ସଂସ୍କୃତିକ ବନ୍ଧନ ହେଉଛି ଆମର ଶକ୍ତି, ଏହା ବଳରେ ଆମେ ବିଶ୍ଵର ସର୍ବବୃହତ ସାମରିକ ଶକ୍ତିଙ୍କୁ ବି ପ୍ରଭାବିତ କରିପାରିବା । ବିଶ୍ଵ କୂଟନୀତିରେ ଭାରତର ପ୍ରଭାବ ଆଜିର ନୁହେଁ, ବର୍ଷ ବର୍ଷର ସାଧନା । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦୁଇଦିନିଆ ପ୍ରଥମ ଭାରତ ଗସ୍ତ ସାରି ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଅବସରରେ ସେ ଭାରତର ରାଷ୍ଟ୍ରପତିଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍ଗେ ପ୍ରତିରକ୍ଷା, ବାଣିଜ୍ୟ ଓ ଟେକ୍ନୋଲୋଜି ସମ୍ବନ୍ଧିତ ବିଷୟରେ ଅନେକ ବୁଝାମଣା ସ୍ଵାକ୍ଷର କରିଛନ୍ତି।
ଟ୍ରମ୍ପଙ୍କୁ ସ୍ଵାଗତ ପାଇଁ ଅହମ୍ମଦାବାଦଠାରେ ଆୟୋଜିତ ବିଶାଳ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ବେଶ ଚର୍ଚ୍ଚିତ ହୋଇଛି। ଟ୍ରମ୍ପଙ୍କ ଏହି ଗସ୍ତ ଭାରତ-ଆମେରିକା ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି। ଏହି ଅବସରରେ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ୍ ଖୁର୍ସିଦଙ୍କ ସହ ଆମ ପ୍ରତିନିଧି ଅମିତ ଅଗ୍ନିହୋତ୍ରୀ ଆଲୋଚନା କରିଥିଲେ।
ଉପସ୍ଥାପନ କରୁଛୁ ସେହିସାକ୍ଷାତକାରର କିୟଦଂଶ...
ପ୍ରଶ୍ନ-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଆନେକ ଆଲୋଚନା ହେଉଛି। ମୋଦି ସରକାର କହୁଛନ୍ତି ଏହାଦ୍ଵାରା ଭାରତ ବୈଦେଶିକ ନୀତିରେ ଉଲ୍ଲେଖନୀୟ ସଫଳତା ଲାଭ କରିଛି। ଆପଣ ଟ୍ରମ୍ପଙ୍କର ଏହି ଗସ୍ତ ଓ ଏହାର ଭାରତ ଉପରେ ପ୍ରଭାବକୁ କେମିତି ବିଶ୍ଳେଷଣ କରିବେ?
ସଲମାନ୍ ଖୁର୍ସିଦ-ମୋ ମତରେ ଏହା ଏକ ଫମ୍ପା ମାଠିଆର ଶବ୍ଦ ଭଳି। ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କର, ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆଣି ଶୂନ୍ୟରେ ଆବାଜ୍ କର ତଥା ଏକ ରଙ୍ଗୀନ ବାତାବରଣ ସୃଷ୍ଟି କରି ପ୍ରଚାର ପ୍ରସାର କରିବା ଭିତରେ ଟ୍ରମ୍ପଙ୍କ ଭାରତ ଗସ୍ତ ସୀମିତ ଥିଲା। ଏଥିରେ ଭାରତ କ’ଣ ପାଇଲା ତାହା ଆଲୋଚନା କଲେ ଫଳଘର ଶୂନ୍ୟ ବୋଲି ଜଣାପଡ଼ିବ।ହଁ, ଏହା ଠିକ୍ ଯେ, ବିଦେଶରୁ ଜଣେ ପ୍ରମୁଖ ନେତାଙ୍କୁ ସ୍ଵଦେଶକୁ ନିମନ୍ତ୍ରଣ କରିବା ଦ୍ଵାରା ଆମର ଗୌରବ ବୃଦ୍ଧି ଘଟିଥାଏ। ପୁଣି ସେ ଆସି ଦେଶ ବାବଦରେ ଭଲ ଦି’ ପଦ କହିଲେ ତାହା ବିଶ୍ଵସ୍ତରରେ ଆମର ପ୍ରତିଛବି ବୃଦ୍ଧି କରେ, ଆଉ ଏହା ଟ୍ରମ୍ପଙ୍କ ଆଗମନରେ ହୋଇଛି। କିନ୍ତୁ ଦିନର ଶେଷ ବେଳକୁ ଯଦି ଆମେ କ’ଣ ବାସ୍ତବରେ ହାସଲ କରିଛୁ ବୋଲି ଆକଳନ କରିବା ତେବେ ଏହି କିଛି ଫମ୍ପା ଆବାଜ୍ ଛଡ଼ା ଆଉ କିଛି ହେବ ନାହିଁ। ଏଥିରୁ ମୋତେ ଲାଗୁଛି ଏ ସରକାର ଫମ୍ପା ଆବାଜ୍ ତଥା ଉଚ୍ଚ ଡେସିବେଲ୍ର କିଛି ସ୍ଵର ସୃଷ୍ଟି କରିବାରେ ଆନନ୍ଦ ପାଇଥାନ୍ତି। କିନ୍ତୁ ଟ୍ରମ୍ପଙ୍କ ପାଇଁଏହି ଗସ୍ତ ବେଶ୍ ଫଳପ୍ରଦ ହେବ।
ପ୍ରଶ୍ନ-ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଗସ୍ତ ବାସ୍ତବରେ କ’ଣ ଆମେରିକୀୟ ନିର୍ବାଚନକୁ ଆଖିରେ ରଖି ହୋଇଛି। ଏଥିରେ କ’ଣ ଟ୍ରମ୍ପକିଛି ସଫଳତା ପାଇବେ?
ସଲମାନ୍ ଖୁର୍ସିଦ-ହଁ, ଏହା ନିଃସନ୍ଦେହ। ସେଠି ନିର୍ବାଚନ ଆଉ ମାତ୍ର ୬ ମାସ ରହିଲା। ଏଣୁ ସେ ନିଶ୍ଚିତ ଭାବେ ସେଥିଲାଗି ଚିନ୍ତିତ। ଦେଶ-ଦେଶ ଭିତରେ ସମ୍ପର୍କ କେବେ ହେଲେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ସମ୍ପର୍କ ଭିତରେ ସୀମିତ ରହେ ନାହିଁ। ଏହା ଗୋଟିଏ ଦେଶର ଜନସାଧାରଣଙ୍କୁ ଅନ୍ୟ ଦେଶର ଲୋକଙ୍କ ସହ ଯୋଡ଼ିଥାଏ। ମୁଁ ଭାବୁଛି ଆମର ସେମିତି ସମ୍ପର୍କ ଆମେରିକାର ଲୋକଙ୍କ ସହିତ ରହିଛି। ଅତୀତରେ ଆମ ଦୁଇ ଦେଶ ଭିତରେ ଫରକ ରହିଥିଲା।
ଆମେରିକା ବିଶ୍ଵ ଅର୍ଥନୀତିକୁ ନିୟନ୍ତ୍ରଣ କରିବା ଚିନ୍ତାଧାରାକୁ ଆମେ ସମର୍ଥନ କରୁ ନଥିଲୁ। ସେ ଦେଶର ବିଶ୍ଵ ପ୍ରତି ଯେଉଁ ଚିନ୍ତାଧାରା ଆମେ ତାହାକୁ ଗ୍ରହଣ କରୁ ନଥିଲୁ। ଏବେ ସେ ଅବସ୍ଥାବଦଳିଛି। ଆମ ଭିତରେ ସମ୍ପର୍କ ବଦଳିଛି। ଯଦି ଏ ସମ୍ପର୍କ ଆଗକୁ ଦୃଢ଼ ଓ ସ୍ଥାୟୀ ହୁଏ ତେବେ ଆମେ କେହି ଏହାକୁ ବିରୋଧ କରିବୁ ନାହିଁ। ଆମେ ଏହାକୁ ନେଇ ଖୁସିବ୍ୟକ୍ତ କରିବୁ। କିନ୍ତୁ ଏହି ନିବିଡ଼ତାର ମହତ୍ତ୍ଵ କ’ଣ? ଏହାହିଁ ସବୁଠାରୁ ବଡ଼ ପ୍ରଶ୍ନ। ମୁଁ ସେମିତି କିଛି ବଡ଼ ଆଶା ଏଥିରୁ କରିପାରୁ ନାହିଁ।
ପ୍ରଶ୍ନ-ଅନ୍ୟଦେଶ ଯେମିତି ଚୀନ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଇସ୍ରାଏଲ୍ ସହ ଭାରତର ସମ୍ପର୍କକୁ ଯଦି ବିଶ୍ଳେଷଣ କରାଯାଏ ତେବେ ମୋଦିଙ୍କର ବଳିଷ୍ଠ ନେତୃତ୍ଵ ଦ୍ଵାରା ଶକ୍ତ ହୋଇପାରିଛି କି? ବିଶ୍ଵସ୍ତରରେ ଆମର ପ୍ରତିଛବି ବୃଦ୍ଧି ଘଟିଛି କି?ସତରେ କ’ଣ ଏମିତି କିଛି ଘଟୁଛି? ଆମ ସହ କିଏ କଥା ହେଉଛି। କିଏ କହୁଛି ଯେ, ଜେରୁଜେଲମ୍ ବାବଦରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାରତ ସହ ଆଲୋଚନା କରିବା ଦରକାର। ଏଇ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ କଥା କହନ୍ତୁ, ସେ କ’ଣ ଜେରୁଜେଲମ୍ ବାବଦରେ ଭାରତକୁ କିଛି ପଚାରିଛନ୍ତି? ଯେତେବଳେ ଚୀନ ସଡ଼କ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା ।
ସଲମାନ୍ ଖୁର୍ସିଦ- ସେତେବେଳେ କ’ଣ ଟ୍ରମ୍ପ ଆମକୁ ଫୋନ୍ରେ କ’ଣ କରିବାକୁ ହେବ ତାହା କହିଥିଲେ? ଯେତେବଳେ ପାକିସ୍ତାନକୁ ନିଜର ବନ୍ଧୁ ବୋଲି ଘୋଷଣା କଲେ ସେତେବଳେ କ’ଣ ସେ ଆମକୁ ପଚାରି ଥିଲେ? ଏସବୁ ଉତ୍ତର ନା। ତେବେ ଆମର ଲାଭ କେଉଁଠି ହେଉଛି? ଆମେ ଯେଉଁ ନିବେଶ ପ୍ରତିଶୃତି ପାଇଥିଲୁ ତାହା କୁଆଡ଼େ ଗଲା? ମୁଁ ଜାଣିପାରୁନି ଯେ, ଆମେ ଏ ସମ୍ପର୍କରୁ କିଛି ପାଇଛୁ? ଚୀନ୍ ବା ଜାପାନବାସୀ କ’ଣ ଆମେ ଯାହା କରୁଛୁ ସେଥିରେ ଖୁସି ଅଛନ୍ତି?