ଓଡିଶା

odisha

ରାଜସ୍ଥାନ ରାଜନୀତି ରଣ: ହାଇକୋର୍ଟ ଗଲେ ସଚିନ

By

Published : Jul 16, 2020, 2:16 PM IST

ରାଜସ୍ଥାନ କ୍ଷମତା ଯୁଦ୍ଧରେ ଟ୍ବିଷ୍ଟ । ବାଚସ୍ପତିଙ୍କ ନୋଟିସ ବିରୋଧରେ ହାଇକୋର୍ଟ ଗଲେ 19 ବିଧାୟକ । 19 ବିଧାୟକଙ୍କ ପକ୍ଷରୁ ସଚିନ ପାଇଲଟ ରାଜସ୍ଥାନ ହାଇକୋର୍ଟରେ ଯାଚିକା ଦାଖଲ କରିଥିବା ସୂଚନା । ଅପରାହ୍ନ 3ଟାରେ ଏହାର ହୋଇପାରେ ଶୁଣାଣି ।

ରାଜସ୍ଥାନ ରାଜନୀତି ରଣ: ହାଇକୋର୍ଟ ଗଲେ ସଚିନ
ରାଜସ୍ଥାନ ରାଜନୀତି ରଣ: ହାଇକୋର୍ଟ ଗଲେ ସଚିନ

ଜୟପୁର: ରାଜସ୍ଥାନ କ୍ଷମତା ଯୁଦ୍ଧରେ ଟ୍ବିଷ୍ଟ । ବାଚସ୍ପତିଙ୍କ ନୋଟିସ ବିରୋଧରେ ହାଇକୋର୍ଟ ଗଲେ 19 ବିଧାୟକ । 19 ବିଧାୟକଙ୍କ ପକ୍ଷରୁ ସଚିନ ପାଇଲଟ ରାଜସ୍ଥାନ ହାଇକୋର୍ଟରେ ଯାଚିକା ଦାଖଲ କରିଥିବା ସୂଚନା । ଅପରାହ୍ନ 3ଟାରେ ଏହାର ହୋଇପାରେ ଶୁଣାଣି ।

ଅନଲାଇନ ମାଧ୍ୟମରେ ଯାଚିକା ଦାଖଲ ହୋଇଥିବା ସୂଚନା ମିଳିଛି । ବିଚାରପତି ସତିଶ ଶର୍ମାଙ୍କ କୋର୍ଟରେ ଯାଚିକା ଦାଖଲ ହୋଇଥିବା ଜଣାପଡିଛି । ସଚିନଙ୍କ ପକ୍ଷରୁ ଲଢୁଛନ୍ତି ଆଇନଜୀବୀ ଦିନେଶ ମାହେଶ୍ବରୀ । ସୂଚନାଥାଉକି, କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିବା କାରଣରୁ ବାଚସ୍ପତି ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କୁ ନୋଟିସ ପଠାଇଥିଲେ ।

ସରକାରୀ ଦଳ ମୁଖ୍ୟସଚେତକ ବାଚସ୍ପତିଙ୍କ ପାଖରେ ଦାଖଲ କରିଥିବା ନୋଟିସକୁ ଗ୍ରହଣ କରି ବାଚସ୍ପତି ଏମାନଙ୍କୁ ନୋଟିସ ଦେଇଥିଲେ । ଏମାନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ପାଇଁ ମୁଖ୍ୟସଚେତକ ବାଚସ୍ପତିଙ୍କୁ କହିଥିଲେ । ଯାହାକୁ ଗ୍ରହଣ କରି 19 ବିଧାୟକଙ୍କୁ ନିଜର ପକ୍ଷ ଜୁନ୍‌ 17 ତାରିଖ ଅପରାହ୍ନ 1ଟା ସୁଦ୍ଧା ଦେବାକୁ ନୋଟିସ ଦେଇଥିଲେ ବାଚସ୍ପତି ।

ସୂଚନା ଥାଉକି, କଂଗ୍ରେସରେ ଦେଖାଦେଇଥିବା ଏହି କ୍ଷମତା ଯୁଦ୍ଧ ଭିତରେ ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇ ଦିଆଯାଇଛି । ତାଙ୍କ ସହିତ ଆଉ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଇଛି । ଫଳରେ ସଚିନ କଂଗ୍ରେସରେ ରହିବେ କି କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ କିମ୍ବା ଅନ୍ୟ ଦଳ ଗଢିବେ ସେନେଇ ରାଜସ୍ଥାନ ରାଜନୀତିରେ ଉତ୍ସୁକତା ପ୍ରକାଶ ପାଇଛି ।

ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରାଯିବା ପରେ ଅନେକ ଜିଲ୍ଲା ସଭାପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 104 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details