ହାଇଦ୍ରାବାଦ: ଶିକ୍ଷାଦାନ ଅନେକ ଧୈର୍ଯ୍ୟ ଓ ଦାୟିତ୍ଵବୋଧକୁ ବହନ କରିଥାଏ। ଏଣୁ ସ୍କୁଲ୍ଗୁଡ଼ିକୁ ଅଧିକ ଜୀବନ୍ତ କରିବା ଏବଂ ଏଠାରେ ଗୁଣାତ୍ମକ ମାନ ବୃଦ୍ଧି ଉଦ୍ଦେଶ୍ୟରେ ପରିଚାଳନା କରିବା ଲକ୍ଷ୍ୟରେ କେନ୍ଦ୍ର ସେକେଣ୍ଡାରୀ ଶିକ୍ଷା ବୋର୍ଡ଼ ( ସିବିଏସ୍ଇ) ଏହା ସହ ଅନୁବନ୍ଧିତ ସମସ୍ତ ସ୍କୁଲ୍ରେ ଢାଞ୍ଚାଗତ ପରିବର୍ତ୍ତନ ଲକ୍ଷ୍ୟ ରଖିଛନ୍ତି। ଏହିକ୍ରମରେ ସ୍କୁଲ୍ଗୁଡ଼ିକୁ ଶିକ୍ଷାଦାନର କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସହ ଶିଶୁର ଶାରୀରିକ ଓ ମାନସିକ ବିକାଶ କେନ୍ଦ୍ର ଭାବେ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସ୍କୁଲ୍ଗୁଡ଼ିକରେ ଶିକ୍ଷାଦାନ ପ୍ରଣାଳୀକୁ ଅନୁଧ୍ୟାନ କରି କହିଛନ୍ତି ଯେ, ହୋମ୍ୱର୍କ, ସାଇନ୍ସ ଏବଂ ମ୍ୟାଥମାଟିକ୍ସ ପ୍ରୋଜକ୍ଟ ଦ୍ଵାରା ଶିଶୁମାନେ ଚାପଗ୍ରସ୍ତ ହେଉଛନ୍ତି। କିନ୍ତୁ ଭବିଷଞତର ଆବଶ୍ୟକ ଅନୁସାରେ ଶୈକ୍ଷିକ ଉତ୍କର୍ଷ ହାସଲ ଲାଗି ଶିଶୁଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିବା ଜରୁରୀ। ଏହା ନିଃସନ୍ଦେହ ଯେ, ଏକ ହସଖୁସି ଭରା ପରିବେଶ ଶ୍ରେଣୀଗୃହରେ ଚମତ୍କାର ପ୍ରଦର୍ଶନ କରିଥାଏ। ଏହି ପରିପ୍ରେକ୍ଷୀରେ ସିବିଏସ୍ଇର ପ୍ରଚେଷ୍ଟା ପ୍ରଶଂସନୀୟ।
ଶିକ୍ଷକମାନଙ୍କ ପାଇଁ ଯେଉଁ ମାର୍ଗଦର୍ଶିକା ସିବିଏସ୍ଇ ଜାରି କରିଛନ୍ତି ତାହା ସ୍କୁଲ୍ଗୁଡ଼ିକରେ ପାଠ ପଢ଼ାର ଏକ ଉତ୍ତମ ପରିବେଶ ସୃଷ୍ଟି ଲକ୍ଷ୍ୟ ରଖିଛି। ଏହି ପରିବେଶରେ ଛାତ୍ରଛାତ୍ରୀମାନେ ଯେପରି ଚାପଗ୍ରସ୍ତ ନରହିବେ ତଥା ସେମାନଙ୍କ ମନରେ ଅବସାଦ ଯେପରି ନଆସିବ ସେଥିଲାଗି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ଏଥିଲାଗି ଶିକ୍ଷକମାନେ ପିଲାମାନଙ୍କୁ ସାଙ୍ଗ ଭଳି ଆଚରଣ କରିବା ତଥା ସେମାନଙ୍କ ସଙ୍ଗେ ହୃଦୟର ସଂଯୋଗ ସ୍ଥାପନ କରି ଯୋଗାଯୋଗ ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। ପିଲାମାନେ ଯେପରି ଧ୍ୟାନ ପାଇଁ ଆଗ୍ରହ ପ୍ରକାଶ କରିବେ,ନିୟମିତ ବ୍ୟାୟାମ କରିବେ, ମୋବାଇଲ୍ ଫୋନ୍ଠୁ ଦୂରେଇ ରହିବେ ଏବଂ ବିଭିନ୍ନ
କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ ସେଥିଲାଗି ପ୍ରୟାସ କରିବାକୁ ଶିକ୍ଷକଙ୍କୁ ସିବିଏସ୍ଇ ନିର୍ଦେଶ ଜାରିକରିଛନ୍ତି। ଯେଉଁ ଛାତ୍ରମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ସୁସ୍ଥ ଚିନ୍ତା କରୁଛନ୍ତି ସେମାନେ ତାଙ୍କ ପରିବାରରେ ମଧ୍ୟ ପରିବର୍ତ୍ତନ ଆଣିପାରନ୍ତି। ସେମାନେ ଘରେ ଖୁସି ରହିବେ ଆଉ ସ୍କୁଲ୍କୁ ଉତ୍ସାହ ଓ ଉଦ୍ଦୀପନାର ସହ ଆସିବେ। ଯଦି ସ୍କୁଲ୍ରେ ଏବଂ ଘରେ ଶିଶୁ ଟି
ଆବଶ୍ୟକ ଶୈକ୍ଷିକ ପରିବେଶ ନ ପାଇବ ତେବେ ତାହାର ମାନସିକ ସ୍ଥିରତା ରହିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ଋତୁ ଅବସରରେ ପିଲାଙ୍କୁ ଚାପମୁକ୍ତ କରାଇବା ଲାଗି ଏକ ‘ପରୀକ୍ଷାପେ ଚର୍ଚା ନାମକ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ହଜାରରୁ ଅଧିକ ଶିକ୍ଷାର୍ଥୀ, ଅଭିଭାବକ, ଏବଂ ଶିକ୍ଷକ ଯୋଗ ଦେଇଥିଲେ। କିପରି କଷ୍ଟ ତଥା ଜଟିଳ ସମୟକୁ ସମ୍ମୁଖୀନ ହେବାକୁ ହୋଇଥାଏ ସେ ବିଷୟରେ ମୋଦି ଭାଷଣ ରଖିଥିଲେ। ଏହି ଅବସରରେ ସେ କହିଥିବା ଗୋଟିଏ କଥା ନିଶ୍ଚିତ ଭାବେ ମର୍ମ ରଖୁଛି। ତାହା ହେଲା, ଜଣେ ଟେକ୍ନୋଲୋଜିକୁ ନିୟନ୍ତ୍ରଣ କରିବା ଉଚିତ କିନ୍ତୁ ତାହାର ଦାସ ହେବା ଆଦୌ ଉଚିତ ନୁହେଁ।
ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ ନିକଟରେ ଏକ ସର୍ବେକ୍ଷଣ ରିପୋର୍ଟକୁ ଆଧାର କରି କହିଛନ୍ତି ଯେ, କିଶୋର ଅବସ୍ଥାରେ ଯଦି ପିଲାଟିଏ ଆବଶ୍ୟକଠାରୁ କମ୍ ଶୋଉଛି ତେବେ ତାହା ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ। ଚାପଗ୍ରସ୍ତ ରହୁଥିବା ଛରତ୍ରଛାତ୍ରୀମାନେ ଅନେକ ପ୍ରକାର ରୋଗର ସମ୍ମୁଖୀନ ହୋଇଥାଆନ୍ତି, ସେମାନଙ୍କ ଭିତରୁ ଅନେକ ମୋଟାପଣର ଶିକାର ହେବା ଆଶଙ୍କା ଅଧିକ ରହିଛି। ବିକଶିତ ଦେଶଗୁଡ଼ିକରେ ଶିଶୁମାନଙ୍କ ଶାରିରୀକ ଓ ମାନସିକ ସମସ୍ୟାକୁ ଆକଳନ କରିବା ପାଇଁ ଅନେକ ବ୍ୟବସ୍ଥା ରହିଛି। ଭାରତରେ କିନ୍ତୁ ସେପରି ବ୍ୟବସ୍ଥା ନାହିଁ। ଏଠାରେ ପିଲାମାନଙ୍କ ଜୀବନଧାରାଶ ପ୍ରକ୍ରିୟାରେ ଘଟୁଥିବା ପରିବର୍ତ୍ତନ ସେମାନଙ୍କୁ ବିପଦ ଆଡ଼କୁ ଟାଣି ଆଣିଛି। ବିଶେଷକରି ଏଣୁତେଣୁ ଖାଇବା ଦ୍ଵାରା ସେମାନେ ଶାରିରୀକ ଓ ମାନସିକ ଭାରସାମ୍ୟ ହରାଉଥିବା ନଜରକୁ ଆସୁଛି। ଶିଶୁମାନଙ୍କ ଆତ୍ମହତ୍ୟା ହାର ଦିନକୁ ଦିନ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି।
ପିଲାଙ୍କ ମାନସିକ ଓ ଶାରିରୀକ ଭାରସାମ୍ୟ ରକ୍ଷା ପାଇଁ ସିବିଏସ୍ଇ ସ୍କୁଲ୍ଗୁଡ଼ିକୁ ପାଠ୍ୟକ୍ରମରେ ଯୋଗ, ଖେଳ ଏବଂ ଚିତ୍ରକଳାକୁ ସାମିଲ୍ କରିବାକୁ ନିର୍ଦେଶ ଦେଇଛନ୍ତି। ସ୍କୁଲ୍ଗୁଡ଼ିକରେ ସୁସ୍ଥ ପାଠପଢ଼ା ପରିବେଶ ରକ୍ଷା ଲାଗି ୫ ନୀତିକୁ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ସିବିଏସ୍ଇ। ସ୍କୁଲ୍ ପରିସରରେ ସକାରାତ୍ମକ ପୋଷଣ ବୋଡ଼ଁ ସ୍ଥାପନ କରିବା, ସ୍କୁଲ୍ ପାଠ୍ୟକ୍ରମରେ ଖେଳକୁଦକୁ ବାଧ୍ୟତାମୂଳକ କରିବା, ସୋଶଶଲ୍ ମିଡିଆରେ ଉତ୍ସାହଜନକ ବାର୍ତ୍ତା ପ୍ରସାର କରିବା ଆଦି ଏହି ନିର୍ଦେଶାବଳୀ ଭିତରେ ଅନ୍ୟତମ।
ଛାତ୍ରଛାତ୍ରୀମାନଙ୍କର ଶାରିରୀକ ଏବଂ ମାନସିକ ବିକାଶର ବାହକ ହେଉଥିବା ସ୍କୁଲ୍ଗୁଡ଼ିକ ଯଦି ପଥଭ୍ରଷ୍ଟ ହୁଅନ୍ତି ତେବେ ଦେଶର ସାଂସ୍କୃତିକ ବନ୍ଧନୀକୁ ବଧ୍ୟ ନଷ୍ଟ ହେବା ଆଶଙ୍କା ରହିଛି। ପୁଣି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ କେବଳ ସ୍କୁଲ୍ଗୁଡ଼ିକ ଉତ୍ତରଦାୟୀ ତାହା ନୁହେଁ ପରିବାରର ମଧ୍ୟ ଗୁରୁତ୍ଵପୂଣ୍ଣ ଭୂମିକା ରହିଛି। ଘରେ ମିଳୁଥିବା ବାତାବରଣ ଦ୍ଵାରା ସେମାନଙ୍କ ବ୍ୟକ୍ତିତ୍ଵ, ଆଚାର ବ୍ୟବହାରର ବିକାଶ ହୋଇଥାଏ। ଏବେ ଆଧୁନିକ ମନସ୍ତତ୍ତ୍ଵ ବିଜ୍ଞାନୀମାନେ ଦର୍ଶାଉଛନ୍ତି ଯେ, ପିଲାଟିର ମାନବ ସମ୍ପର୍କକୁ ଉଚ୍ଚ କୋଟୀର କରିବା ହେଉଛି ପ୍ରକୃତି ଶିକ୍ଷାର ଦାୟିତ୍ଵ। କିନ୍ତୁ ପିଲାମନେ ସେମାନଙ୍କ ପାଠପଢ଼ା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଯେହେତୁ ପିଲାମାନେ ସ୍କୁଲ୍ରେ ପ୍ରଦାନ କରାଯାଉଥିବା ଜ୍ଞାନ ଏବଂ ଦକ୍ଷତାକୁ ବୁଝିପାରନ୍ତି ନାହିଁ ସେମାନଙ୍କ ଭିତରୁ ଅନେକ ସ୍କୁଲ୍ ଏବଂ କଲେଜ ଛାଡ଼ିଥାଆନ୍ତି। ତେଲୁଗୁ ରାଜ୍ୟଗୁଡ଼ିକରେ ଚାପ ବିହୀନ ଶିକ୍ଷା ପ୍ରଦାନର ଏକ ଧାରା ଆରମ୍ଭ ହୋଇଛି। ତେଲେଙ୍ଗାନା ସରକାର ଶିକ୍ଷାଦାନରେ ନୂଆ ପଦ୍ଧତି ବିକାଶ ପାଇଁ ଗବେଷଣା ଚଳାଇଛନ୍ତି। ଆନ୍ଧ୍ରପ୍ରବେଶରେ ସ୍କୁଲ୍ଗୁଡ଼ିକରେ ଶିକ୍ଷାଦାନ ପାଇଁ ବିଭିନ୍ନ ପ୍ରକାର କଣ୍ଢେଇ ତଥା ସୃଜନଶୀଳ ମାଧ୍ୟମକୁ ବ୍ୟବହାର କରାଯାଉଛି। ଚଳିତ ଶିକ୍ଷା ବର୍ଷଠାରୁ ପଞ୍ଚମ ଶ୍ରେଣୀଯାଏ ଏହିପରି ଅଭିନବ ଣୈଳୀରେ ପାଠ ପଢ଼ାଯିବା ବ୍ୟବସ୍ଥା ହୋଇଛି। ଯଦି ଘରେ ପିଲାମାନଙ୍କୁ ଏକନିରାପଦ ଓ ହସଖୁସି ତଥା ଅନୁକୂଳ ବାତାବରଣ ମିଳେ ତେବେ ସେମାନେ ଅନେକ ବିକାଶ ହାସଲ କରିବେ। ପିଲାର ମୂଲ୍ୟବୋଧର ବିକାଶ ହୋଇ ସେ ଭବିଷ୍ୟତରେ ଜଣେ ଉତ୍କର୍ଷ ନାଗରିକ ଭାବେ ନିଜକୁ ଗଢ଼ିତୋଳିପାରିବ।
ଇଟିଭି ଭାରତ