ନୂଆଦିଲ୍ଲୀ: ଅକ୍ଟୋବରରେ ଭାରତ ଓ ଋଷ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦମିରି ପୁଟିନ ଭାରତ ଗସ୍ତ ନେଇ ଆଶା କରାଯାଉଛି । ଭାରତ ଏବଂ ଋଷ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି ।
MEA ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ନିକଟରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆଦାନ ପ୍ରଦାନରେ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଛି ।
ସେ କହିଛନ୍ତି ଯେ ଜୁଲାଇ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ପୁଟିନ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାସହ ଜୁନ ମାସ ଶେଷ ସପ୍ତାହରେ ରାଜନାଥ ସିଂ ମସ୍କୋ ଗସ୍ତ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର 75 ତମ ବାର୍ଷିକୀରେ ଭାରତୀୟ କଣ୍ଟିଜେଣ୍ଟ ଅଂଶ ଗ୍ରହଣ କରିଥିଲେ ।
ତେବେ ଗତକାଲି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଋଷର ଉପବୈଦେଶିକ ମନ୍ତ୍ରୀ ନିକଟରେ ହୋଇଥିବା ସମସ୍ତ କାର୍ଯ୍ୟକଳାପକୁ ନେଇ ଆଲୋଚନା କରିଥିଲେ । ବର୍ତ୍ତମାନ ଚାଲିଥିବା କୋରୋନା ପରିସ୍ଥିତି ଯୋଗୁଁ ଗସ୍ତ କରିବା ସମ୍ଭବ ହେଉ ନାହିଁ ଏବଁ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଋଷର ଉପ ବୈଦେଶିକ ମନ୍ତ୍ରୀ ।
ସେପଟେ ଆଗାମୀ ଦିନ ମାନଙ୍କରେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଦାନ ପ୍ରଦାନର ସମ୍ପୂର୍ଣ୍ଣ ସୂଚୀ ପ୍ରସ୍ତୁତ ହୋଇସାରିଛି । ଏସସିଓ ଓ ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକ, ଏନଏସଏ ବୈଠକ, ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଆଦି ଧାର୍ଯ୍ୟ ହୋଇଛି । ହେଲେ ଅକ୍ଟୋବର ମାସରେ ଦ୍ୱପାକ୍ଷିକ ବାର୍ଷିକ ସମ୍ମିଳନୀ ହେବାକୁ ଯାଉଛି । ତେବେ ଆଶା କରାଯାଉଛି ଯେ ରାଷ୍ଟ୍ରପତି ପୁଟିନ ଭାରତ ଗସ୍ତ କରିପାରନ୍ତି ।