିଛି ଏବଂ ଆମଦାନୀ ଜାରି ରହିଥିବାରୁ ଦେଶର ନିରାପତ୍ତା ପ୍ରତି ବିପଦ ରହି ଆସିଛି।
ଦେଶ ଭିତରେ ପ୍ରତିରକ୍ଷା ଯନ୍ତ୍ରପାତି ଉତ୍ପାଦନ କରି ଆତ୍ମନିର୍ଭର ହେବା ସକାଶେ ବିଗତ ଦୁଇ ଦଶନ୍ଧିରେ ଗଠିତ ଆଠଟି କମିଟି ଏବଂ ଟାସ୍କ ଫୋର୍ସ ଅନେକ ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ଯୋଜନାର ସଫଳ କାର୍ଯ୍ୟକାରୀ ନହେବା ଯୋଗୁଁ ‘ସବୁ କିଛି ଯେଉଁଠି ସେଇଠି ରହିଛି’! କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଦ୍ବାରା ଆତ୍ମନିର୍ଭର ଭାରତ (ସ୍ବାବଲମ୍ବନ ଭାରତବାଣୀ) ଶୀର୍ଷକରେ ପ୍ରକାଶିତ ରଣନୀତି ଚିଠାରେ ପ୍ରତିରକ୍ଷା ଉଦ୍ୟୋଗରେ ଭାରତକୁ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ କିଛି ନୀତି ପ୍ରସ୍ତୁତ କରାଯାଇଛି।
2025 ବେଳକୁ 75 ଲକ୍ଷ କୋଟି ଟଙ୍କାର ଘରୋଇ କାରବାର ଏବଂ 35 ଲକ୍ଷ କୋଟି ଟଙ୍କାର ଆମଦାନୀ କରିବା ପାଇଁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ବିକାଶ ନୀତି ଅନୁଯାୟୀ ବ୍ୟବସ୍ଥା ରହିଛି। ଏବେ ଘରୋଇ କ୍ଷେତ୍ରରେ ପ୍ରତିରକ୍ଷା ସାମଗ୍ରୀର ମୋଟ କାରବାର ମୂଲ୍ୟ ରହିଛି 80 ହଜାର କୋଟି ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ସରକାରୀ ଅସ୍ତ୍ରଶସ୍ତ୍ର କାରଖାନାର ଅଂଶଧନ ହେଉଛି 63 ହଜାର କୋଟି ଚଙ୍କା! 2001 ପରଠାରୁ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରିବାକୁ ଘରୋଇ କମ୍ପାନିଗୁଡ଼ିକୁ ଯଦିଓ ଆମେ ଲାଇସେନସ ଦେବା କଥା କହି ଆସୁଛେ, ହେଲେ ଏହାର ମୋଟ କାରବାର କେବଳ 17 ହଜାର କୋଟି ଟଙ୍କାରେ ସୀମିତ ରହିଛି।
ଏବର୍ଷ 52 ହଜାର କୋଟି ଟଙ୍କାର ପ୍ରତିରକ୍ଷା ସରଞ୍ଜାମ ଘରୋଇ ବଜାରରୁ କିଣାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ଘରୋଇ ପ୍ରତିରକ୍ଷା ଶିଳ୍ବ ପାଇଁ ନୂଆ ଆଶାର ସଞ୍ଚାର ହୋଇଛି। 101ଟି ପ୍ରତିରକ୍ଷା ସାମଗ୍ରୀର ଆମଦାନୀ ନିଷିଦ୍ଧ ହେବ ଏବଂ ଆଗାମୀ 6 ବର୍ଷ ଭିତରେ ଘରୋଇ ଶିଳ୍ପସଂସ୍ଥାଗୁଡ଼ିକୁ 4 ଲକ୍ଷ କୋଟି ଟଙ୍କାର ବରାଦ ଦିଆଯିବ। ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଏପରି ପ୍ରୋତ୍ସାହନ ବର୍ତ୍ତମାନ ପାଇଁ ଜରୁରୀ! ଦୁର୍ଭାଗ୍ୟର ବିଷୟ ହେଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ ସେନା ବାହିନୀ ଥିବା ଭାରତ ଯୁଦ୍ଧାସ୍ତ୍ର ଏବଂ ପ୍ରତିରକ୍ଷା ଯନ୍ତ୍ରପାତି ଆମଦାନୀ କରିବାରେ ବି ବିଶ୍ବର ଦ୍ବିତୀୟ ବୃହତ ରାଷ୍ଟ୍ର।
ପ୍ରତିରକ୍ଷା ଯନ୍ତ୍ରପାତି ପାଇଁ ଯୁଗ ଯୁଗ ଧରି ରୁଷିଆ ଉପରେ ନିର୍ଭର କରି ଆସୁଥିବାରୁ ଭାରତକୁ ଏହା ଅନେକ ସମୟରେ ଅଡୁଆରେ ପକାଉଛି। ବର୍ତ୍ତମାନ ନୂଆ ନୂଆ ଯୁଦ୍ଧ ପ୍ରଣାଳୀରେ ପଦାତିକ ବାହିନୀର ଗୁରୁତ୍ବ କମି କମି ଆସୁଛି, ଏବଂ ଅନ୍ୟପକ୍ଷରେ ବାୟୁ, ନୌସେନା, ମହାକାଶ ଏବଂ ସାଇବର କ୍ଷେତ୍ରରେ ପ୍ରତିରକ୍ଷାକୁ ଜୋରଦାର କରିବା ଏବଂ ଏ ଦିଗରେ ବୈଜ୍ଞାନିକ ପଦ୍ଧତି ପ୍ରୟୋଗ ଓ ଗବେଷଣା ଉପରେ ଯେ କୌଣସି ଦେଶର ସୁରକ୍ଷା ବିଶେଷ ଭାବେ ନିର୍ଭର କରୁଛି। ଯଦି ଘରୋଇ ଉଦ୍ୟାଗକୁ ଉପେକ୍ଷା କରାଯାଇ କେବଳ ସେହି ପୁରୁଣା ଢାଞ୍ଚାରେ ନଅଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କମ୍ପାନି ଏବଂ 41ଟି ଗୋଳାବାରୁଦ କାରଖାନା ଉପରେ ନିର୍ଭର କରିବା ତେବେ ପ୍ରତିରକ୍ଷା ଉଦ୍ୟୋଗରେ ଆତ୍ମନିର୍ଭଶୀଳତା ଏକ ମରିଚୀକା ପାଲଟିଯିବ।
ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ କିଣିବା ବାବଦରେ ଭାରତ 1.3 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି, ଏହା ମଧ୍ୟରୁ 77 ହଜାର କୋଟି ଟଙ୍କା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଖକୁ ଯାଇଛି। ଛୋଟ ବଡ଼ ମିଶାଇ ସାଢେ 3 ହଜାର ଶିଳ୍ପସଂସ୍ଥାକୁ ମିଶାଇ ଥିବା ଘରୋଇ ଉଦ୍ୟୋଗକୁ ଏ ବାବଦରେ ମିଳିଛି ମାତ୍ର 14 ହଜାର କୋଟି ଟଙ୍କା! ପ୍ରତିରକ୍ଷା ଉଦ୍ୟୋଗ ପାଇଁ କେନ୍ଦ୍ର ସରକାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗକୁ 74 ପ୍ରତିଶତ ଯାଏଁ ବଢାଇ ଦେଇଛନ୍ତି, ଯାହା କି ଆତ୍ମନିର୍ଭରଶୀଳ ହେବା ପାଇଁ ଟାର୍ଗେଟ ପୂରଣ କରିପାରିବ। ହେଲେ ଏଥିପାଇଁ ଘରୋଇ ଉଦ୍ୟୋଗ ପ୍ରତି ସରକାର ସହଯୋଗର ହାତ ବଢାଇବା ଦରକାର, କିନ୍ତୁ ଏବେ ବି ଏ ନେଇ ଅନିଶ୍ଚିତତା ଦୂର ହୋଇନାହିଁ!
ହିନ୍ଦୁସ୍ତାନ ଏରୋନଟିକସ ଲିମିଟେଡ ବିଶ୍ବର ପ୍ରମୁଖ 100 ପ୍ରତିରକ୍ଷା ଶିଳ୍ପ ମଧ୍ୟରେ 35ତମ ସ୍ଥାନରେ ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଆହରଣ କରିବା ଏବଂ ଦେଶ ଭିତରେ ଅଧିକ ଗବେଷଣା ଦ୍ବାରା ଧ୍ବଂସ ପାଇପାରୁନଥିବା ଭଳି ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରିବା ସହିତ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗକୁ କିପରି ଆଗକୁ ନିଆଯାଇପାରିବ ସେ ଦିଗରେ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍। ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ କୋହଳ କରିବା ଦ୍ବାରା ହିଁ ପ୍ରତିରକ୍ଷା ଉଦ୍ୟୋଗରେ ‘ଆତ୍ମନିର୍ଭରଶୀଳତା’ ହାସଲ କରିହେବ, ଏଥିସହିତ ବିଦେଶୀ ପ୍ରତ୍ୟକ୍ଷ ପୁଂଜିନିବେଶ ଦ୍ବାରା ଯେପରି ଘରୋଇ ଶିଳ୍ପସଂସ୍ଥାର ଦକ୍ଷତା ଓ ଶକ୍ତି ବୃଦ୍ଧି ହେବ ତାହା ଉପରେ ବି ନଜର ରଖିବାକୁ ହେବ।