ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରକୁ ନେଇ ବର୍ଷ ବର୍ଷ ଧରି ଜାରି ରହିଛି ଅନୁସନ୍ଧାନ । ବୈଜ୍ଞାନିକମାନେ ଦଶନ୍ଧି ଦଶନ୍ଧି ଧରି ଚନ୍ଦ୍ରପୃଷ୍ଠରେ ଜୀବନ ସତ୍ତାକୁ ନେଇ ଅନୁସନ୍ଧାନ ଜାରି ରଖିଥିବା ବେଳେ ଏହା ସମସ୍ତଙ୍କୁ ଜଣା କି ଚନ୍ଦ୍ରର ନିଜର ଆଲୋକ ନଥାଏ । ଏହା ସୂର୍ଯ୍ୟ ଆଲୋକର ପ୍ରତିଫଳନରେ ଆଲୋକିତ ହୋଇଥାଏ । ଏହା ବ୍ୟତୀତ ଏହାର ଅନ୍ୟ ଗୂଢ ରହସ୍ୟ ପର୍ଦ୍ଦାଫାସ କରିବା ପାଇଁ ନାସା ଚେଷ୍ଟା ଚଳାଇଥିବା ବେଳେ ନିକଟ ଅତୀତରେ ଲଞ୍ଚ ହୋଇଛି ଅନେକ ମିଶନ । ଏମିତିରେ ଏବେ ଚନ୍ଦ୍ରପୃଷ୍ଠରେ ଦେଖାଦେଇଥିବା ଫାଟକୁ ନେଇ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ ।
ଚନ୍ଦ୍ରମା ଏକ ପ୍ରାକୃତିକ ଉପଗ୍ରହ ହୋଇଥିବା ବେଳେ ଏହାର ପୃଥିବୀ ପୃଷ୍ଠ ଉପରେ ରହିଛି ଅନେକ ପ୍ରଭାବ । ପୃଥିବୀ ପୃଷ୍ଠରେ ଥିବା ଜୁଆର ଭଟ୍ଟାକୁ ନିୟନ୍ତ୍ରଣ କରିବାରେ ଚନ୍ଦ୍ରମାର ଭୂମିକା ବେଶ ଗୁରୁତତ୍ବପୂର୍ଣ୍ଣ । ସେପଟେ ନାବିକ ତଥା ସାଧାରଣ ଲୋକେ ପୂର୍ବ କାଳରେ ଏହାକୁ ଦେଖି ଦିଗ ନିର୍ଦ୍ଧାରଣ କରୁଥିଲେ । ଅନେକ ଦେଶରେ ଏହାର ଚଳନ ଉପରେ କ୍ୟାଲେଣ୍ଡର ନିର୍ଦ୍ଧାରିତ ହେବାର ମଧ୍ୟ ନଜିର ରହିଛି ।
ଯଦି ଚନ୍ଦ୍ର ନଥାଆନ୍ତା, ତାହେଲେ ହୁଏତ ଦିନ ରାତି 24 ଘଣ୍ଟା ବଦଳରେ କେବଳ 6ରୁ 12 ଘଣ୍ଟା ହୋଇଥାଆନ୍ତା । ସେପଟେ ଗୋଟିଏ ବର୍ଷରେ 365 ଦିନ ବଦଳରେ 1000 କିମ୍ବା 1400 ଦିନ ହୋଇଥାଆନ୍ତା ବୋଲି ଆକଳନ କରାଯାଇଛି । ଚନ୍ଦ୍ର ବିଷୟରେ ସାଧାରଣରେ ଅନେକ କଥା ଜଣା ଥିବା ବେଳେ ବୈଜ୍ଞାନିକମାନଙ୍କ ବିଶ୍ବାସ ରହିଛି କି ଚନ୍ଦ୍ର ବିଷୟରେ ଅଧ୍ୟୟନ କଲେ ଉଭୟ ଚନ୍ଦ୍ର ଓ ପୃଥିବୀର ଉତ୍ପତ୍ତି ସମ୍ପର୍କରେ ତଥ୍ୟ ହାସଲ ହୋଇପାରିବ ।